ନୂଆଦିଲ୍ଳୀ: ମାତୃତ୍ବ ହେଉଛି ଜୀବନର ସବୁଠାରୁ ବଡ଼ ଅନୁଭବ। ୪୧ ବ‌ର୍ଷୀୟା ଜଣେ ମହିଳା ନିଜ ‌ଡେଲିଭରିକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ପାଲଟିଛନ୍ତି। ମହିଳା ଜଣକ କହିଛନ୍ତି ଯେ ତାଙ୍କ ଡାକ୍ତର କହିଛନ୍ତି ଯେ ସେ ଜୀବନରେ ଆଉ କେବେ ମାଆ ବନି ପାରିବେନି। କାରଣ ତାଙ୍କ ଶରୀରରୁ ପ୍ରଜନନ ସଂପର୍କିତ ହରମୋନ୍‌ ପ୍ରାକୃତିକ ରୂପେ କମ୍‌ ହୋଇଯାଇଛି।

Advertisment

ମହିଳା ଜଣକ ନିକଟରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ମହିଳା ଜଣକ ଜନ୍ମ ଦେଇଥିବା ଶିଶୁଟିର ଓଜନ ଜନ୍ମ ବେଳେ ୫ କିଲୋର ହୋଇଛନ୍ତି। ସେହି କାରଣରୁ ମହିଳା ଜଣକ ନିଜ ନବଜାତ ଶିଶୁକୁ ‘ସୁପର୍‌ ବେବି’ ବୋଲି କହିଛନ୍ତି।

ଦ ସନ୍‌ ମୁତାବକ, ବ୍ରାଜିଲର ବାସିନ୍ଦା ଏହି ମହିଳାଙ୍କ ନାମ ଲୁସିୟାନା ବ୍ରାଣ୍ଟ୍‌। ସେ ଗତ ସପ୍ତାହରେ ୫ କିଲୋର ଏକ ଶିଶୁକୁ ଜନ୍ମ ଦେଇ ସଭିଙ୍କୁ ଚକିତ କରାଇ ଦେଇଛନ୍ତି। ନବଜାତ ଶିଶୁର ଓଜନ ଦେଖି ମହିଳାଙ୍କ ସହ ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଲୁସିୟାନାଙ୍କର ପୂର୍ବରୁ ୫ଟି ପିଲା ଅଛନ୍ତି। ସବୁଠାରୁ ବଡ଼ ଝିଅର ନାମ ୨୩ ବର୍ଷ। ମହିଳା ‘ସୁପର୍‌ ବେବି’ କହୁଥିବା ତାଙ୍କ ନବଜାତ ଶିଶୁର ନାମ ମାରିୟା।

ଜନ୍ମ ସମୟରେ ମାରିୟାଙ୍କ ଲମ୍ବ ୨୦ ଇଞ୍ଚ୍‌ ହୋଇଥିଲା। ତାଙ୍କର ସିଜରିୟନ୍ ଡେଲିଭରି ହୋଇଛି। ପିଲାଙ୍କ ଓଜନ ଜନ୍ମ ବେଳକୁ ସାଧାରଣତଃ ୨ ରୁ ୩ କିଲୋର ହୋଇଥିବା ବେଳେ ମାରିୟାଙ୍କ ଓଜନ ସମସ୍ତଙ୍କୁ ଚକିତ କରିଛି।