ଦେବଦୂତ ସାଜିଲେ ମହିଳା ପୁଲିସ କନଷ୍ଟେବଳ; କାର୍‌ରେ କରାଇଲେ ରାସ୍ତାରେ ଅଟକିଥିବା ମହିଳାଙ୍କ ସୁରକ୍ଷିତ ପ୍ରସବ

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସମୟରେ ପୁଲିସ କର୍ମଚାରୀ ନିଜ ପରିବାରକୁ ପଛରେ ପକାଇ କରୋନା ଯୁଦ୍ଧରେ ନିଜକୁ ସାମିଲ କରିଛନ୍ତି। ଟାଣ ଖରାରେ ରାସ୍ତାରେ ଜଗି ରହିବା ସହିତ ବାରମ୍ବାର କରୋନା ସଂକ୍ରମଣ ନେଇ ଲୋକମାନଙ୍କୁ ସଚେତନ କରୁଛନ୍ତି। ଏପରି ପରିସ୍ଥିତିରେ ଜଣେ ମହିଳା ପୁଲିସ କନେଷ୍ଟବଳଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ଏହି ମହିଳା କନେଷ୍ଟବଳଙ୍କ ସାହାଯ୍ୟରେ ଯୋଦ୍ଧପୁରର ଆଖିଲିୟା ସର୍କଲର ଜଣେ ମହିଳାଙ୍କ ସୁରକ୍ଷିତ ପ୍ରସବ ହୋଇପାରିଥିବା ନେଇ ରାଜସ୍ଥାନର ପୁଲିସ ଡିସିପି ପ୍ରୀତି ଚନ୍ଦ୍ରା କହିଛନ୍ତି।

ପ୍ରୀତି ଚନ୍ଦ୍ରାଙ୍କ କହିବାନୁସାରେ, ମେ ୪ରେ ନିଜର ସ୍ୱାମୀଙ୍କ ସହିତ ଜଣେ ମହିଳା ପ୍ରସବ ପାଇଁ ବାଡମେର ଜିଲ୍ଲାର ଯୋଦ୍ଧପୁର ରାସ୍ତା ଦେଇ ଯାଉଥିବା ସମୟରେ ହଠାତ ସେମାନଙ୍କ କାର ଖରାପ ହୋଇଯାଇଥିଲା। ଏହି ସମୟରେ ମହିଳାଙ୍କ ପ୍ରସବ ପୀଡ଼ା ଆରମ୍ଭ ହୋଇଯାଇଥାଏ। ସୌଭାଗ୍ୟବଶତଃ ଯେଉଁଠାରେ ସେମାନଙ୍କ କାର ଖରାପ ହୋଇଥିଲା ସେଠାରେ ଜଣେ ମହିଳା କନେଷ୍ଟବଳ ଡିୟୁଟିରେ ଥିଲେ।  ସେ ମହିଳାଙ୍କ ଏଭଳି ଅବସ୍ଥା ଦେଖି  ସଙ୍ଗେସଙ୍ଗେ ଜଣେ ଡାକ୍ତର ଓ ନର୍ସଙ୍କୁ ଡକାଇଥିଲେ।

ତେବେ ଘଟଣାସ୍ଥଳରେ ଡାକ୍ତରୀ ଦଳ ପହଞ୍ଚିବା ପୂର୍ବରୁ ମହିଳା କନେଷ୍ଟବଳ ମହିଳାଙ୍କ ଯନ୍ତ୍ରଣା ଦେଖି ନ ପାରି ସୁରକ୍ଷିତ ଭାବେ ତାଙ୍କର ପ୍ରସବ କରାଇ ଦେଇଥିଲେ। ପ୍ରସବ ପରେ ମା’ ଓ ଶିଶୁ ଉଭୟଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ମା’ ଓ ଶିଶୁ ଉଭୟ ସୁସ୍ଥ ଥିବା ଡାକ୍ତର କହିଛନ୍ତି।

ସମ୍ବନ୍ଧିତ ଖବର