ଏମିତି ହୋଟେଲ୍‌, ଯେଉଁଠି ସବୁ କାମ କରନ୍ତି ମହିଳା

ଭୁବନେଶ୍ବର (ସସ୍ମିତା ସାହୁ): ‘ସେଫ୍’ କହିଲେ ଧଳା ଜାମା ପ୍ୟାଣ୍ଟ୍‌ ପିନ୍ଧା ଓ ଲମ୍ବା ଧଳା ଟୋପି ପିନ୍ଧା ପୁରୁଷଟିଏର ଛବି ଆଖିରେ ଉଙ୍କିମା‌ରେ। ତାରକା ହୋଟେଲ ହେଉ କି ଛୋଟ ରେସ୍ତୋଁରା କିମ୍ବା ଢାବା। ପୁଣି ବିବାହ, ବ୍ରତରେ କ୍ୟାଟ୍‌ରିଂ ବ୍ୟବସ୍ଥା। ସବୁଠି ପୁରୁଷଙ୍କୁ ହିଁ ରୋଷେୟା ଭାବେ ଦେଖିବାକୁ ମିଳେ। ଘର ଭିତରେ ରୋଷେଇ ମହିଳାମାନଙ୍କ ନିତି ଦିନିଆ କାର୍ଯ୍ୟ ହୋଇଥିଲେ ବି ବାହାରେ ସ୍ଥିତି ଭିନ୍ନ ଥାଏ। କିନ୍ତୁ ରାଜଧାନୀରେ ବସ୍ତିର କିଛି ମହିଳା ଘରେ କରୁଥିବା ନିତିଦିନିଆ କାର୍ଯ୍ୟକୁ ପେଶା ଭାବେ ବାଛି ନେଇଛନ୍ତି। ନିଜ ହାତରୁ କିଛି କିଛି ଟଙ୍କା ମିଶାଇ ଖୋଲିଛନ୍ତି ଏକ ହୋଟେଲ। ଯେଉଁଠି ରୋଷେଇ ଠାରୁ ଆରମ୍ଭ କରିବା ପରସିବା ଓ ବାସନମଜା ପର୍ଯ୍ୟନ୍ତ ସବୁ କାମ ମହିଳାମାନେ କରୁଛନ୍ତି। ଉଦ୍ଦେଶ୍ୟ ହେଲା ନିଜକୁ ନିଜେ ପ୍ରତିପାଦିତ କରିବା ଓ ସ୍ବାବଲମ୍ବୀ ହେବା।

ଆଚାର୍ଯ୍ୟ ବିହାରରୁ ସାଇନ୍ସ ପାର୍କ ଆଡ଼କୁ ଗଲେ ସାଇନ୍ସ ପାର୍କ ଗଳି ସାମ୍ନାରେ ଦେଖିବାକୁ ମିଳିବ ଏହି ହୋଟେଲ। ସାଇନ୍ସ ପାର୍କ ବସ୍ତିର ‘ଶ୍ରୀଧର ନାଥ ମହିଳା ସମିତି’ର ୨୫ ଜଣ ମହିଳା ନିଜକୁ ସ୍ବାବଲମ୍ବୀ କରିବାକୁ ବାଛି ନେଇଛନ୍ତି ଏହି ଜୀବିକା। ପ୍ରାୟ ୭ ବର୍ଷ ତଳେ ସମସ୍ତେ ୧ ହଜାର ଟଙ୍କା ଲେଖାଏଁ ସଂଗ୍ରହ କରି ଆରମ୍ଭ କରିଥିଲେ ହୋଟେଲ। ସରକାରଙ୍କ ଜନଧନ ଯୋଜନାରୁ ମିଳିଥିବା ଟଙ୍କାରେ ହୋଟେଲ ପାଇଁ ଫ୍ରିଜ୍‌ ସହ କିଛି ଆବଶ୍ୟକୀୟ ସାମଗ୍ରୀ କିଣାଯାଇଥିଲା। ଏହାପରେ ସମସ୍ତେ ମିଳିମିଶି ହୋଟେଲକୁ ଆଗେଇ ନେଇଥିଲେ। ପରିବା କଟାଠାରୁ ଆରମ୍ଭ କରି ମସଲା ବଟା, ରୋଷେଇ, ଗ୍ରାହକଙ୍କୁ ଖାଦ୍ୟ ପରସିବା ଓ ବାସନା ମଜା ପର୍ଯ୍ୟନ୍ତ ସମସ୍ତେ ମିଳିମିଶି ଏହି କାମ କରନ୍ତି। ଦିନକୁ ପ୍ରାୟ ଏଠାରେ ୨୦୦ ଲୋକଙ୍କ ପାଇଁ ରୋଷେଇ ହେଉଛି। ସାଦା ଥାଳି ୪୦ ଟଙ୍କା ରହିଥିବା ବେଳେ ବିଭିନ୍ନ ଆମିଷର ଦାମ ଭିନ୍ନ ଭିନ୍ନ ରହିଛି। ମାସକୁ ପ୍ରାୟ ୧୫ ହଜାରରୁ ଅଧିକ ଲାଭ ହେଉଥିବା ବେଳେ ସମସ୍ତେ ଭାଗବଣ୍ଟା କରି ଏହି ଟଙ୍କାକୁ ନିଅନ୍ତି।

ଏହି ସମିତିର ମୁଖ୍ୟ ଗୋଲାପ ବଇରିଗଞ୍ଜନ କୁହନ୍ତି, ଘରର ପୁରୁଷମାନେ ଦିନ ସାରା ଖଟି ଯେଉଁ ଟଙ୍କା ଆଣନ୍ତି, ରାତିରେ ତାହା ମଦ ଭାଟିରେ ଯାଏ। ପରିବାର ଚଳାଇବା ତଥା ପିଲାଙ୍କ ଭବିଷ୍ୟତ ପାଇଁ ଆମକୁ କିଛି କରିବାକୁ ପଡ଼ିବ ଭାବି ଘରୁ ଗୋଡ଼ କାଢ଼ିଥିଲୁ। ପ୍ରଥମେ ବାବୁମାନଙ୍କ ଘରେ କାମ କରୁଥିଲୁ। କିନ୍ତୁ ସେମାନଙ୍କର କଟୁ କଥା ଓ ଶୋଷଣ ନୀତି ଆମ ସହିବା ଶକ୍ତିର ବାହାରେ ଥିଲା। ତା’ପରେ ବିଏମ୍‌ସି ମହିଳା ଭେଣ୍ଡିଂ ଜୋନ୍‌ରେ ସମସ୍ତେ ପଇସା ସଂଗ୍ରହ କରି ଏକ ଦୋକାନ ଦେଲୁ। ତାକୁ ବି ବୁଲ୍‌ଡୋଜର ଚଢ଼ାଇ ଭାଙ୍ଗିଦେଲେ। ବର୍ତ୍ତମାନ ଏହି ହୋଟେଲ ହିଁ ଆମ ୨୫ ପରିବାରର ସାହା ଭରସା। ସରକାରଙ୍କ ପକ୍ଷରୁ କିଛି ସାହାଯ୍ୟ ମିଳିଲେ କିମ୍ବା ଜାଗା ଟିକେ ଦେଲେ ଆମେ ଏହାକୁ ଆହୁରି ବଢ଼ାଇ ପାରନ୍ତୁ। ଶାନ୍ତିଲତା ସାହୁ, ରଞ୍ଜନା ବାରିକ, ସଞ୍ଜୁଲତା ଖୁଣ୍ଟିଆ, ରଞ୍ଜିତା ମହାପାତ୍ର, ବନିତା ସାହୁ, ରଜନୀଗନ୍ଧା ସାହୁ, ସତ୍ୟଭାମା ସାହୁ, ଲକ୍ଷ୍ମୀ ପରିଡ଼ା, ଗୋଲାପ ପରିଡ଼ା ସମେତ ୨୫ ଜଣ ମହିଳା ଏହି ହୋଟେଲକୁ ସମ୍ଭାଳିବା ତଥା ବଢ଼ାଇବାକୁ ହାଡ଼ ଭଙ୍ଗା ପରିଶ୍ରମ କରିଚାଲିଛନ୍ତି। ଆଜି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଏହି ମହିଳାମାନଙ୍କ ଉଦ୍ୟମ ନିଶ୍ଚିତ ପ୍ରଶଂସନୀୟ।

ସମ୍ବନ୍ଧିତ ଖବର