ନୂଆଦିଲ୍ଳୀ: ସୋସିଆଲ୍‌ ମିଡିଆରେ‌ ଟ୍ରେଣ୍ଡିଂ ହେବା ଆଜିକାଲି ପ୍ରାୟ ସମସ୍ତଙ୍କର ସ୍ବପ୍ନ ପାଲଟି ଗଲାଣି। କିଏ ଅଭିନୟରେ ତ କିଏ ଗୀତରେ, କିଏ କିଛି ଭିନ୍ନ କଳା ଦେଖାଇ ତ ପୁଣି କିଏ ନାଚରେ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା କଥା ଚିନ୍ତା କରିଥାନ୍ତି। ବିଶେଷ କରି ଯୁବପିଢ଼ି ରିଲ୍ସ ଓ ସର୍ଟ ଭିଡିଓ ବନାଇବା ଦିଗରେ ବେଶ୍‌ ସକ୍ରିୟ। ସେମାନେ ଭିୟୁ ପାଇବା ପାଇଁ କୌଣସି ବି ସୁଯୋଗ ହାତଛଡ଼ା କରିବା କଥା ଭାବନ୍ତି ନାହିଁ।

Advertisment

ନିକଟରେ ଏକ ବିମାନ ମଧ୍ୟରେ ଜଣେ ଯୁବତୀଙ୍କ ନାଚୁଥିବା‌ ବେଳର ଭିଡିଓ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ଯୁବତୀ ଜଣକ ‘ବିବାହ’ ଫିଲ୍ମର ‘ହମାରି ସାଦି ‌ମୈ ଅଭି...’ ଗୀତରେ ନାଚୁଥିବାର ଦେଖିବାକୁ ମିଳିଛନ୍ତି। ଏହି ଭିଡିଓଟି ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‌ ହେବା ପରେ ଏହାର ଭିୟୁ ୧୪ ମିଲିୟନ୍‌ ହୋଇ ସାରିଲାଣି।

ତେବେ ଏହି ଯୁବତୀ ଜଣକ ହେଉଛନ୍ତି ଶିବା ଖାନ୍‌। ସେ ୨୦୦୬ ମସିହାର ଅଭିନେତା ସାହିଦ କପୁର ଓ ଅଭିନେତ୍ରୀ ଅମୃତା ରାଓଙ୍କ ଏହି ଫିଲ୍ମର ଗୀତରେ ନିଜର ନୃତ୍ୟକଳା ପ୍ରଦର୍ଶନ କରିବା ସହ ତାହାକୁ ପୋଷ୍ଟ୍‌ କରି କ୍ୟାପ୍‌ସନ୍‌ରେ ଲେଖିଛନ୍ତି, ‘ପ୍ଲେନ୍‌ କି ଧିମି ହୈ ରଫ୍‌ତାର...’।

ତେବେ ଏହି ଭିଡିଓକୁ ଅନେକ ଲୋକ ଦେଖିଛନ୍ତି ସତ, ମାତ୍ର ଅଧିକାଂଶ ନକରାତ୍ମକ କମେଣ୍ଟ୍‌ ଆସିଛି। ଯୁବତୀ ଜଣକ ବିମାନ ମଧ୍ୟରେ ଏପରି ନାଚୁଥିବାର ଦେଖି ଲୋକ ସମାଲୋଚନା କରିଛନ୍ତି। ଏପରି କାର୍ଯ୍ୟ କରିବା ଅନୁଚିତ ବୋଲି କିଛି ବ୍ୟବହାରକାରୀ ପରାମର୍ଶ ବି ଦେଇଛନ୍ତି।