ନୂଆଦିଲ୍ଲୀ: ପୂର୍ବରୁ ଉଡ଼ନ୍ତା ବିମାନରେ ଅନେକ ଶିଶୁ ଜନ୍ମଲାଭ କରିଥିବାର ଉଦାହରଣ ରହିଛି। ନିକଟରେ ଦିଲ୍ଲୀ-ବେଙ୍ଗାଲୁରୁ ଇଣ୍ଡିଗୋ ବିମାନରେ ମଧ୍ୟ ଏପରି ଆଉ ଏକ ଘଟଣା ଦେଖିବାକୁ ମିଳିଛି। ବୁଧବାର ଦିଲ୍ଲୀରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ବିମାନରେ ଜଣେ ମହିଳା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ଯାତ୍ରା କାଳରେ ଅଚାନକ ମହିଳାଙ୍କ ପଟରେ ଯନ୍ତ୍ରଣା ଆରମ୍ଭ ହୋଇଯିବାରୁ ବିମାନରେ ଉପସ୍ଥିତ ଥିବା କ୍ରିୟୁ ସଦସ୍ୟମାନେ ଆସି ତ‌ାଙ୍କୁ ସାହାଯ୍ୟ କରିଥିଲେ ଓ ମହିଳା ଜଣକ ସୁରକ୍ଷିତ ଭାବେ ଶିଶୁ ପୁତ୍ରଟିକୁ ଜନ୍ମ ଦେଇଥିଲେ।

Advertisment

ପିଟିଆଇକୁ ଦେଇଥିବା ବିବୃତ୍ତିରେ ଇଣ୍ଡିଗୋ ପକ୍ଷରୁ କୁହାଯାଇଛି, ‘ଆମେ ନିଶ୍ଚିତ କରୁଛୁ ଯେ ଦିଲ୍ଲୀରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା ୬ଇ୧୨୨ ବିମାନରେ ଏକ ଶିଶୁପୁତ୍ରକୁ ପ୍ରସବ କରାଯାଇଛି। ଏହା ବ୍ୟତୀତ ଆଉ କୌଣସି ତଥ୍ୟ ଏବେ ସୁଦ୍ଧା ଉପଲବ୍ଧ ନାହିଁ।’

ବିମାନ ମଧ୍ୟରେ ଶିଶୁଟି ଜନ୍ମ ଲାଭ କରିବା ପରେ ସେହି ସମୟର ଅନେକ ଫଟୋ ଓ ଭିିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ବିମାନ ମଧ୍ୟରେ ଥିବା ଯାତ୍ରୀ ଓ କ୍ରିୟୁ ସଦସ୍ୟ ମହିଳାଙ୍କ ଉଦ୍ଦେଶ୍ୟରେ ତାଳି ମାରୁଥିବାର ଦୃଶ୍ୟ ଭାଇରାଲ୍‌ ଫଟୋ-ଭିଡିଓରେ ଦେଖିବାକୁ ମିଳିଛି।

ମହିଳା ଏବଂ ତାଙ୍କ ଶିଶୁ ପୁତ୍ରର ଫଟୋ ବିମାନ କ୍ରିୟୁ ସଦସ୍ୟ ଓ ପାଇଲଟ୍‌ଙ୍କ ସହ ଉଠାଯାଇଛି। ବିମାନର ଗ୍ରାଉଣ୍ଡ୍‌ କର୍ମଚାରୀ ଓ କ୍ରିୟୁ ସଦସ୍ୟଙ୍କ ମଧ୍ୟରୁ କେହି କେହି ତାଳି ମାରୁଥିବା ବେଳେ ଆଉ କେହି ମହିଳାଙ୍କୁ ସମର୍ଥନ ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି।