ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ମହିଳା ନେଉଛନ୍ତି ନେତୃତ୍ବ

ଭାରତୀୟ ସେନାବାହିନୀର ମହିଳା ଅଧିକାରୀମାନେ ନିଜ ନେତୃତ୍ବ ନେବାର ବଳିଷ୍ଠ ଦକ୍ଷତା ପ୍ରଦର୍ଶନ କରିଆସୁଛନ୍ତି। ଭାରତ ସରକାର ମଧ୍ୟ ମହିଳା ଅଧିକାରୀଙ୍କ ଲାଗି ସେନାବାହିନୀରେ ଅନେକ ନୂଆ ସୁଯୋଗ ଉନ୍ମୁକ୍ତ କରିଛନ୍ତି। ଏଥର କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ହେଉଥିବା ୭୪ତମ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଅନେକ ମହିଳା ଅଧିକାରୀ ନିଜ ନିଜ ସାମରିକ ଦଳର ନେତୃତ୍ବ ନେଉଛନ୍ତି।

ସେମାନଙ୍କ ମଧ୍ୟରେ ଅଛନ୍ତି ନୌବାହିନୀର ଏଆର୍ ଅପରେସନ୍‌ସ ଅଧିକାରୀ ଲେ​ଫ୍‌ଟନାଣ୍ଟ କମାଣ୍ଡର୍‌ ଦିଶା ଅମୃତ ଯିଏ ୧୪୪ ଜଣିଆ ନୌବାହିନୀ ଦଳର ନେତୃତ୍ବ ନେବେ। ମହିଳାଙ୍କ ଦକ୍ଷତା ଓ କ୍ଷମତା ପ୍ରଦର୍ଶନ ପାଇଁ ଏଥର ନୌବାହିନୀ ପ୍ରଜ୍ଞାପନ ମେଢ଼ର ଥିମ୍ ‘ନାରୀ ଶକ୍ତି’ ରଖାଯାଇଛି। ସେହିପରି ସ୍ବଦେଶରେ ନିର୍ମିତ ଭୂପୃଷ୍ଠରୁ-ବାୟୁ କ୍ଷେପଣାସ୍ତ୍ର ବ୍ୟବସ୍ଥା ‘ଆକାଶ’ର ନେତୃତ୍ବ ନେବେ ଲେଫ୍‌ଟନାଣ୍ଟ ଚେତନା ଶର୍ମା। ସ୍କ୍ବାଡ୍ରନ୍ ଲିଡର୍‌ ସିନ୍ଧୁ ରେଡ୍ଡି ଭାରତୀୟ ବାୟୁସେନା ପରେଡ୍‌ ଦଳର ନେତୃତ୍ବ ନେବେ ଯେଉଁଥିରେ ଚାରି ଜଣ ଅଧିକାରୀଙ୍କ ସମେତ ୧୪୪ ସେନାନୀ ଭାଗ ନେଇଛନ୍ତି।

ସିନ୍ଧୁ ‘ଏମ୍‌ଆଇ-୧୭’ ଯୁଦ୍ଧ ହେଲିକପ୍ଟରର ଜଣେ ପାଇଲଟ୍‌। ଅପରପକ୍ଷେ ‘କର୍ପୋସ୍ ଅଫ୍ ସିଗ୍‌ନାଲ୍‌ସ’ର ଲେଫ୍‌ଟନାଣ୍ଟ ଡିମ୍ପଲ ଭାଟି ଦୁଃସାହସିକ ମଟରସାଇକେଲ୍ ଦଳରେ ବିଶେଷ ଅଂଶ ହୋଇଛନ୍ତି। ସେ ଏଥିପାଇଁ ଏକ ବର୍ଷ ଧରି ପ୍ରଶିକ୍ଷଣ ନେଇଥିଲେ।

ଏ ବର୍ଷ ପ୍ରଥମ ଥର ପାଇଁ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଅଧୀନସ୍ଥ ଓଟ ବାହିନୀ ଦଳରେ ମହିଳା ଅଧିକାରୀମାନେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର