ସ୍ବାଧୀନତାର ମହାନାୟକ ମାଳତୀ ଚୌଧୁରୀ

ସ୍ବାଧୀନତା ସଂଗ୍ରାମ, ସମାଜବାଦ ଆନ୍ଦୋଳନ, ଚାଷୀ ଆନ୍ଦୋଳନ, ନିଶା ନିବାରଣ, ଶିଶୁ ଅଧିକାର, ଭୂଦାନ ଆନ୍ଦୋଳନ, ନାଗରିକ ସୁରକ୍ଷା ଆଦି କ୍ଷେତ୍ରରେ ଆଜୀବନ ସକ୍ରିୟ ରହି ଓଡ଼ିଶାବାସୀଙ୍କୁ ସବୁ ପ୍ରକାର ଶୃଙ୍ଖଳରୁ ମୁକ୍ତ କରିବା ପାଇଁ ଉଦ୍ୟମ କରିଥିଲେ ମହାନ ନାରୀ ନେତ୍ରୀ ମାଳତୀ ଚୌଧୁରୀ। ୧୯୦୪ ମସିହା ଜୁଲାଇ ୨୬ରେ କୋଲକାତା ସ୍ଥିତ ମାତୁଳାଳୟରେ ସେ ଜନ୍ମ ହୋଇଥିଲେ। ମାତ୍ର ତିନି ବର୍ଷ ବୟସରେ ସେ ପିତାଙ୍କୁ ହରାଇଥିଲେ। ଏହା ପରେ ମାଆ ତାଙ୍କୁ ନେଇ କୋଲକାତା ଚାଲିଆସିଥିଲେ। ମାଳତୀ ବାଲ୍ୟକାଳରୁ ଅତ୍ୟନ୍ତ ସ୍ବାଧୀନଚେତା ଥିଲେ। ସେଥିପାଇଁ ସେ ଭିକ୍ଟୋରିଆଙ୍କ ନାମରେ ନାମିତ ସ୍କୁଲ୍‌ରେ ପଢ଼ି ମାଟ୍ରିକ୍ ପରୀକ୍ଷା ଦେବାକୁ ମନା କରିଦେଇଥିଲେ। ବେଥୁନ ସ୍କୁଲ୍‌ରୁ ମାଟ୍ରିକ୍‌ ଉତ୍ତୀର୍ଣ୍ଣ ହେବା ପରେ ଷୋହଳ ବର୍ଷ ବୟସରେ ଶାନ୍ତିନିକେତନର ‘ବିଶ୍ବ ଭାରତୀ ବିଶ୍ବବିଦ୍ୟାଳୟ’ରେ ସେ ଯୋଗ ଦେଇଥିଲେ।

ସେଠାରେ ରବୀନ୍ଦ୍ରନାଥ ଠାକୁରଙ୍କ ଆଦର୍ଶରେ ପ୍ରଭାବିତ ହୋଇ ସ୍ନାତକ ଡିଗ୍ରି ସମେତ ସଂଗୀତ, ନୃତ୍ୟ, ନାଟକ ଆଦି ବିବିଧ କଳାରେ ଗଭୀର ଜ୍ଞାନ ଆହରଣ କରିଥିଲେ। ସେହିଠାରେ ହିଁ ତାଙ୍କ ମନରେ ଦେଶପ୍ରେମ ଓ ସ୍ବାଧୀନତା ଆନ୍ଦୋଳନର ବହ୍ନି ପ୍ରଜ୍ବଳିତ ହୋଇଥିଲା। ଶାନ୍ତିନିକେତନରେ ନବକୃଷ୍ଣ ଚୌଧୁରୀଙ୍କ ସହିତ ତାଙ୍କର ଘନିଷ୍ଠତା ବଢ଼ିଥିଲା ଏବଂ ୧୯୨୭ରେ ସେମାନଙ୍କର ବିବାହ ହୋଇଥିଲା। ବିବାହ ପରେ ମାଳତୀ ଓ ନବକୃଷ୍ଣ ଓଡ଼ିଶା ଚାଲିଆସିଥିଲେ। ମାଳତୀ ଓଡ଼ିଶାକୁ ନିଜର ଘର ଓ କର୍ମଭୂମି ଭାବେ ଗ୍ରହଣ କରିନେଇଥିଲେ। ସ୍ବାମୀ ନବକୃଷ୍ଣଙ୍କ ସହିତ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇ ସେ ଗାଁରୁ ଗାଁ ବୁଲି ଖଦି ଓ ସଂଗ୍ରାମ ବାର୍ତ୍ତା ପ୍ରସାର କରୁଥିଲେ। ୧୯୩୦ରେ ସେ ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହରେ ନେତୃତ୍ବ ନେଇ ଓଡ଼ିଶାରେ ଆଲୋଡ଼ନ ସୃଷ୍ଟି କରିଥିଲେ। ତାଙ୍କ ପ୍ରେରଣାରେ ଅନେକ ମହିଳା ଘରୁ ପାଦ କାଢ଼ି ଆନ୍ଦୋଳନରେ ସାମିଲ ହେଲେ।

