ଫ୍ଲାଟ୍‌ରେ ଲାଗିଗଲା ନିଆଁ; ଅନ୍ୟର କବାଟ ବାଡ଼େଇ ବାଡ଼େଇ ଜୀବନ ବଞ୍ଚାଇଥିବା ସ୍ୱାତୀ ବଞ୍ଚାଇପାରିଲେନି ନିଜ ଜୀବନ!

ଗୁରୁଗ୍ରାମ: ଅନ୍ୟ ପାଇଁ ଦୁଆର ଦୁଆର ବୁଲି ଅନେକ ଜୀବନ ବଞ୍ଚାଇଥିବା ଜଣେ ମହିଳାଙ୍କ ଜୀବନ ଏପରି ଭାବେ ଚାଲିଯିବ ତାହା କେହି କେବେ ଭାବିନଥିଲେ! ମହିଳା ଜଣକ ହେଉଛନ୍ତି ଗୁରୁଗ୍ରାମର ଜଣେ ଇଣ୍ଟେରିୟର୍‌ ଡିଜାଇନର୍‌ ସ୍ୱାତୀ । ରବିବାର ରାତି ପ୍ରାୟ ୨ଟା ପରେ ସେ ରହୁଥିବା ପ୍ଲାଟରେ ଏକ ଅଭାବନୀୟ ଘଟଣା ଘଟିଥିଲା। ହଠାତ୍‌ ନିଆଁ ଲାଗି ଯିବାରୁ ୩୨ ବର୍ଷୀୟା ଏହି ସହୃଦୟ ମହିଳା ଜଣକ ଅନ୍ୟମାନଙ୍କୁ ବଞ୍ଚାଇବା ପାଇଁ ଦୁଆର ଦୁଆର ବୁଲି କବାଟ ବାଡ଼େଇଥିଲେ। ହେଲେ ଦୁଃଖର କଥା ହେଉଛି, ସମସ୍ତଙ୍କୁ ବଞ୍ଚାଇବା ପରେ ମହିଳା ଜଣକ ନିଜେ ସେ ନିଆଁରେ ଜଳି ମରି ଯାଇଥିଲେ। ମହିଳା ଜଣକ ସମସ୍ତଙ୍କୁ ଡାକି ବାହାରିବା ପାଇଁ ଚେଷ୍ଟା କରିବା ବେଳେ ସିଡି ଘର କବାଟ ଆଉ ଖୋଲି ନଥିଲା। ଜଳୁଥିବା ନିଆଁରେ ସେ ଜୀୟନ୍ତା ଦଗ୍ଧ ହୋଇ ଯାଇଥିଲେ।

ସ୍ୱାତୀଙ୍କ ଘର ପାଞ୍ଚ ତାଲା ଉପରେ ଥିବା ବେଳେ ସେ ଦଶ ତାଲା ଉପରକୁ ଅନ୍ୟ ଲୋକଙ୍କୁ ଡାକିବା ପାଇଁ ଯାଇଥିଲେ। ସେଠାରେ ଥିବା ସିଡ଼ି କବାଟ ବନ୍ଦ ହୋଇଯିବାରୁ ସ୍ୱାତୀ ଆଉ ସେଠାରୁ ମୁକୁଳି ଆସି ପାରିନଥିଲେ। ୨ ଘଣ୍ଟା ପରେ ଅଗ୍ନିଶମ ବିଭାଗ ନିଆଁ ଲିଭା କାମ ସାରିବା ପରେ ଦଶ ତାଲା ଉପରେ ସ୍ୱାତୀଙ୍କ ମୃତ ଶରୀର ଉଦ୍ଧାର କରାଯାଇଥିଲା। ନିଆଁ ଲିଭା କାର୍ଯ୍ୟ ସାରିବା ପାଇଁ ନିଆଁ ଲିଭାଳୀଙ୍କୁ ପ୍ରାୟ ୪୫ ମିନିଟ୍‌ ପାଖାପାଖି ଲାଗିଥିଲା।

ଏ ସଂପର୍କରେ ଉକ୍ତ ପ୍ଲାଟ୍‌ରେ ରହୁଥିବା ଜଣେ ବ୍ୟକ୍ତି କହନ୍ତି କି ‘ରାତି ପ୍ରାୟ ଅଢ଼େଟା ବେଳକୁ ହଠାତ ଘର ସାରା ଧୂଆଁମୟ ହୋଇ ଯାଇଥିଲା। ଆମେ କଷ୍ଟେ ମଷ୍ଟେ ତୃତୀୟ ମହଲା ପର୍ଯ୍ୟନ୍ତ ଗଲୁ। ତା’ ତଳକୁ ଆଉ ଯାଇ ହେଲା ନାହିଁ। ଧୂଆଁ ହେତୁ ଅଣନିଶ୍ୱାସି ଲାଗିବାକୁ ଆମେ ଉପରକୁ ଆସି ଓଦା କପଡ଼ା ଗୁଡ଼ାଇ ହୋଇ ଯିବା ପାଇଁ ଚେଷ୍ଟା କଲୁ।’

ମୃତ ସ୍ୱାତୀଙ୍କର ବନ୍ଧୁ ତଥା ପଡ଼ୋଶୀ ମୋନିକା କହନ୍ତି, ‘କେବଳ ସ୍ୱାତୀ ପାଇଁ ହିଁ ବହୁତ ଲୋକଙ୍କ ଜୀବନ ବଞ୍ଚିଛି। ଧୂଆଁରେ ଅଣନିଶ୍ୱାସି ହୋଇ ବି ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ଦୁଆର ଦୁଆର ବୁଲି କବାଟ ବାଡ଼େ ସଭିଙ୍କୁ ସଚେତନ କରିଥିଲା। ସେ ସେପରି ନକରିଥିଲେ ଅନେକ ଲୋକ ଏବେ ଜୀବିତ ନଥାନ୍ତେ।’

ସମ୍ବନ୍ଧିତ ଖବର