ନୂଆଦିଲ୍ଲୀ: ଉଦୟପୁରର ପାହାଡ ମଝିରେ ଥିବା ଘନ ଜଙ୍ଗଲରେ ଗତ ସୋମବାର ଜଣେ ମହିଳା ଯାଆଁଳା ସନ୍ତାନକୁ ଜନ୍ମ ଦେଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଗ୍ରାମବାସୀ କହିଛନ୍ତି, ଦିନରେ ଗାଡ଼ିମଟର ଚାଲୁଥିବା ହେତୁ ପାହାଡ ଭିତରୁ ଶିଶୁଙ୍କ କାନ୍ଦିବା ଶବ୍ଦ ଶୁଣାଇ ଯାଇ ନଥାଏ। କିନ୍ତୁ ରାତି ହେଲେ ଶିଶୁଙ୍କ କାନ୍ଦିବା ଶବ୍ଦ ଶୁଣା ଯାଇଥାଏ। ପ୍ରଥମଦିନ ଏସବୁ କିଛି ବୁଝି ହୋଇ ନଥିଲା। ତେଣୁ ସମସ୍ତେ ଏହାକୁ ଅଣଦେଖା କରିଥିଲେ। ଦ୍ବିତୀୟ ରାତିରେ ବି ଏମିତି ଶିଶୁଙ୍କ କାନ୍ଦ ଶୁଣାଯିବା ପରେ ଗ୍ରାମବାସୀ ପରସ୍ପର ସହିତ ଏହି ଘଟଣାକୁ ଆଲୋଚନା କରିଥିଲେ। ତୃତୀୟ ରାତିରେ ଯଦି ଏମିତି କାନ୍ଦ ଶୁଣାଯାଏ ତେବେ ସେମାନେ ଘଟଣାସ୍ଥଳକୁ ଯିବେ ବୋଲି ସ୍ଥିର କରିଥିଲେ। ତୃତୀୟ ରାତିରେ ଶିଶୁଙ୍କ ସମାନ କାନ୍ଦ ଶୁଣାଯିବା ପରେ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଖବର ଦେଇଥିଲେ।
ଘଟଣା ସମ୍ପର୍କରେ ଖବର ପାଇବା ପରେ ଜିଲ୍ଲାପାଳ ତାରଚନ୍ଦ ମିଣାଙ୍କ କହିବାନୁସାରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଞ୍ଚଜଙ୍ଗଲ ମଝିରେ ପଡ଼ିଥିବା ପଥର ଉପରେ ବିଛା ହୋଇଥିବା ଏକ ଚାଦରରେ ନବଜାତ ଦୁଇଟି ପଡ଼ିଥିବା ଦେଖି ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନେ ସେଠାରୁ ନବଜାତକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ବେଳେ ନବଜାତଙ୍କ ମା’ ପଥରରେ ଅଧିକାରୀମାନଙ୍କୁ ପିଟିବା ପାଇଁ ଗୋଡ଼ାଇ ଆସିଥିଲେ।
ଏହି ଘଟଣା ଦେଖି ପ୍ରଥମେ ଅଧିକାରୀମାନେ ମା’ଙ୍କୁ ଉଦ୍ଧାର କରି ଗାଡ଼ିରେ ବସାଇବା ପରେ ନବଜାତକୁ ଧରି ଏମବି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଚିକିତ୍ସା ପରେ ମା’ ଓ ଶିଶୁ ତିନିଜଣ ସୁସ୍ଥ ଅଛନ୍ତି। ଚିକିତ୍ସା ପରେ ଜଣାପଡ଼ିଛି କି, ପ୍ରସୂତିଙ୍କ ମାନସିକସ୍ଥିତି ଠିକ ନାହିଁ।
ତେବେ ମା’ ଓ ଶିଶୁଙ୍କୁ ନେଇ ଡାକ୍ତର କହିଛନ୍ତି, ‘ଜନ୍ମ ପରେ ସଠିକ ଯତ୍ନ ନଥାଇ, ପ୍ରବଳ ଗରମ ଓ ଭୋକଶୋଷରେ କିଭଳି ଭାବେ ନବାଜତ ଓ ତାର ମା’ ବଞ୍ଚି ରହି ପାରିଲେ ଆଶ୍ଚର୍ଯ୍ୟ ଲାଗୁଛି। ଏହା ଭଗବାନଙ୍କର ଆର୍ଶୀବାଦ ଛଡ଼ା ଆଉ କିଛି ନୁହେଁ।’
ପ୍ରସୂତିଙ୍କ ସ୍ବାମୀଙ୍କ ତିନିବର୍ଷ ପୂର୍ବେ ମୃତ୍ୟୁ ହୋଇଯାଇଥିବା ବେଳେ ସେ ଏହି ପାହାଡ ଉପରେ ହିଁ ବସବାସ କରନ୍ତି। କେବଳ ଭୋକ ଲାଗିଲେ ତଳକୁ ଆସିଥାଆନ୍ତି। ଜମିରେ କାମ କରୁଥିବା ଲୋକେ ତାଙ୍କୁ ଖାଇବାକୁ ଦେଇଥାଆନ୍ତି। ଗତ ତିନିଦିନ ହେବ ସେ ତଳକୁ ଓହ୍ଲାଉ ନଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ତେବେ ମହିଳାଙ୍କ ଅବସ୍ଥା ଦେଖି ତାଙ୍କୁ କେହି ଦୁଷ୍କର୍ମ କରିଥିବା ଅନୁମାନ କରାଯାଉଛି। ଏହି ଦିଗରେ ତଦନ୍ତ ଆରମ୍ଭ ପାଇଁ ପୁଲିସ ଏକ ଟିମ ଗଠନ କରିଛନ୍ତି।