ସତ୍ୟାଗ୍ରହରେ ଯୋଗଦାନ ପାଇଁ ତାଙ୍କୁ ଛଅ ମାସ କାରାବରଣ କରିବାକୁ ପଡ଼ିଥିଲା। ଜେଲ୍‌ରୁ ମୁକୁଳି ବ୍ରିଟିସ୍‌ ବିରୋଧୀ ଅଭିଯାନରେ ଅଧିକ କ୍ରିୟାଶୀଳ ହୋଇ ପୁଣି ଥରେ ଜେଲ୍ ଯାଇଥିଲେ। ୧୯୩୨ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ। ସମାଜର ଅସହାୟ ବର୍ଗ ସପକ୍ଷରେ ସ୍ବର ଉତ୍ତୋଳନ କରିବାକୁ ସେ କେବେ ପଛାଉ ନ ଥିଲେ। ୧୯୩୦ ଦଶନ୍ଧିରେ ଓଡ଼ିଶାରେ ଯେଉଁ କୃଷକ ଆନ୍ଦୋଳନ ମୁଣ୍ଡ ଟେକିଥିଲା ସେଥିରେ ମାଳତୀ ଦେବୀ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। କୃଷକ ଆନ୍ଦୋଳନ ମାଧ୍ୟମରେ ଜମିଦାର ଓ ସାହୁକାରମାନଙ୍କ ଶୋଷଣକାରୀ ବ୍ୟବସ୍ଥାରୁ ଗରିବ ଚାଷୀଙ୍କୁ ମୁକ୍ତ କରିବା ପାଇଁ ସେ ଅବିଶ୍ରାନ୍ତ ଉଦ୍ୟମ କରିଥିଲେ। ବ୍ରିଟିସ୍ ଶାସନ ଅଧୀନରେ କୃଷକମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଚାଷୀମୂଲିଆଙ୍କୁ ସଚେତନ କରିବା ପାଇଁ ‘ସାରଥୀ’ ନାମକ ସାପ୍ତାହିକ ପତ୍ରିକା ପ୍ରକାଶ କରାଉଥିଲେ। ୧୯୩୩ରେ ମାଳତୀ ଓ ନବକୃଷ୍ଣ ମିଶି ‘ଉତ୍କଳ କଂଗ୍ରେସ ସମାଜବାଦୀ କର୍ମୀ ସଂଘ’ ନାମକ ମାର୍କ୍ସବାଦୀ ସଂଗଠନ ଆରମ୍ଭ କରି ଯାବତୀୟ ଶୋଷଣ, ଜାତିଭେଦ ଓ ଅସ୍ପୃଶ୍ୟତା ବିରୋଧରେ ସ୍ବର ଉତ୍ତୋଳନ କରୁଥିଲେ।

