ନୂଆଦିଲ୍ଲୀ: ବିବାହ ପରେ ଅବା ଅନ୍ତସତ୍ତ୍ବା ହେବାପରେ ଅନେକ ମହିଳା ପାଠପଢ଼ା ଛାଡ଼ି ଦେଇଥାଆନ୍ତି। ସେହିମାନଙ୍କ ପାଇଁ ଭାଗ୍ୟଶ୍ରୀ ପ୍ରେରଣା ପାଲଟିଛନ୍ତି।

Advertisment

ମହାରାଷ୍ଟ୍ରର ଚନ୍ଦ୍ରପୁର କୋଠାରି ଗ୍ରାମରେ ଭାଗ୍ୟଶ୍ରୀ ରୋହିତ ସୋନୁଲେ ପରିବାର ସହିତ ବସବାସ କରନ୍ତି। ଆଜି ତାଙ୍କର ଦ୍ବାଦଶଶ୍ରେଣୀ ବୋର୍ଡ ପରୀକ୍ଷା ଥିଲା। ଘରେ ଶିଶୁକୁ ରଖିବା ପାଇଁ କେହି ନଥିଲେ। କାରଣ ଭାଗ୍ୟଶ୍ରୀଙ୍କ ସ୍ବାମୀ ରୋହିତ ଜଣେ ଦିନମଜୁରିଆ। ତେଣୁ ସେ କାମରେ ବାହାରି ଯାଇଥିଲେ। ସ୍ବାମୀ କାମ‌ରେ ବାହାରିଯିବା ପରେ ସେ ତାଙ୍କର ଦୁଇମାସର ଶିଶୁକୁ ଧରି ପରୀକ୍ଷାକେନ୍ଦ୍ରରେ ପହଞ୍ଚି ଯାଇଥିଲେ। ପରୀକ୍ଷାକେନ୍ଦ୍ର ବାହାରେ ଏକ ଗଛତଳେ ଝୁଲଣାରେ  ଶିଶୁକୁ ଶୁଆଇ ଦେଇ ପରୀକ୍ଷା ଦେବାକୁ ଚାଲି ଯାଇଥି‌ଲେ।

ଭାଗ୍ୟଶ୍ରୀ ପରୀକ୍ଷା ଦେଉଥିବା ବେଳେ ପରୀକ୍ଷାକେନ୍ଦ୍ର ବାହାରେ ଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ପୁଲିସ ଶିଶୁଟିର ଯତ୍ନ ନେଇଥିଲେ। ପରୀକ୍ଷା ଶେଷ ପରେ ଭାଗ୍ୟଶ୍ରୀ ଶିଶୁକୁ ନେଇ ପୁଣି ଘରକୁ ଫେରି ଯାଇଥିଲେ।

କୋଠାରି ଗ୍ରାମରେ ବସବାସ କରୁଥିବା ଭାଗ୍ୟଶ୍ରୀଙ୍କ ବିବାହକୁ ଦୁଇବର୍ଷ ହୋଇଛି। ନିକଟରେ ସେ ପୁତ୍ର ସନ୍ତାନ ମା’ ହୋଇଛନ୍ତି। ବିବାହ ପରେ ବି ଭାଗ୍ୟଶ୍ରୀ ପାଠପଢ଼ା ପ୍ରତି ରୁଚି ଛାଡ଼ି ନଥିଲେ। ଆଜି ତାଙ୍କର ଦ୍ବାଦଶଶ୍ରେଣୀ ଇଂରାଜୀ ପରୀକ୍ଷା ଥିଲା।