ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାଲିୟାରୁ ଏକ ଭାବବିହ୍ବଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ବସବାସ କରୁଥିବା ଜଣେ ମହିଳାଙ୍କ ସ୍ବାମୀ ୧୦ବର୍ଷ ହେବ କେଉଁଆଡେ ନିଖୋଜ ହୋଇଯିବା ପରେ ପୁଣି ସେ ମିଳିଥିବା ଖବର ସାମ୍ନାକୁ ଆସିଥିଲା।
୧୦ବର୍ଷ ପରେ ମା’ ପୁଅକୁ ପାଇ, ସ୍ତ୍ରୀ ସ୍ବାମୀଙ୍କୁ ପାଇ, ପୁଅ ବାପାଙ୍କୁ ପାଇ ଖୁସିରେ କାନ୍ଦିବା ସହିତ ଭୋକଶୋଷ ଭୁଲି ଯାଇଥିଲେ। କିନ୍ତୁ ଏ ଖୁସି ସେମାନଙ୍କ ବେଶୀ ସମୟ ରହିଲା ନାହିଁ।
ସୂଚନାଯୋଗ୍ୟ, ବାଲିୟାର ସୁଖପୁରା ଥାନା ଅଞ୍ଚଳରେ ଥିବା ଗ୍ରାମରେ ବସବାସ କରୁଥିବା ଜାନକୀ ଦେବୀଙ୍କ ସ୍ବାମୀ ମୋତିଚନ୍ଦ ବର୍ମା ୧୦ବର୍ଷ ପୂର୍ବେ ହଠାତ କେଉଁଆଡେ ନିଖୋଜ ହୋଇଯାଇଥିଲେ। ଜାନକୀ ନିକଟରେ ଇ-ରିକ୍ସା ଯୋଗେ ହସ୍ପିଟାଲ ଯାଉଥିବା ବେଳେ ହଠାତ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ବସିଥିବା ଦେଖିଥିଲେ। ଉକ୍ତ ବ୍ୟକ୍ତିଙ୍କୁ ଜାନକୀ ତାଙ୍କ ସ୍ବାମୀ ମୋତିଚାନ୍ଦ ଭାବି ଇ-ରିକ୍ସା ଅଟକାଇଥିଲେ। ଆଉ ତାଙ୍କ ପାଖକୁ ଯାଇ କାନ୍ଦିକାନ୍ଦି କହିଥିଲେ, ‘ଧନ ତୁମେ ଏତେ ବର୍ଷ କେଉଁଠି ଥିଲ, କ’ଣ କରୁଥିଲ।’ ସ୍ବାମୀଙ୍କୁ ଦୀର୍ଘ ୧୦ବର୍ଷ ପରେ ଫେରି ପାଇଥିବାରୁ ଜାନକୀ ଭୋକଶୋଷ ଭୁଲି ଯାଇଥିଲେ। ଇ-ରିକ୍ସାରେ ସ୍ବାମୀ ମୋତିଚାନ୍ଦଙ୍କୁ ବସାଇ ଘରକୁ ନେଇ ଆସିଥିଲେ।
ଘରକୁ ଆଣିବା ପରେ ମୋତିଚାନ୍ଦଙ୍କ ଶରୀରରେ ଯେଉଁ ଚିହ୍ନ ଥିଲା ଜାନକୀ ଉକ୍ତ ବ୍ୟକ୍ତିଙ୍କ ଶରୀରରେ ତାହା ଦେଖିବାକୁ ପାଇ ନଥିଲେ। ଏହାପରେ ସନ୍ଦେହ ହେବାରୁ ସେ ପୁଲିସକୁ ଖବର ଦେଇଥିଲେ। ଯାଞ୍ଚରୁ ଜଣାପଡ଼ିଲା କି ଏହି ବ୍ୟକ୍ତି ଜଣକ ଜାନକୀଙ୍କ ସ୍ବାମୀ ନୁହନ୍ତି ବରଂ ନିକଟସ୍ଥ ଗ୍ରାମର ରାହୁଲ।
ଯାହାଙ୍କ ମାନସିକ ଅବସ୍ଥା ଠିକ ନଥିବାରୁ ସେ କିଛି କହି ପାରୁ ନଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ମୋତିଚାନ୍ଦ ଓ ରାହୁଲଙ୍କ ଚେହେରା ପାଖାପାଖି ସମାନ ତେଣୁ ଜାନକୀ ରାହୁଲଙ୍କୁ ନିଜ ନିଖୋଜ ସ୍ବାମୀ ବୋଲି ଭାବି ନେଇଥିଲେ, ଆଉ ବହୁତ ଖୁସି ହୋଇଯାଇଥିଲେ। କିନ୍ତୁ ଏହି ଖୁସି ତାଙ୍କର ବେଶୀ ସମୟ ରହିଲା ନାହିଁ। ସବୁକିଛି ପାଣି ଫଟକା ପରି ମେଳାଇ ଯାଇଥିଲା।