ନୂଆଦିଲ୍ଲୀ: ସାଧାରଣତଃ କଥାରେ ଅଛି ଜୀବନରେ ସବୁବେଳେ କୌଣସି ଜିନିଷକୁ ଗମ୍ଭୀରତା ସହ ନେଇ ଦୁଃଖୀ ହେବା ଉଚିତ ନୁହେଁ। ଯେକୌଣସି ପରିସ୍ଥିତି ହେଉ ନା କାହିଁକି ତାକୁ ସାହସିକତାର ସହ ନେଇ ହସଖୁସିରେ ରହିବା ସ୍ୱାସ୍ଥ୍ୟପକ୍ଷେ ହିତକର ହୋଇଥାଏ। ଏଥିପାଇଁ ହୃଦୟକୁ କଷ୍ଟ ଓ ଆଖିରେ ଲୁହ ଆସିଲା ଭଳି କଥାରୁ ସମସ୍ତେ ନିଜକୁ ଦୂରେଇ ରଖି ଥାଆନ୍ତି। ବିଶେଷ କରି ଏହି କ୍ରମରେ ମହିଳାମାନେ ଆସି ଥାଆନ୍ତି।
କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ମହିଳାମାନଙ୍କୁ କନ୍ଦାଇବା ପାଇଁ ବି ଏକ ପେସା ରହିଛି। ଆଜ୍ଞା ହଁ, ମହିଳାମାନଙ୍କୁ କନ୍ଦାଇ ଲୋକମାନେ ରୋଜଗାର ମଧ୍ୟ କରିଥାଆନ୍ତି। ଏହି କାମ ଜାପାନର ହିରୋକି ତେରାଇ ନାମରେ ଜଣେ ବ୍ୟକ୍ତି କରୁଛନ୍ତି।
ତେରାଇ ଜଣେ ଲେଖକ, ସେ ଏଯାବତ୍ ୧୧ଟି ପୁସ୍ତକ ଲେଖି ସାରିଛନ୍ତି। ସେ ‘କ୍ରାଇଙ୍ଗ ସର୍ଭିସ୍’ର ପ୍ରତିଷ୍ଠାତା ମଧ୍ୟ। ସେ ‘ରୁଇ-କାତସୁ’ ଅର୍ଥାତ୍ ‘ଟିୟର-ସିକିଙ୍ଗ’ ନାମରେ କ୍ରାଇଙ୍ଗ ସେସନ୍ ଚଳାଇ ଥାଆନ୍ତି। ଏଥିରେ ମହିଳାମାନେ ସାମିଲ ହୋଇ କାନ୍ଦି ଥାଆନ୍ତି।
ଅନେକ ଗବେଷଣା କରିବା ପରେ ତେରାଇ କାନ୍ଦିବା ଦ୍ୱାରା ମନୁଷ୍ୟ ସତେଜ ଅନୁଭବ କରିଥାଏ ବୋଲି ସେ ଜାଣିବାକୁ ପାଇଥିଲେ। ଏହାପରେ ସେ ନିଜର ଏହି ଗ୍ରୁପ୍ ବନାଇଥିଲେ। ତେରାଇ ନିଜର ଏହି ଗ୍ରୁପ୍ର ଆରମ୍ଭ ୨୦୧୫ରେ କରିଥିଲେ। ଏହି ଗ୍ରୁପ୍ର ବିଶେଷତ୍ୱ ହେଉଛି, ସୁନ୍ଦର ପୁରୁଷମାନେ ହିଁ ମହିଳାଙ୍କୁ କନ୍ଦାଇ ଥାଆନ୍ତି। କାରଣ ଅଧିକ ସୁନ୍ଦର ଦେଖାଯାଉଥିବା ପୁରୁଷଙ୍କ ସମ୍ମୁଖରେ ମହିଳାମାନେ ଅଧିକ ଭାବପ୍ରବଣ ହୋଇ ପଡ଼ିଥାଆନ୍ତି। ଯେଉଁଥିପାଇଁ ସେମାନେ ଶୀଘ୍ର କାନ୍ଦି ପକାଇ ଥାଆନ୍ତି। ଏହି ଗ୍ରୁପ୍ରେ ଅଧିକାଂଶ ଛାଡପତ୍ର ପାଇଥିବା ଓ ନିଜ କାମକୁ ନେଇ ଚିନ୍ତାରେ ଥିବା ଓ ନିଜର ପାଟନ୍ରକୁ ନେଇ ଖୁସିରେ ନ ଥିବା ମହିଳାମାନେ ସାମିଲ ହୋଇଥାଆନ୍ତି।