୪ ବର୍ଷ ପୂର୍ବେ ମରିଯାଇଥିବା କୁନି ଝିଅକୁ ଭେଟିଲେ ମା’ ! ମନଭରି ଗପିଲେ, ଏକାଠି ଖେଳିଲେ, ଝିଅକୁ ଗେହ୍ଲା କଲେ ମା’

ସିଓଲ୍ : ଯଦି ଜଣେ ବ୍ୟକ୍ତି ମୃତ୍ୟୁ ହୋଇଯାଏ, ତେବେ ଆମେ ତାକୁ ଆଉ ସ୍ବଚକ୍ଷୁରେ ଦେଖି ପାରୁନାହିଁ।  କେବଳ ଯାହା ତା’ର ଫଟୋ କିମ୍ବା ଭିଡିଓ ଦେଖି ତାକୁ ମନେପକାଉ।  କିନ୍ତୁ ଥରେ ଭାବନ୍ତୁ ତ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ଯଦି ଆପଣ ତାଙ୍କ ସହ ସାକ୍ଷାତ କରିପାରିବେ, ତେବେ ଆପଣ କେମିତି ଅନୁଭବ କରିବେ ! ଆଶ୍ଚର୍ଯ୍ୟଜନକ ମନେ ହେଲେ ବି ଏମିତି ହିଁ କିଛି ଘଟଣା ଘଟଛି।

ନିକଟରେ ଜଣେ  ମହିଳା ଦୀର୍ଘ ୪ ବର୍ଷ ପୂର୍ବରୁ ମୃତ୍ୟୁମୁଖରେ ପଡ଼ିଥିବ‌ା  ନିଜର ୭ ବର୍ଷର ଝିଅକୁ ଭେଟିଛନ୍ତି। ୨୦୧୬ରେ ଏକ ଅଜ୍ଞାତ ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିଲା ଝିଅ। ଦକ୍ଷିଣ କୋରିଆର ଏକ ଚାନେଲରେ ପ୍ରସାରିତ ହେଉଥିବା  ‘ମିଟିଙ୍ଗ ୟୁ’  ଟିଭି ସୋ ଜରିଆରେ ଏଭଳି ଅଭୂତପୂର୍ବ ଘଟଣା ଘଟିଛି।  ଏହି ସୋ’ରେ ନିଜର ମରିଯାଇଥିବା ଝିଅକୁ ଭେଟିଛନ୍ତି ଜଣେ ମା । ଅତ୍ୟାଧିନିକ ପ୍ରଯୁକ୍ତି ପାଇଁ ଏହା ସମ୍ଭବ ହୋଇପାରିଛି।

ମା’-ଝିଅ କେବଳ ପରସ୍ପରକୁ ଭେଟିନାହାନ୍ତି, ଦୁହେଁ ପରସ୍ପରକୁ ଛୁଇଁଛନ୍ତି । ଏକାଠି ଖେଳିଛନ୍ତି ଏବଂ ନିଜ ଝିଅକୁ ମନଭରି ଗେହ୍ଲା ମଧ୍ୟ କରିଛନ୍ତି ମା । ଆର ପାରି‌ରେ ଥିବା ନିଜ ଝିଅକୁ ପୁଣି ଥରେ ଦେଖା କରିବାକୁ ଆସିବେ ବୋଲି କଥା ମଧ୍ୟ ଦେଇଛନ୍ତି ମା’ । ଏହି ମା’ଙ୍କ ନାଁ ହେଉଛି ଜଙ୍ଗ-ଜି-ସୁଙ୍ଗ ଆଉ ଝିଅଟିର ନାଁ ହେଉଛି ନେଇୟାନ୍ ।

www.boredpanda.com

ଅତ୍ୟାଧୁନିକ ପ୍ରଯୁକ୍ତି  ଭର୍ଚୁଆଲ୍ ରିୟଲିଟି ମାଧ୍ୟମରେ ଏହା ସମ୍ଭବ ହୋଇପାରିଛି । ଭର୍ଚୁଆଲ୍ ରିୟଲିଟି ଜରିଆରେ ଝିଅ ନେଇୟାନର ଶରୀରକୁ ସମ୍ପୂର୍ଣ୍ଣ ଗଢାଯାଇଥିଲା । ତା’ ସ୍ୱର ମଧ୍ୟ ସେଥିରେ ଖଞ୍ଜା ଯାଇଥିଲା । ପୂରା ସେହିଭଳି ଭାବେ ଝିଅଟିକୁ ଗଢା ହୋଇଥିଲା, ଯେମିତି ବାସ୍ତବରେ ସେ ଦେଖାଯାଉଥିଲା । ଏହାକୁ ‘୭ଡି ଟେକ୍ନୋଲୋଜି’ କୁହାଯାଉଛି । ଯେଉଁଥିରେ ଆପଣଙ୍କୁ ସବୁକିଛି ସତ ଭଳି ଲାଗିବ ।

ଟିଭି ସୋ’ରେ ମହିଳାଙ୍କୁ ପଚରାଯାଇଥିଲା, କ’ଣ ଆପଣ ନିଜ ଝିଅକୁ ସବୁବେଳେ ମନେ ପକାଉଛନ୍ତି । ସେ କହିଥିଲେ, ହଁ, ମୋ ଝିଅକୁ ମୁଁ ସବୁବେଳେ ମନେ ପକାଉଛି । ଆଉ ଅନ୍ୟପଟୁ ଉତ୍ତର ଆସିଥିଲା, ମା’ ମୁଁ ମଧ୍ୟ ତୁମକୁ ବହୁତ ମନେ ପକାଉଛି । ଝିଅ ନେଇୟାନର  ସ୍ବର ଶୁଣି  ଚମକି ପଡ଼ିଥିଲେ ମହିଳା।

ଦୀର୍ଘ ୪ ବର୍ଷ ପରେ ନିଜ ଝିଅକୁ ପୁଣି କୋଳରେ ପାଇ ମାଙ୍କ ଆଖିରେ ଲୁହ ଚାଲିଆସିଥିଲା । ହୁଏତ ଅତ୍ୟାଧୁନିକ ପ୍ରଯୁକ୍ତି  ଦ୍ୱାରା ଏହା ସମ୍ଭବ ହୋଇଥିଲା, କିନ୍ତୁ ନିଜ ଝିଅକୁ ପାଖରେ ପାଇ ତାକୁ ମନଭରି ଗେହ୍ଲା କରିଥିଲେ ମା ।

ଆଉ ଏହାରି ଭିତରେ ବଡ ପ୍ରଶ୍ନ ଉଠୁଛି, ଜଣେ ମରିଯାଇଥିବା ବ୍ୟକ୍ତିକୁ ତାଙ୍କ ପରିବାର ପରିଜନଙ୍କ ସହ ସାକ୍ଷାତ କରାଇବା ନୈତିକତା ଆଧାରରେ ଠିକ୍ ନା ଭୁଲ୍ । ଏବେ ସାରା ଦୁନିଆରେ ଏହାକୁ ନେଇ ଆରମ୍ଭ ହୋଇଛି ବଡ଼ ବିତର୍କ ।

ସମ୍ବନ୍ଧିତ ଖବର