ନୂଆଦିଲ୍ଲୀ: ଆଜିକାଲି ଇଣ୍ଟରନେଟ୍ ଯୁଗରେ ଘରେ ରହି ଅନଲାଇନ୍ ଜିନିଷ କିଣିବାର କ୍ରେଜ୍ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହା ଲୋକଙ୍କ ସମୟ ସହିତ ଖର୍ଚ୍ଚ ମଧ୍ୟ କମ କରୁଛି। କିନ୍ତୁ ଅନଲାଇନ୍ ଜିନିଷ କିଣିବାରେ ସବୁଠାରୁ ବଡ ଅସୁବିଧା ହେଉଛି ଦ୍ରବ୍ୟର ମାନ। ଯେତେବେଳେ ଆପଣ ଏକ ଜିନିଷ ଅର୍ଡର କରନ୍ତି, ଆପଣ କେବଳ ଏହାର ଫଟୋ ଏବଂ ଏହା ବିଷୟରେ ଦିଆଯାଇଥିବା ସୂଚନା ଦେଖି ଅର୍ଡର କରିଥାନ୍ତି। କିନ୍ତୁ ଏହା କେତେ ଭଲ ବା ଖରାପ, ତାହା ଦେଖିପାରନ୍ତି ନାହିଁ। ଏଥିପାଇଁ ଅନେକ ଲୋକ ଠକାମିର ଶିକାର ହୋଇଥାନ୍ତି। କେତେବେଳେ ଜିନିଷର ମାନ ଖରାପ ଆସେ ତ କେତେବେଳେ ନକଲି ଜିନିଷ ଆସିଥାନ୍ତି। ପୂର୍ବରୁ ଏଭଳି ଘଟଣା ବିଷୟରେ ଆମେ ଆପଣଙ୍କୁ ଜଣାଇଥିବା ବେଳେ ଏବେ ଆମେରିକାରେ ରହୁଥିବା ମରିୟମଙ୍କ ସହ ସେଭଳି ଏକ ଘଟଣା ଘଟିଛି।

ମରିୟମ ଏକ ଅନଲାଇନ୍ ସପିଂ ସାଇଟରୁ ମହାରାଜା ଚେୟାର ଅର୍ଡର କରିଥିଲେ। ଚେୟାରଟି ଦେଖିବାକୁ ବହୁତ ସୁନ୍ଦର ଥିଲା ଓ ଭେଲଭେଟ କପଡ଼ାରେ ଆବୃତ ହୋଇଥିଲା। ତେଣୁ ମରିୟମ ସେହି ଚେୟାରକୁ ପସନ୍ଦ କରି ତାକୁ ଅର୍ଡର କରିଥିଲେ। ଚେୟାର ଡେଲିଭର ହେବା ନେଇ ମେସେଜ ଆସିବା ପରେ ଚେୟାରକୁ ଦେଖିବା ପାଇଁ ସେ ଉତ୍ସାହିତ ହୋଇ ଅପେକ୍ଷା କରିଥିଲେ। ହେଲେ ଚେୟାରଟି ଡେଲିଭର ହେବା ପରେ ମରିୟମଙ୍କ ହୋସ ଉଡିଗଲା। ଫଟୋରେ ଯେମିତି ଚେୟାରଟି ଦେଖାଯାଇଥିଲା ଠିକ ସମାନ ଡିଜାଇନ ଏବଂ ରଙ୍ଗ ସହ ଚେୟାର ଡେଲିଭର ହୋଇଥିଲା ସତ କିନ୍ତୁ ଏହାର ଆକାର ସମାନ ନଥିଲା। ବାସ୍ତବରେ ଏହା ଏକ ଖେଳନା ଚେୟାର ଥିଲା। ଏଭଳି ଠକାମିର ଶିକାର ହେବା ପରେ ମରିୟମ ଅନଲାଇନ୍ ଜିନିଷ କିଣିବାର ଅଭିଜ୍ଞତା ବାଣ୍ଟିଛନ୍ତି ଏବଂ ଅନଲାଇନ୍ ଜିନିଷ ନକିଣିବାକୁ ଲୋକଙ୍କୁ ନିବେଦନ କରିଛନ୍ତି।