ଡେଟିଂ ‌ସାଇଟ୍‌ରୁ ମିଳିଥିଲେ ପ୍ରେମିକ, କଳାକନା ବୁଲାଇ ମାରିଲେ ଛୁ

ନୂଆଦିଲ୍ଲୀ: ଆଜିକାଲି ବିଭିନ୍ନ ପ୍ରକାରର ଡେଟିଂ ଓ ମାଟ୍ରିମୋନିଆଲ୍‌ ସାଇଟ୍‌ ସବୁ ବାହାରିଥିବା ବେଳେ ଠକାମୀ ମଧ୍ୟ ଯଥେଷ୍ଟ ପରିମାଣରେ ବଢ଼ିଯାଇଛି। ଏହି ଠକାମୀର ଶିକାର ହୋଇଥିବା ଜ‌ଣେ ମହିଳା ତାଙ୍କ ଅନୁଭୂତି ବଖାଣିଛନ୍ତି। ସେ କହିଛନ୍ତି ଯେ ଜଣେ ପୁରୁଷଙ୍କୁ ସେ ଏକ ଡେଟିଂ ସାଇଟ୍‌ରୁ ପାଇବା ପରେ ତାଙ୍କୁ ବିଶ୍ବାସ କରି ସେ ୨୫ ଲକ୍ଷ ଟଙ୍କା ଦେଇ ଠକାମୀର ଶିକାର ହୋଇଛନ୍ତି। ଏହି ୨୫ ଲକ୍ଷ ଟଙ୍କା ସେ ଏକାଥରକେ ଦେଇନାହାନ୍ତି। ଥର ଥର କରି ଠକ ଜଣକ ମହିଳାଙ୍କଠାରୁ ୨୫ ଲକ୍ଷ ଟଙ୍କା ମ‌ାଗି ନେଇଥିବା ଅଭିଯୋଗ ହୋଇଛି।

ମହିଳା ଜଣକ ନିଜର ଅନୁଭୂତି ବଖାଣି କହିଛନ୍ତି ଯେ ତାଙ୍କ ପ୍ରଥମ ସ୍ବାମୀଙ୍କ ସହ ତାଙ୍କ ସଂପର୍କ ଛିନ୍ନ ହେବା ପରେ ସେ ଭାବିଥିଲେ ଦ୍ବିତୀୟ ବ୍ୟକ୍ତିଙ୍କ ସହ ସେ ସଂପର୍କ ଗଢ଼ିବେ। ଯିଏକି ଜୀବନ ଯାକ ତାଙ୍କ ସାଥ୍‌ ଦେବ। ମାତ୍ର ତାହା ବି ଭୁଲ୍‌ ପ୍ରମାଣିତ ହେଲା। ବିବିସି୧ର ‘ଲଭ୍‌ ଫର୍‌ ମନି’ କାର୍ଯ୍ୟକ୍ରମ ଜରିଆରେ କୂଳଦୀପ ନ‌ା‌ମ୍ନୀ ଏହି ମହିଳା ତାଙ୍କର ଏହି ଅନୁଭୂତିକୁ ବଖାଣିଛନ୍ତି। ସେ କହିଛନ୍ତି କି କିରଣ ନାମକ ଏକ ଯୁବକଙ୍କୁ ସେ ଡେଟିଂ ସାଇଟ୍‌ରୁ ଜାଣିଥିଲେ। ଧୀରେ ଧୀରେ ସେମାନଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଲା। କିରଣ ପ୍ରଥମେ ତାଙ୍କୁ ପାସ୍‌ପୋର୍ଟ ନାଁରେ ୫୦ ହଜାର ମାଗିଲେ। ତାପରେ ହସ୍ପିଟାଲ୍‌ ବିଲ୍‌ ନାଁରେ ୫୦ ହଜାର ମାଗିଲେ। ଏହି ପରି ଭାବେ ବାହାନା ବନାଇ ସେ ପ୍ରାୟ ୨୫ ଲକ୍ଷ ଟଙ୍କା ଦେବା ପରେ ଆଉ ମାଗିବାରୁ ମହିଳା ଜଣକ ଦେବାକୁ ମନା କରିଦେଲେ। ତା’ପରେ ପ୍ରେମିକ ଜଣକ ଆଉ ଦେଖାଦର୍ଶନ ଦେଲେ ନାହିଁ। କୂଳଦୀପଙ୍କ କହିବାନୁସାରେ ସେ ଏବେ ତାଙ୍କର କୌଣସି ମେଲ୍‌ର ଉତ୍ତର ଦେଉନାହାନ୍ତି।

ସମ୍ବନ୍ଧିତ ଖବର