୧୯୩୪ରେ ଓଡ଼ିଶାରେ ମହାତ୍ମା ଗାନ୍ଧୀଙ୍କ ପଦଯାତ୍ରା ବେଳେ ତାଙ୍କ ସହ ମାଳତୀ ଦେବୀ ସାମିଲ ହୋଇଥିଲେ। ସେ ଭାରତଛାଡ଼ ଆନ୍ଦୋଳନରେ ଯୋଗ ଦେଇ ୧୯୪୩ରୁ ୧୯୪୫ ପର୍ଯ୍ୟନ୍ତ ଜେଲ୍‌ରେ ରହିଥିଲେ। ଜେଲଦଣ୍ଡ ଭୋଗୁଥିବା ପ୍ରଜାମଣ୍ଡଳ ସଂଗ୍ରାମୀଙ୍କ ପିଲାମାନଙ୍କ ଶିକ୍ଷା ପାଇଁ ସେ ୧୯୪୬ରେ ଅନୁଗୁଳଠାରେ ବାଜିରାଉତ ଛାତ୍ରବାସ ପ୍ରତିଷ୍ଠା କରିଥିଲେ। ଏହା ପରେ ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ହୋଇଥିଲେ। ସ୍ବାଧୀନତା ହାସଲର ଠିକ୍ ପୂର୍ବରୁ ବଙ୍ଗ ପ୍ରଦେଶରେ ସାମ୍ପ୍ରଦାୟିକ ଦଙ୍ଗା ଚାଲିଥିବା ବେଳେ ଶାନ୍ତି ସ୍ଥାପନ ପାଇଁ ଗାନ୍ଧୀଜୀ ସେଠାରେ ପଦଯାତ୍ରା କରିଥିଲେ। ମାଳତୀ ଦେବୀ ମଧ୍ୟ ସେହି ପଦଯାତ୍ରାରେ ସାମିଲ ହୋଇଥିଲେ। ସେ ଓଡ଼ିଶାରୁ କଂଗ୍ରେସ ଟିକେଟରେ ସମ୍ବିଧାନ ସଭାର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ।

ତେବେ ଗାନ୍ଧୀଙ୍କ ସହିତ କାର୍ଯ୍ୟ କରିବା ପାଇଁ ସମ୍ବିଧାନ ସଭାରୁ ଇସ୍ତଫା ଦେଇଥିଲେ। ସ୍ବାଧୀନତା ପରେ ସେ ଦଳିତ, ଆଦିବାସୀ ଓ ମହିଳାଙ୍କ ଅଧିକାର ପାଇଁ କାର୍ଯ୍ୟ କରିବା ଜାରି ରଖିଥିଲେ। ୧୯୪୮ରେ ଅନ୍ୟ ସ୍ବାଧୀନତା ସଂଗ୍ରାମୀଙ୍କ ସହ ମିଶି ସେ ଉତ୍କଳ ନବଜୀବନ ମଣ୍ଡଳ ଗଠନ କରି ଏହାର ପରିଚାଳନା ଦାୟିତ୍ବ ବହନ କରିଥିଲେ। ସ୍ବାମୀ ନବକୃଷ୍ଣ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ସରକାରୀ ବାସଭବନରେ ନ ରହି ଜନସେବା ପାଇଁ ଓଡ଼ିଶାର ଦୂର ଦୂରାନ୍ତ ଅଞ୍ଚଳରେ ଘୂରି ବୁଲୁଥିଲେ। ୧୯୭୫ରେ ଇନ୍ଦିରା ଗାନ୍ଧୀଙ୍କ ଜରୁରୀ ପରିସ୍ଥିତିକୁ ବିରୋଧ କରି ଜେଲ୍ ଯାଇଥିଲେ। ୧୯୯୮ ମାର୍ଚ୍ଚ ୧୫ ତାରିଖରେ ମାଳତୀ ଚୌଧୁରୀଙ୍କର ପରଲୋକ ଘଟିଥିଲା।

ସମ୍ବନ୍ଧିତ ଖବର