ମହିଳାଙ୍କ ଗାଁ, ପୁରୁଷଙ୍କୁ ନା

ଉତ୍ତର କେନିଆର ଉମୋଜା ନାଁରେ ଏକ ଗାଁ ରହିଛି। ଏହି ଗାଁରେ ପୁରୁଷଙ୍କୁ ରହିବାକୁ ବାରଣ କରାଯାଇଛି। ଏହି ଗାଁଟି ବେଶୀ ବର୍ଷର ନୁହେଁ। ୧୯୯୦ ମସିହାରେ ଏହି ଗାଁଟି ଗଢ଼ି ଉଠିଛି। ବ୍ରିଟିଶ୍‌ ସୈନିକଙ୍କ ଦ୍ୱାରା ବଳାତ୍କାରର ଶିକାର ହୋଇଥିବା ରିବେକା ଲୋଲସଲି ଅନ୍ୟ ଚଉଦ ଜଣ ମହିଳାଙ୍କ ସହ ମିଶି ଏହି ଗାଁଟି ଏଇଠି ସ୍ଥାପନ କରିଥିଲେ। ଏହି ସମସ୍ତ ମହିଳା ସମ୍ବୁରୁ ଜନଜାତିର ଥିଲେ। ୨୦୧୫ରେ ଏହି ଗାଁର ଜନସଂଖ୍ୟା ପ୍ରାୟ ଅଢ଼େଇଶହ ଛୁଇଁ ସାରିଛି। ଏମାନଙ୍କ ମଧ୍ୟରେ ୪୭ ମହିଳା ଏବଂ ୨୦୦ ଶିଶୁ ରହିଛନ୍ତି। ଏବେ ଏହି ଗାଁଟି ଯୌନ ଉତ୍ପୀଡ଼ନ, ବାଲ୍ୟ ବିବାହ ପରି ମହିଳା ବିରୋଧୀ ସାମାଜିକ ବ୍ୟବସ୍ଥା ଓ ବ୍ୟଭିଚାର ବିରୋଧରେ ନିଜର ସଂଗ୍ରାମ ଜାରି ରଖିଛି। ଏବେ ଏଠାରେ ସ୍କୁଲ୍‌ ଏବଂ କ୍ଲିନିକ୍‌ ମଧ୍ୟ ଖୋଲି ସାରିଛି।
୧୯୯୦ ପୂର୍ବରୁ ଏହି ଅଞ୍ଚଳର ସମ୍ବୁରୁ ଜନଜାତିରେ ମୁଖ୍ୟତଃ ପିତୃକୈନ୍ଦ୍ରିକ ପ୍ରଥା ଜାରି ରହିଥିଲା। ଏଠାରେ ମହିଳା ମାନଙ୍କର ଜମି କିଣିବା କିମ୍ବା ନିଜ ନାମରେ ରଖିବାର ଅଧିକାର ନ ଥିଲା। ଏସବୁ ପୁରୁଷଙ୍କ ଜାଗିର ବୋଲି ବିଚାର କରା ଯାଉଥିଲା। ବୁଢ଼ାମାନଙ୍କ ସହ ଛୋଟ ଝିଅମାନଙ୍କର ବିବାହ କରି ଦିଆଯାଉଥିଲା। ୧୯୯୦ ଦଶକର ପ୍ରାରମ୍ଭରେ ପ୍ରାୟ ୬୦୦ ମହିଳା ବ୍ରିଟିଶ୍‌ ସୈନିକଙ୍କ ଦ୍ୱାରା ବଳାତ୍କାରର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ସେହି ମହିଳାଙ୍କର ସ୍ୱାମୀ ସେମାନଙ୍କୁ ଅପବିତ୍ର ହୋଇ ଯାଇଥିବା କହି ତ୍ୟାଗ କରି ଦେଇଥିଲେ। ବଳାତ୍କାରର ଶିକାର ହୋଇଥିବା ଆଉକିଛି ମହିଳା ଏଡ୍‌ସ୍‌ କିମ୍ବା ଅନ୍ୟ କୌଣସି ଯୌନରୋଗରେ କାଳେ ପୀଡ଼ିତ ହୋଇଥିବେ ଡରରେ ସେମାନଙ୍କ ସ୍ୱାମୀ ସେମାନଙ୍କୁ ତ୍ୟାଗ କରିଥିଲେ। ଏହି ମହିଳାଙ୍କ ମଧ୍ୟରୁ ମାତ୍ର ପନ୍ଦର ଜଣ ମିଶି ଉମୋଜା ନାଁରେ ଗାଁଟିଏ ଏଠି ସ୍ଥାପନ କରିଥିଲେ। ପ୍ରଥମେ ସେମାନଙ୍କୁ ଅନେକ ସମସ୍ୟାର ଶିକାର ହେବାକୁ ପଡ଼ିଥିଲା। ଉଭୟ ଶାରୀରିକ ଓ ମାନସିକ କଷଣ ସହିବାକୁ ପଡ଼ିଥିଲା।


