ନୂଆଦିଲ୍ଲୀ: ଚାଷ୍ଟି ପିଟରଶନ୍ଙ୍କ ପିତାଙ୍କ ଅକ୍ଟୋବର ୨୪ରେ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଥିଲା। ଚାଷ୍ଟି ବାପାଙ୍କୁ ହରାଇବା ଦିନଠାରୁ ପ୍ରତିଦିନ ସ୍ୱର୍ଗତ ବାପାଙ୍କ ଫୋନ୍ ନମ୍ବରରେ ମେସେଜ କରିଥାନ୍ତି। ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଦିନ ବି ଚାଷ୍ଟି ବାପାଙ୍କୁ ଏକ ମସେଜ କରିଥିଲେ। ତାହା ଥିଲା, ‘ବାପା! ତୁମ ମୃତ୍ୟୁକୁ ଚାରିବର୍ଷ ହେଲାଣି କିନ୍ତୁ ଏପରି ଗୋଟିଏ ଦିନ ନାହିଁ, ଯେଉଁଦିନ ମୁଁ ତୁମକୁ ମନେ ପକାଇନାହିଁ। ମୋତେ କ୍ଷମା କରିଦିଅ ବାପା। ଯେତେବେଳେ ତୁମ ପାଖେ ମୋର ରହିବା ନିତାନ୍ତ ଜରୁରୀ ଥିଲା ସେତେବେଳେ ତୁମ ପାଖରେ ନ ଥିଲି।’
ଏହି ମେସେଜ କରିବାର କିଛି ସମୟ ପରେ ତାଙ୍କ ବାପାଙ୍କ ନମ୍ବରରୁ ବି ଏକ ମେସେଜ ଆସିଥିଲା। ଆଉ ସେଥିରେ ଲେଖାଥିଲା, ‘ହାୟ ସୁଇଟ୍ହାର୍ଟ। ମୁଁ ତୁମର ବାପା ନୁହେଁ। ମାତ୍ର ୪ ବର୍ଷ ଧରି ତୁମେ ପଠାଉଥିବା ସବୁ ମେସେଜ ମୋ ପାଖକୁ ଆସିଛି। ମୋର ନାମ ବ୍ରାଡ। ମୁଁ ମଧ୍ୟ ମୋର ଝିଅକୁ ୨୦୧୪ରେ ଏକ କାର୍ ଦୁର୍ଘଟଣାରେ ହରାଇ ଦେଇଛି। ମାତ୍ର ତୁମେ ପଠାଉଥିବା ଏହି ମେସେଜ ମତେ ବର୍ତ୍ତମାନ ପର୍ଯ୍ୟନ୍ତ ଜୀବିତ କରି ରଖିଛି। ତୁମେ ପଠାଉଥିବା ମେସେଜର ଉତ୍ତର ଅନେକ ଦିନ ପୂର୍ବରୁ ଦେବାକୁ ଚାହୁଁଥିଲି। ମାତ୍ର ଏପରି କରିବା ଦ୍ୱାରା ତୁମ ହୃଦୟରେ କଷ୍ଟ ହେବ ଭାବି ବାସ୍ତବ କଥା ଜଣାଇ ପାରୁ ନଥିଲି। ମନରେ ସେତିକି ସାହାସ ବି ଜୁଟାଇ ପାରୁ ନଥିଲି। ଆଜି ଏସବୁ ଜଣାଇବାକୁ ବାଧ୍ୟ ହେଲି। ତୁମେ କରିଥିବା ପ୍ରତିଦିନର ମେସେଜ ପାଇଁ ଧନ୍ୟବାଦ।’
ଏହି ୨ଟି ମେସେଜର ସ୍କ୍ରିନସଟ ନେଇ ଚାଷ୍ଟି ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଦୁହିଁଙ୍କ ବାର୍ତ୍ତାଳାପ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।