କନ୍ଧମାଳଜିଲ୍ଲା ରାଇକିଆ ବ୍ଲକର ଲାମ୍ବାଡ଼ିକିଆ ଗ୍ରାମପଞ୍ଚାୟତସ୍ଥିତ ସୁଗରବାଡ଼ି ଗ୍ରାମର ମାଆ ଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀ। ଏଥିରେ କନ୍ଧ ସମ୍ପ୍ରଦାୟର ୧୩ ଜଣ ମହିଳା ପାରମ୍ପରିକ ପୁଷ୍ଟିଶସ୍ୟ ଚାଷ ସହ ଦେଶୀ କିସମ ଧାନ ଚାଷକୁ ଆପଣାଇଛନ୍ତି। ପାଖାପାଖି ୧୪ ପ୍ରକାର ଦେଶୀ ଧାନ ବିହନ କିସମକୁ ସଂରକ୍ଷିତ କରି ରଖିଛନ୍ତି। ସେଥିରେ ବାସୁମତୀ, ତୁଳସୀ ଗଣ୍ଠି, ଲିଆ ଧାନ, ନାଲି ଧାନ, ବୁଢ଼ା କୁଡ଼ିଙ୍ଗା, ସୁନାମାଳି, କରକରିଆ, ତୁଳସୀ କଣ୍ଟା, ସିରେସାକା, ନଡ଼ିଆ ପାତି ଆଦି ରହିଛି। ଏହି ମହିଳାମାନେ ପ୍ରାୟ ୧୩ ଏକର ଜମିରେ ବିଭିନ୍ନ କିସମର ଧାନଚାଷ କରୁଛନ୍ତି। ଏହି ଧାନକୁ ଅମଳ କରି ବର୍ଷ ତମାମ ସେମାନେ ଖାଇଥାନ୍ତି। ଏହାସହ ମଣ୍ଡିରେ ବିକ୍ରି କରି ଆର୍ଥିକ ସ୍ତରରେ ସଶକ୍ତ ହୋଇଛନ୍ତି।
ରାଜ୍ୟ ସରକାରଙ୍କ ଶ୍ରୀଅନ୍ନ ଅଭିଯାନ ଅଧୀନରେ ମହିଳାମାନେ ପାରମ୍ପରିକ ବଡ଼ ମାଣ୍ଡିଆ କିସମ ଚାଷ କରୁଛନ୍ତି ଏବଂ ଉତ୍ପାଦିତ ମାଣ୍ଡିଆରୁ ୫ କୁଇଣ୍ଟାଲ ମଣ୍ଡିରେ ବିକ୍ରି କରି ଲାଭବାନ୍ ହୋଇପାରିଛନ୍ତି। ଏହାବ୍ୟତୀତ ବିଲୁପ୍ତ ପ୍ରାୟ ଖାଦ୍ୟର ପୁନରୁଦ୍ଧାର ଦିଗରେ ପ୍ରଚେଷ୍ଟା ଜାରି ରଖିବା ସହ ଖାଦ୍ୟ ନିରାପତ୍ତାକୁ ସୁଦୃଢ଼ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ସାକର କନ୍ଦା, ପିତା କନ୍ଦା, ପରିବା କନ୍ଦା, ଭାତ କନ୍ଦା, କନ୍ଦମୂଳ, ସାରୁ, ଶିମିଳି, ମୁସିହା କନ୍ଦା ଆଦି ପାଖାପାଖି ୬-୭ କିସମର କନ୍ଦ ଫସଲ ଚାଷ କରୁଛନ୍ତି। ଖାଦ୍ୟ ତାଲିକାରୁ ହଜିଯାଇଥିବା ଏହି ଜଙ୍ଗଲଜାତ କନ୍ଦ ଫସଲକୁ ପୁଣିଥରେ ଖାଦ୍ୟ ଥାଳିରେ ସାମିଲ କରିବା ସହ ଏନେଇ ସଚେତନତା ସୃଷ୍ଟି କରୁଛନ୍ତି। ବର୍ଷର ବିଭିନ୍ନ ସମୟରେ ଏହିସବୁ କନ୍ଦାକୁ ଚାଷ କରି ଖାଇବା ସହ ବଜାରରେ ବିକ୍ରି କରି ଲାଭବାନ ହୋଇପାରୁଛନ୍ତି। ବିଭିନ୍ନ ମେଳା ମହୋତ୍ସବରେ ସେସବୁକୁ ପ୍ରଦର୍ଶିତ କରି ଏହାର ଉପକାରିତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଉଛନ୍ତି। ଏଥିପାଇଁ ସେମାନଙ୍କୁ ରାଜ୍ୟସ୍ତରୀୟ କୃଷି ମେଳାରେ ଶ୍ରେଷ୍ଠ ଏସ୍ଏଚ୍ଜି ଭାବେ ପୁରସ୍କୃତ ମଧ୍ୟ କରାଯାଇଥିଲା। ବର୍ଷ ତମାମ ବିଭିନ୍ନ ଡାଲି ଜାତୀୟ ଫସଲ ଓ ପନିପରିବା ଚାଷ କରି ବଜାରରେ ବିକ୍ରି କରୁଛନ୍ତି। ଯାହାଦ୍ବାରା ସେମାନେ ରୋଜଗାରକ୍ଷମ ହୋଇପାରିଛନ୍ତି।
