ନୂଆଦିଲ୍ଲୀ: ମୁମ୍ବାଇ ଆକାଶ ପଥର ମଝି ଆକାଶରେ ଦୁଇ ଯାତ୍ରୀବାହୀ ବିମାନ ଗତ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ମୁହାଁମୁହିଁ ହୋଇ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହେବାର ଠିକ୍ ଅବ୍ୟବହିତ ପୂର୍ବରୁ ଖୁବ୍ ଅଳ୍ପକରେ ବର୍ତ୍ତି ଯାଇଛନ୍ତି। ଏହି ଘଟଣା ସଂପର୍କରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ଏବେ ଦେଶବ୍ୟାପି ଚର୍ଚ୍ଚା ଚାଲିଛି। ତେବେ, ଯାହା ଜଣାପଡ଼ିଛି ଏୟାର ଇଣ୍ଡିଆର ଜନୈକା ମହିଳା ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସେଦିନ, ଏହି ବିମାନ ଦୁଇଟି ଦୁର୍ଘଟଣାରୁ ଅଳ୍ପକରେ ବର୍ତ୍ତିଯିବା ସହ ଦୁଇଟି ବିମାନରେ ସବାର ଥିବା ୨୬୧ ଜଣ ଯାତ୍ରୀଙ୍କର ଜୀବନ ମଧ୍ୟ ବଞ୍ଚିଯାଇଛି।
ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଗତ ବୁଧବାର ବିଳମ୍ବିତ ସନ୍ଧ୍ୟା ପ୍ରାୟ ୮ଟା ବେଳେ ଏୟାର ଇଣ୍ଡିଆର ଏଆଇ ୬୩୧ ନମ୍ବର ବିଶିଷ୍ଟ ବିମାନଟି ମୁମ୍ବାଇରୁ ଭୋପାଳ ଅଭିମୁଖେ ଉଡ଼ାଣ ଭରୁଥିବା ବେଳେ ଏୟାର ଭିସ୍ତାରାର ୟୁକେ-୯୯୭ ନମ୍ବର ବିଶିଷ୍ଟ ବିମାନଟି ଦିଲ୍ଲୀରୁ ପୁଣେ ଅଭିମୁଖେ ଉଡ଼ାଣ ଭରୁଥିଲା। ଏୟାର ଇଣ୍ଡିଆର ବିମାନଟି ମୁମ୍ବାଇ ଆକାଶ ପଥ ଦେଇ ଗତି କରୁଥିବା ବେଳେ ବିମାନର ମୁଖ୍ୟ ପାଇଲଟ୍ ଟଏଲେଟ୍ ଯାଇଥିଲେ ଏବଂ ମହିଳା କୋ-ପାଇଲଟ୍ କ୍ୟାପ୍ଟେନ୍ ଅନୁପମା କୋହଲି କକ୍ପିଟ୍ରେ ବସି ବିମାନର ଉଡ଼ାଣ ଭରୁଥିଲେ। ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ଏଟିସି)ର ନିର୍ଦ୍ଦେଶ ମୁତାବକ ଏୟାର ଇଣ୍ଡିଆର ବିମାନଟି ଭୂପୃଷ୍ଠ ଠାରୁ ୨୭,୧୦୦ ଫୁଟ୍ ଉଚ୍ଚତାରେ ଉଡ଼ୁଥିବା ବେଳେ ଏୟାର ଭିସ୍ତାରାର ବିମାନଟି ୨୯,୦୦୦ ଫୁଟ୍ ଉଚ୍ଚତାରେ ଉଡ଼ୁଥିଲା। ତେବେ, ବିମାନ ଦୁଇଟି ମୁମ୍ବାଇ ଆକାଶ ପଥର ମଝି ଆକାଶରେ ଉଡ଼ାଣ ଭରୁଥିବା ବେଳେ ଏୟାର ଭିସ୍ତାରାର ବିମାନଟି ହଠାତ୍ ୨୭,୦୦୦ ଫୁଟ୍ ଉଚ୍ଚତାକୁ ଖସି ଆସିଥିଲା। ଏୟାର ଭିସ୍ତାରାର ବିମାନଟିର ଉଡ଼ାଣ ଭରୁଥିଲେ ଅନ୍ୟ ଜଣେ ମହିଳା ପାଇଲଟ୍।
