ଲକ୍ଷ୍ନୌ: ଆଗ୍ରାର ତାଜ୍ମହଲ ପଛରେ ଜମିଥିବା ଅଳିଆ ବିରୋଧରେ ପ୍ରଦର୍ଶନ କରିଥିବା ଜଣେ ଭାରତୀୟ ବାଳିକାକୁ ସମାଜବାଦୀ ପାର୍ଟି(ସପା) ନେତା ମନୀଷ ଜଗନ ଅଗ୍ରୱାଲ୍ ବିଦେଶୀ ବୋଲି କହିବା ପରେ କୁନି ଝିଅ ଜଣକ ରି-ଟ୍ବିଟ୍ କରି ନିଜର ଉତ୍ତର ରଖିଛନ୍ତି। ୧୦ ବର୍ଷୀୟା ଏହି ଝିଅଟି ତାଜ୍ମହଲ ପଛରେ କିପରି ପ୍ଲାଷ୍ଟିକ୍ ଅଳିଆ ଜମିଛି ସେ ନେଇ ଏକ ଫଟୋ ପୋଷ୍ଟ୍ କରିଥିଲେ।
ନାବାଳିକାଙ୍କୁ ଭ୍ରମରେ ଜଣେ ବିଦେଶୀ ପର୍ଯ୍ୟଟକ ବୋଲି ଭାବି ଦେଇଥିଲେ ସପା ନେତା। ସେ ତାଙ୍କ ଟ୍ବିଟର୍ ଆକାଉଣ୍ଟ୍ରେ ନାବାଳିକାଙ୍କ ଉକ୍ତ ଫଟୋଟିକୁ ସେୟାର କରି ଲେଖିଥିଲେ ଯେ ‘ବିଦେଶୀ ପର୍ଯ୍ୟଟକ ଭାଜପା ଶାସିତ ଯୋଗୀ ସରକାରଙ୍କୁ ଆଇନା ଦେଖାଇବାକୁ ମଜବୁର୍ ହୋଇଛନ୍ତି। ଭାଜପା ସରକାରରେ ଯମୁନାରେ ଅଳିଆ ଭରି ହୋଇଛି। ତାଜ୍ମହଲର ସୌନ୍ଦର୍ଯ୍ୟରେ ଏହି ଆବର୍ଜନା ଏକ ଦାଗ ପରି। ବିଦେଶୀ ପର୍ଯ୍ୟଟକ ସରକାରଙ୍କୁ ଆଇନା ଦେଖାଇବା ନିହାତି ଲଜ୍ଜାକର। ଭାରତ ଏବଂ ୟୁପିର ଏହି ଛବି ଭାଜପା ସରକାର ବନାଇଛନ୍ତି।’
ସପା ନେତାଙ୍କର ଏହି ଟ୍ବିଟ୍କୁ ସେୟାର କରି ଉକ୍ତ ୧୦ ବର୍ଷର ଝିଅ ଲେଖିଛନ୍ତି,‘ହେଲୋ ସାର୍, ମୁଁ ଜଣେ ଗର୍ବିତ ଭାରତୀୟ। ମୁଁ ବିଦେଶୀ ନୁହେଁ।’ ଏହି ଘଟଣା ପରେ ମନୀଷ ଜଗନ ଅଗ୍ରୱାଲ୍ ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେବାରେ ଲାଗିଛନ୍ତି। ଏହାର ସଫେଇରେ ମନୀଷ କହିଛନ୍ତି ଯେ ‘ଗତକାଲି ଏକ ନ୍ୟୁଜ୍ ଚ୍ୟାନେଲ୍ ଉକ୍ତ ନାବାଳିକାଙ୍କୁ ବିଦେଶୀ ବୋଲି କହୁଥିବାର ଶୁଣିଥିଲି। ସେହି କାରଣରୁ ଭୁଲ୍ ହୋଇଗଲା।’