କେବଳ ସେତିକି ନୁହେଁ ସେମାନେ ଜୈବିକ ପଦ୍ଧତିରେ ଚାଷପ୍ରଣାଳୀ ପାଇଁ ଆବଶ୍ୟକ ଥିବା ଜୈବିକ ଖତ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି। ସରକାରୀ ପ୍ରୋତ୍ସାହନ ପାଇ ସେମାନେ ଜୈବିକ ଖତ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି। ଚଳିତବର୍ଷ ସେମାନେ ୩୦ ହଜାରରୁ ଅଧିକ ଟଙ୍କାର ଜୈବିକ ଖତ ବିକ୍ରି କରି ଲାଭବାନ ହୋଇପାରିଛନ୍ତି। ରାସାୟନିକ ସାର ପରିବର୍ତ୍ତେ ଜୈବିକ ଖତ ପ୍ରସ୍ତୁତ କରି ପରିବର୍ତ୍ତନର ଧାରା ଧରିଛନ୍ତି।
ଏନେଇ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ସରିତା ପ୍ରଧାନ କହନ୍ତି, ପୂର୍ବରୁ ମହୁଲ, ଭାଲିଆ, ସାଳୁଆ ମଞ୍ଜି, ଟୋଲ, ସିଆଳି ପତ୍ର ଆଦି ସଂଗ୍ରହ କରି ବିକ୍ରି କରୁଥିଲୁ। ଦେଶୀ ଧାନ, ମାଣ୍ଡିଆ, କନ୍ଦ ଫସଲ ହେଉଛି ଆମର ପ୍ରମୁଖ ଖାଦ୍ୟ। ବହୁ ପୁରାତନ କାଳରୁ ଆମ ଖାଦ୍ୟ ସଂସ୍କୃତି ସହ ଜଡ଼ିତ ଦେଶୀ କିସମର ଶସ୍ୟ ଆମର ଭୋକ ମେଣ୍ଟାଇବା ସହ ଖରା, ବର୍ଷା, ଶୀତ ସବୁ ସମୟ ପାଇଁ ଚାଷ ଉପଯୋଗୀ। ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ କୃଷି ପାଇଁ ବଡ଼ ଆହ୍ୱାନ ପାଲଟିଛି। ଏଥିପାଇଁ ଆମ ଗ୍ରାମର ମହିଳାମାନେ ଜୈବିକ ଚାଷକୁ ଗୁରୁତ୍ବ ଦେଇ ଦେଶୀ କିସମ ଫସଲ ଚାଷ କରୁଛୁ। ଏହା ଅଧିକ ଭିଟାମିନ୍ଯୁକ୍ତ ହୋଇଥାଏ। ଏହାସହିତ ଜୈବିକ ଖତ ପ୍ରସ୍ତୁତି ଆମକୁ ରୋଜଗାରର ରାହା ଦେଖାଇଛି। ଏବେ ଆଉ ଫସଲ ନଷ୍ଟର ଭୟ ବି କମ୍ ହୋଇଯାଇଛି। ଯାହାଦ୍ବାରା ମାଆମାନେ ୬ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି। ଆମଠାରୁ ଦେଖି ଆଖପାଖ ଗାଁର ଲୋକମାନେ ଜୈବିକ ପଦ୍ଧତି ମାଧ୍ୟମରେ ଦେଶୀ କିସମ ଫସଲ ଚାଷ କରିଲେଣି। ନିଜ ଖାଦ୍ୟଥାଳିରେ ଦେଶୀ ଖାଦ୍ୟ ସାମିଲ କରିବା ସହ ଅନ୍ୟମାନଙ୍କୁ ଏଥିପାଇଁ ସଚେତନ କରୁଛୁ।
ରିପୋର୍ଟ- ଐଶ୍ବର୍ଯ୍ୟା ପରିଜା