/sambad/media/post_attachments/wp-content/uploads/2018/02/AI-FILIGHT-300x169.jpg)
ଏୟାର ଭିସ୍ତାରାର ବିମାନଟି ତଳକୁ ଖସି ଆସିବା ପରେ, ଏୟାର ଇଣ୍ଡିଆର ପାଇଲଟ୍ ଅନୁପମା ଦେଖିଲେ ଯେ ସେଇ ସମାନ ଉଚ୍ଚତାରେ ବିପରୀତ ଦିଗରୁ ଆଉ ଏକ ବିମାନ ତାଙ୍କ ବିମାନ ଆଡ଼କୁ ମାଡ଼ି ଆସୁଛି। ଦୁଇ ବିମାନ ମଧ୍ୟରେ ରହିଛି ଆଉ ମାତ୍ର କିଛି ସେକେଣ୍ଡର ବ୍ୟବଧାନ। ଏ ପରିସ୍ଥିତିରେ କ’ଣ କରାଯିବ ହଠାତ୍ କିଛି ବୁଝିପାରି ନ ଥିଲେ। ଏହି ସମୟରେ ସେ ତାଙ୍କ ହେଡ୍ଫୋନ୍ରେ ଶୁଣିବାକୁ ପାଇଲେ ଏଟିସି ଏୟାର ଭିସ୍ତାରାର ବିମାନ ପାଇଲଟ୍ଙ୍କୁ ପଚାରୁଛି, ‘ତୁମେ କାହିଁକି ଏତେ ତଳକୁ ଖସିଲ?’ ଏୟାର ଭିସ୍ତାରାର ମହିଳା ପାଇଲଟ୍ ଏଟିସିକୁ ଉତ୍ତର ଦେଉଛନ୍ତି, ‘ନା! ତୁମେ ତ କହିଲ ଏଇ ଉଚ୍ଚତାକୁ ଆସିଯିବା ପାଇଁ।’ ଏଟିସି ସହ ଯୋଗାଯୋଗ ପାଇଁ ସେତେବେଳକୁ ଆଉ ଅନୁପମାଙ୍କ ହାତରେ ସମୟ ନ ଥିଲା। ସମାନ ଉଚ୍ଚତାରେ ବିପରୀତ ଦିଗରୁ ତାଙ୍କ ବିମାନ ଆଡ଼କୁ ମାଡ଼ି ଆସୁଥିଲା ଏୟାର ଭିସ୍ତାରାର ବିମାନଟି ସତେ ଯେପରି ଏକ ମୃତ୍ୟୁଦୂତ ସାଜି! କକ୍ପିଟ୍ ଭିତରର ନାଲି ଲାଇଟ୍ଟି ଜଳି ଉଠିଥିଲା ଅନୁପମାଙ୍କ ସମ୍ମୁଖରେ। ଆଉ କାଳବିଳମ୍ବ କଲେ ନାହିଁ ଅନୁପମା; ନିଜର ବିଗତ ୨୦ ବର୍ଷର ଅଭିଜ୍ଞତାକୁ ପାଥେୟ କରି ଏ ପରିସ୍ଥିତରେ କ’ଣ କରିବେ ବୋଲି ପଚାରିଲେ ନିଜ ଅନ୍ତରାତ୍ମାକୁ; ଆଉ ନିଜ ବିମାନଟିକୁ ଉଠାଇ ନେଲେ ଏୟାର ଭିସ୍ତାରାର ଉଚ୍ଚତା ଠାରୁ ନିରାପଦ ଉଚ୍ଚତା ଭିତରକୁ ଏବଂ ଡାହାଣକୁ ବୁଲାଇ ଗତିପଥ ପରିବର୍ତ୍ତନ କରି ଦେଇଥିଲେ।
ଏୟାର ଇଣ୍ଡିଆର ଜଣେ ପାଇଲଟ୍ ଭାବେ ଏୟାରବସ୍ ଏ-୩୨୦ର ଉଡ଼ାଣ ଭରିବାରେ ରହିଥିଲା ତାଙ୍କର ଦୀର୍ଘ ୨୦ ବର୍ଷର ଅଭିଜ୍ଞତା। ଅନୁପମାଙ୍କ ସେଦିନର ଏହି ଉପସ୍ଥିତ ବୁଦ୍ଧି ଯୋଗୁ ହିଁ ସେଦିନ ରାତିରେ ଦୁଇଟି ଯାତ୍ରୀବାହୀ ବିମାନ ମଝି ଆକାଶରେ ଏକ ନିଶ୍ଚିତ ମୁହାଁମୁହିଁ ଧକ୍କା ହେବାରୁ ଅଳ୍ପକେ ବଞ୍ଚି ଯାଇଥିଲା ଏବଂ ବଞ୍ଚି ଯାଇଥିଲା ଦୁଇ ବିମାନରେ ସବାର ଥିବା ୨୬୧ ଯାତ୍ରୀଙ୍କ ଅମୂଲ୍ୟ ଜୀବନ।