ଭୁବନେଶ୍ବର: କଳିଙ୍ଗ ସବୁବେଳେ ମହିଳାଙ୍କୁ ଗୁରୁତ୍ବ ଦେଇ ଆସିଛି। ଏଠାକାର ଦୁଇଟି କାହାଣୀ ଇତିହାସରେ ସବୁଠାରୁ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଗୋଟିଏ ସମ୍ରାଟ ଆଶୋକଙ୍କ ପରିବର୍ତ୍ତନ। ଅନ୍ୟଟି ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ବିରାଜମାନ। ଦୁଇଟି ଯାକ କାହାଣୀରେ ମହିଳାଙ୍କ ଭୂମିକା ରହିଛି। ମାତ୍ର କିଛି ବର୍ଷ ହେଲା ମହିଳାମାନେ ଅନେକ ସମସ୍ୟାର ସାମ୍ନା କରୁଛନ୍ତି। ଶିଶୁଙ୍କ ସହ ବହୁତ କିଛି ଘଟୁଛି। କୋଲକାତାରେ ମହିଳା ଡାକ୍ତରଙ୍କ ସହ ଦୁର୍ବ୍ୟବହାର ହେଉ କି ଓଡ଼ିଶାରେ ନାରୀଙ୍କ ପ୍ରତି ଅପମାନ। ଏଭଳି କିଛି ଘଟଣା ଆମ ମୁଣ୍ଡ ତଳକୁ କରିଦେଇଛି। ବର୍ତ୍ତମାନ ସମୟରେ ମହିଳାଙ୍କ ପାଇଁ ସବୁଠାରୁ ଯଦି କିଛି ଅଧିକ ଆବଶ୍ୟକତା ରହିଛି ତାହା ହେଉଛି ସେମାନଙ୍କୁ ଶାରୀରିକ ଓ ମାନସିକ ସୁରକ୍ଷା ପ୍ରଦାନ। ଏଥିପାଇଁ ସମସ୍ତେ ଏକାଠି ହେବାକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ ଆହ୍ବାନ କରିଛନ୍ତି।

Advertisment

ସଫଳ ମହିଳାଙ୍କୁ ପ୍ରୋତ୍ସାହିତ କରିବାକୁ ‘କନକ ନ୍ୟୁଜ୍‌’ ପକ୍ଷରୁ ଆୟୋଜିତ ‘ଅନନ୍ୟା’ କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ କହିଲେ, ଏବେ ମହିଳା ଘରୁ ପଦାକୁ ବାହାରିବା ସମୟରେ ବହୁ କଥା ଭାବିବାକୁ ପଡ଼ୁଛି। ସେମାନଙ୍କ ସୁରକ୍ଷା କଥା ଚିନ୍ତା କରିବାକୁ ହେଉଛି। କାରଣ ନାରୀମାନଙ୍କ ପ୍ରତି ସମାଜର ମାନସିକତା ଏପର୍ଯ୍ୟନ୍ତ ବଦଳିପାରି ନାହିଁ। ଯେତେ ଉଦ୍ୟମ କରିଲେ ମଧ୍ୟ ଆମେ ତ ସମାଜର ମାନସିକତା ପରିବର୍ତ୍ତନ କରିପାରିବା ନାହିଁ। ତେଣୁ ଝିଅଙ୍କୁ ସୁରକ୍ଷା ଦେବାକୁ ପଡ଼ିବ। ସେମାନଙ୍କ ଶକ୍ତି ବୁଝିବାକୁ ହେବ। ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଦକ୍ଷତା ଦିଶିବା ଜରୁରି। କାରଣ ଅଧା ମା‌ଟି ଓ ଅଧା ଆକାଶ ହେଉଛି ସେମାନଙ୍କର। ଦେଶର ୧୬% ମହିଳା ସୈନ୍ୟବାହିନୀରେ ଥିବା ବେଳେ ନୌସେନାରେ ୧୭ରୁ ୧୮%, ଏୟାରଫୋର୍ସରେ ୧୮ରୁ ୧୯%, ପୁଲିସରେ ୨୫% ମହିଳା ରହିଛନ୍ତି। ଦେଶର ସୁରକ୍ଷାରେ ମହିଳାଙ୍କ ଭାଗୀଦାର ବଢ଼ୁଛି। ଅନ୍ୟ କ୍ଷେତ୍ରରେ ସେମାନଙ୍କୁ ସୁଯୋଗ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ ଯୋଗଦେଇ କହିଲେ, ଜନସଂଖ୍ୟାର ୪୮% ହେଉଛନ୍ତି ମହିଳା। ତାହା କିଭଳି ୫୦% ହେବ ସେଥିପ୍ରତି ‘ସମ୍ବାଦ’ ପରିବାର ସବୁବେ‌ଳେ ପ୍ରୟାସ ଜାରି ରଖିଛି। ‘ଓଡ଼ିଶା-୫୦’ ମାଧ୍ୟମରେ ଗ୍ରାମାଞ୍ଚଳର ମହିଳା ଉଦ୍ୟୋଗୀମାନଙ୍କୁ ସାମ୍ନାକୁ ଆଣିପାରିଛୁ। ସେମାନେ ନିଜେ ସ୍ବାବଲମ୍ବୀ ହେବା ସହ ସଶକ୍ତ ହେଉଛନ୍ତି। ପରିବାରର ପ୍ରତିଟି ସଦସ୍ୟ ମହିଳାମାନଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳୁଛି। ଟେକ୍ନୋଲୋଜି ସହ ଯୋଡ଼ି ହୋଇ ସେମାନେ ଆଗକୁ ବଢ଼ୁଛନ୍ତି ବୋଲି ସେ କହିଥିଲେ।

‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ ସମ୍ପାଦକ ତନୟା ପଟ୍ଟନାୟକ ସ୍ବାଗତ ଭାଷଣ ଦେଇ କହିଲେ, ମହିଳାମାନେ ସବୁବେଳେ ଆହ୍ବାନର ସାମ୍ନା କରିଥାନ୍ତି। ବିଶେଷ କରି କର୍ମଜୀବୀ ମହିଳାଙ୍କ ପାଖରେ ଯେଉଁ ସମ୍ଭାବନା ଓ କ୍ଷମତା ରହିଛି, ସେମାନେ ପୂରା ପିଢ଼ିକୁ ନିର୍ମାଣ କରିପାରିବେ। କେବଳ ସେମାନଙ୍କ କ୍ଷମତାକୁ ଚିହ୍ନିବାକୁ ପଡ଼ିବ ଏବଂ ସମର୍ଥନ କରିବାକୁ ହେବ। ମହିଳାଙ୍କ ଉପରେ କେବଳ ଭାଷଣ ନ ଦେଇ ସେମାନଙ୍କୁ ସମର୍ଥନ କରିବାକୁ ସେ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଉପସ୍ଥିତ ରହି ସଫଳ ମହିଳା ବ୍ୟକ୍ତିତ୍ବ ଓ ଆଲୋଚକମାନଙ୍କୁ ସମ୍ମାନିତ କରିଥିଲେ। ଉଦ୍‌ଘାଟନୀ ଉତ୍ସବ ପରେ ‘ହାତ ମୁଠାରେ ଆକାଶ’, ‘ଆମେ ନେବୁ ନେତୃତ୍ବ’, ‘ଆମେ ଅନନ୍ୟା’ ଅଧିବେଶନରେ ବିଭିନ୍ନ କ୍ଷେତ୍ରର ବି‌ଶିଷ୍ଟ ମହିଳାମାନେ ସାମିଲ ହୋଇ ମତପ୍ରକାଶ କରିଥିଲେ।