ଉମୋଜା ଗାଁଟି କେନିଆର ଉତ୍ତର ଭାଗରେ ତଥା ରାଜଧାନୀ ନାଇରୋବିଠାରୁ ପ୍ରାୟ ୨୮୦ କିଲୋମିଟର ଦୂରରେ ଅବସ୍ଥିତ। ଏଠାରେ ଖୋଲା ଘାସ ପଡ଼ିଆରେ ମାଟି ଓ ଗାଈଗୋବର ମିଶାଇ ଘର ତିଆରି କରାଯାଇଥାଏ। ଏହି ଘରର ଚାରି ପାଖରେ କଣ୍ଟାର ପାଚେରି କରାଯାଇଥାଏ। ଏହି ଗାଁର ମୁଖ୍ୟ ଆୟ ମହିଳାମାନେ ବିଭିନ୍ନ ପ୍ରକାରର ଆଭୂଷଣ ପ୍ରସ୍ତୁତ କରି ବିକ୍ରୟ କରିଥା’ନ୍ତି। ଏହାବାଦ୍‌ ଗାଁର ବାହାରକୁ ଯାଇ ଟୁରିଷ୍ଟ୍‌ମାନଙ୍କୁ ସହାୟତା କରିଥା’ନ୍ତି। ଆହୁରିମଧ୍ୟ ଘରେ କମ୍‌ ଆଲ୍‌କୋହଲ୍‌ଯୁକ୍ତ ବିୟର ପ୍ରସ୍ତୁତ କରି କିଛି ରୋଜଗାର କରିଥା’ନ୍ତି। ପ୍ରତ୍ୟେକ ମହିଳା ସେମାନଙ୍କ ମୋଟ ଆୟର ଦଶ ପ୍ରତିଶତ କର ଭାବେ ପ୍ରଦାନ କରିଥା’ନ୍ତି। ଏଥିରେ ସେମାନଙ୍କ ବିଦ୍ୟାଳୟ, ଚିକିତ୍ସାଳୟ ଚାଲିବା ସହ ଅନ୍ୟାନ୍ୟ ଆବଶ୍ୟକତା ମଧ୍ୟ ପରିପୂରଣ ହୋଇଥାଏ। ଏହି ଗାଁର ନିଜସ୍ୱ ଏକ େଓ୍ଵବ୍‌ସାଇଟ୍‌ ମଧ୍ୟ ରହିଛି। ପିଲାମାନେ ପଢ଼ାପଢ଼ି କରିବା ପାଇଁ ଏଠାରେ ନର୍ସରି ଏବଂ ପ୍ରାଇମେରି ସ୍କୁଲ୍‌ ରହିଛି। ଗାଁର ମହିଳାମାନେ ମହିଳା ଅଧିକାର ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ଅନ୍ୟ ଗାଁ ଗୁଡ଼ିକୁ ଯାଇଥା’ନ୍ତି। ଗାଁ ଏବଂ ଏଠାରେ ରହୁଥିବା ମହିଳାମାନଙ୍କ ସମ୍ବନ୍ଧରେ ଯେ କୌଣସି ନିଷ୍ପତ୍ତି ‘ଟ୍ରି ଅଫ୍‌ ସ୍ପିଚ୍‌’ ନିକଟରେ ନିଆ ଯାଇଥାଏ। ରିବେକା ଲୋଲସଲି ଏବେ ଏହି ଗାଁର ମୁଖିଆ ଅଛନ୍ତି। ଗାଁର ସବୁ ମହିଳାଙ୍କୁ ସମାନ ଅଧିକାର ମିଳିଛି।
ତେବେ ଏହି ଗାଁର ମହିଳାମାନେ ପୁରୁଷ ବିରୋଧୀ ନୁହଁନ୍ତି। ଏଠାରେ ପୁରୁଷ ମାନଙ୍କୁ ପର୍ଯ୍ୟଟକ ଭାବେ ଏବଂ ଆଉକିଛି ଜରୁରୀ କାର୍ଯ୍ୟ ତୁଲାଇବା ପାଇଁ ପ୍ରବେଶ କରିବାକୁ ଦିଆ ଯାଇଥାଏ, ମାତ୍ର ଏଠାରେ ରହିବାକୁ କାହାକୁ ଅନୁମତି ଦିଆଯାଇ ନ ଥାଏ। ଏବେ ଏହି ଗାଁଟି ମହିଳା ସଶକ୍ତିକରଣର ଏକ ଅନନ୍ୟ ଉଦାହରଣ ପାଲଟିଛି।

ସମ୍ବନ୍ଧିତ ଖବର