ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି, ରାଜପଥରେ ଗର୍ଜିଲା ମହିଳା ଓ ଛାତ୍ର କଂଗ୍ରେସ

ଭୁବନେଶ୍ୱର : ମମିତା ହତ୍ୟାକାଣ୍ଡରେ ବିବାଦ ଘେରକୁ ଟାଣି ହୋଇଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ତାଙ୍କ ଇସ୍ତଫା ଦାବିରେ ଗୁରୁବାର ଦିନ ଜିଲ୍ଲା ମହିଳା ଓ ଛାତ୍ର କଂଗ୍ରେସ ରାଜରାସ୍ତାରେ ଗର୍ଜିଛି। ଦିନ ପାଖାପାଖି ସାଢ଼େ ୧୧ଟାରେ ମହିଳା କଂଗ୍ରେସ ଡିସିପି କାର୍ଯ୍ୟାଳୟ ଘେରିବା ସହ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିବାବେଳେ ଛାତ୍ର କଂ‌ଗ୍ରେସ ଉତ୍କଳ ବିଶ୍ବବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଛାତ୍ର କଂଗ୍ରେସର କର୍ମୀମାନେ ବିଶ୍ବବିଦ୍ୟାଳୟରୁ ଶୋଭାଯାତ୍ରାରେ ବାହାରି ବାଣୀବିହାର ଛକରେ ପହଞ୍ଚିଥିଲେ। ସେଠାରେ ଟାୟାର ଜାଳି ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଇସ୍ତଫା ଦାବି କରିଥିଲେ। ଏଥିରେ ମହିଳା କଂଗ୍ରେସର କର୍ମୀମାନେ ମଧ୍ୟ ଯୋଗଦେଇ ସମର୍ଥନ ଜଣାଇଥିଲେ।

କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଆଜି ଓଡ଼ିଶାରେ ନାରୀମାନେ ସୁରକ୍ଷିତ ନୁହନ୍ତି। ମା’କୁ ସମ୍ମାନ ନାରା ଦେଇ ମୁଖ୍ୟମନ୍ତ୍ରୀ ଭୋଟ ଭିକ୍ଷା କରୁଛନ୍ତି। ହେଲେ ନାରୀକୁ ସମ୍ମାନ ଦେବା ତ ଦୂରର କଥା, ମହିଳାମାନେ ଦିନ ଦ୍ୱିପହରେ ରାସ୍ତାରେ ଯାଇ ପାରୁନାହାନ୍ତି। ଯେଉଁମାନେ ନାରୀଙ୍କ ପ୍ରତି ଅନ୍ୟାୟ କରୁଛନ୍ତି, ନାରୀଙ୍କ ହତ୍ୟା, ଦୁଷ୍କର୍ମ କରୁଛନ୍ତି, ସେମାନଙ୍କୁ ସୁରକ୍ଷା ଦିଆଯାଉଛି। ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ କହିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ତାଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି।

ଭୁବନେଶ୍ବର ଜିଲ୍ଲା ମହିଳା କଂଗ୍ରେସ କମିଟି ସଭାନେତ୍ରୀ ଗୀତାଞ୍ଜଳି ମହାନ୍ତି, ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାସଙ୍କ ନେତୃତ୍ବରେ ପ୍ରତିମା ମଲ୍ଲିକ, ରଶ୍ମି ମହାପାତ୍ର, ସିଲି ସେଠୀ, ଶିବାନନ୍ଦ ରାୟ, ବ୍ଲକ କଂଗ୍ରେସ ସଭାପତି ଇନ୍ଦ୍ରମଣି ପ୍ରଧାନ, ବ୍ରହ୍ମାନନ୍ଦ ସାହୁ, ମିହିର ଆଚାର୍ଯ୍ୟ, ମୋହନ ଜେନା, ପିସିସି ସଂପାଦକ ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ଦେବରାଜ ମିଶ୍ର, ଲକ୍ଷ୍ମୀପ୍ରିୟା ଦାସ, ସିପ୍ରା ଶତପଥୀ, ସୁଭଦ୍ରା ମିଶ୍ର, ଲିମା ସାହୁ, ହିନା ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ୍‌ଙ୍କ ନେତୃତ୍ବରେ ନିହାର ରଂଜନ ବେହେରା, ଅନନ୍ତ ପ୍ରସାଦ ସାମନ୍ତରାୟ, ଅର୍ମାନ ଜେନା, ଅଖିଳେଶ ଯାଦବ, ରଂଜିତ ସେନାପତି, ରିତେଶ କୁମାର, ଭାଗ୍ୟଶ୍ରୀ ମହାନ୍ତି ପ୍ରମୁଖ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତାରୋକ କରିଥିଲେ। ଫଳରେ ପାଖାପାଖି ଘଣ୍ଟାଏ କାଳ ଯାତାୟାତ ଠପ୍‌ ହୋଇଯାଇଥିଲା। ପୁଲିସ ଆନ୍ଦୋଳନକାରୀଙ୍କୁ ଗିରଫ କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର