ନୂଆଦିଲ୍ଲୀ: ଜଣେ ହେୟାର୍ ଡ୍ରେସିଂ କରୁଥିବା ମହିଳାଙ୍କୁ ଚାକିରିରୁ କାଢ଼ିବା କମ୍ପାନି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଅଦାଲତ ଏବେ କମ୍ପାନି ଉପରେ ୩ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ଏହି ଟଙ୍କାକୁ କମ୍ପାନି ତା’ ନିକଟରେ ପୂର୍ବରୁ କାମ କରୁଥିବା ଉକ୍ତ ମହିଳା କର୍ମଚାରୀଙ୍କୁ ପ୍ରଦାନ କରିବ।
ବ୍ରିଟେନ୍ର ଏକ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ମାମଲାଟି ହେଉଛି ବ୍ରିଟେନର ବେଲ୍ସ ଅଞ୍ଚଳର। ଏଠାରେ ୨୫ ବର୍ଷୀୟା ମହିଳା କର୍ମଚାରୀ ଆକ୍ୟୁଟ୍ ବାର୍ବର୍ସ ନାମକ ଏକ କମ୍ପାନିରେ ଚାକିରି କରୁଥିଲେ। ଏହି ସେଲୁନର ଅନେକ ଚେନ୍ ରହିଛି, ବ୍ରିଟେନ୍ର ଅଧିକାଂଶ ଅଞ୍ଚଳରେ ଏହାର ଆଉଟ୍ଲେଟ୍ ଖୋଲାଯାଇଛି।
ଘଟଣାଟି ହେଉଛି ୨୦୨୧ ମସିହାର। ସେ ସମୟରେ ଥୋରଲେ ନାମ୍ନୀ ମହିଳା କାମ କରୁଥିବା ଆକ୍ୟୁଟ୍ ବାର୍ବର୍ସର ଶାଖାର ପରିଚାଳକ କ୍ରିସ୍ ଡୋନ୍ଲି ଏକ ଶୁକ୍ରବାରରେ ମହିଳାଙ୍କୁ ସୋମବାର ଛୁଟି ନମାଗିବାକୁ ଆଗରୁ କହିଥିଲେ। କ୍ରିସ୍ଙ୍କ କହିବାନୁସାରେ ଥୋରଲେଙ୍କର ପ୍ରାୟତଃ ସପ୍ତାହାନ୍ତ ପରେ ଛୁଟି ମାରିବାର ପୂର୍ବରୁ ଅଭ୍ୟାସ ରହିଥିଲା।
ସେହି କାରଣରୁ ସେ ଆଗୁଆ ହିଁ ତାଙ୍କୁ ସୋମବାର ଛୁଟି ନମାଗିବାକୁ ଚେତାଇ ଥିଲେ। ହେଲେ ଥୋରଲେଙ୍କର ଅଚାନକ ଶାରୀରିକ ଅସୁସ୍ଥତା ହେତୁ ତାଙ୍କୁ ସୋମବାର ଛୁଟି ନେବାକୁ ପଡ଼ିଲା। ଯେଉଁ କାରଣରୁ ରାଗରେ ଆସି କ୍ରିସ୍ ତାଙ୍କୁ ଚାକିରିରୁ କାଢ଼ିଦେଲେ।
ଏହି କଥାକୁ ନେଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଥୋର୍ଲେ। ତାଙ୍କ କହିବାନୁସାରେ ସେ ଏଣ୍ଡ୍ରୋମ୍ଟ୍ରିୟୋସିସ୍ ରୋଗରେ ଆକ୍ରାନ୍ତ। ଯେଉଁ କାରଣରୁ ସେ ବାରମ୍ବାର ଅସୁସ୍ଥ ହୋଇପଡ଼ନ୍ତି ଓ ତାଙ୍କୁ ଅଚାନକ ଛୁଟିରେ ରହିବାକୁ ପଡ଼େ।
କୋର୍ଟ ଉଭୟ ପକ୍ଷ ଶୁଣିବା ପରେ କିଛି ନିୟମ ନମାନି କମ୍ପାନି ମହିଳାଙ୍କୁ ଚାକିରିରୁ କାଢ଼ିଥିବାରୁ କମ୍ପାନିକୁ ମହିଳାଙ୍କୁ ୩,୪୫୩ ପାଉଣ୍ଡ୍ (୩,୪୪,୨୦୪ ଟଙ୍କା) ଜରିମାନା ଦେବାକୁ କହିଛନ୍ତି।