ସାତଭାଇରେ ଗୋଟିଏ ଭଉଣୀ ତଅପୋଇ ଯେମିତି ଅଲିଅଳି ଠିକ୍ ସେମିତି ପ୍ରତିଟି ଓଡ଼ିଆ ଘରେ ଝିଅମାନେ ସୁନାଭଉଣୀ। ସେଥିପାଇଁ ତ ଆମ କାଳିଆ ସାଆନ୍ତ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ସାଙ୍ଗରେ ନେଇ ରଥରେ ବିଜେ କରନ୍ତିନି; ଖୋଜନ୍ତି ବଡ଼ଭାଇ ବଳଭଦ୍ର ଓ ସୁନାନାକୀ ଭଉଣୀ ସୁଭଦ୍ରାଙ୍କୁ। ଆଗରେ ବଡ଼ଭାଇ ବଳଭଦ୍ର, ମଝିରେ ଚାନ୍ଦମୁହିଁ ଭଉଣୀ ସୁଭଦ୍ରା ଆଉ ସବା ପଛରେ କଳାଠାକୁର ଜଗନ୍ନାଥ। ଏ ହେଉଛି ରଥଯାତ୍ରାର ବୈଶିଷ୍ଟ୍ୟ। ଓଡ଼ିଆ ପରିବାରର ପରମ୍ପରା। ଭାଇଭଉଣୀର ମଧୁର ସଂପର୍କ। ବଡ଼ଦାଣ୍ଡରେ ଭକ୍ତମେଳରେ ଶ୍ରୀଜଗନ୍ନାଥଙ୍କୁ ରଥରେ ବିଜେ ହୋଇଥିବା ଦେଖିବା ଓ ଥରଟିଏ ରଥ ଦଉଡ଼ି ଛୁଇଁଦେଲେ କୋଟି ଜନ୍ମର ପାପ ଧୋଇଯାଏ ବୋଲି କାହିଁ କେତେ କାଳରୁ ଓଡ଼ିଆ ପ୍ରାଣର ବିଶ୍ବାସ। ସେଥିପାଇଁ କେବଳ ଓଡ଼ିଶା ନୁହେଁ, ସାରା ଭାରତରୁ, ବିଦେଶରୁ ମଧ୍ୟ ଭକ୍ତମାନେ ଛୁଟିଆସନ୍ତି ଶ୍ରୀକ୍ଷେତ୍ରକୁ। ଆଷାଢ଼ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ଓଡ଼ିଶାର ପୁରପଲ୍ଲୀରେ, ଦେଶ ବିଦେଶରେ ଛୋଟବଡ଼ ଅନେକ ରଥରେ ଭାଇଭଉଣୀ ମେଳରେ ବିଜେ ହୁଅନ୍ତି କାଳିଆ ସାଆନ୍ତ। ରଥ ଦଉଡ଼ି ଟାଣିବାକୁ ସଭିଏଁ ଅନାଇ ବସିଥାଆନ୍ତି। କିଛି ବର୍ଷ ପୂର୍ବରୁ କେବଳ ପୁରୁଷମାନେ ହିଁ ରଥ ଟାଣିବାର ସୁଯୋଗ ପାଉଥିଲେ। ମହିଳାମାନେ ଭିଡ଼ ଭିତରେ ପଶି ରଥ ଟାଣିବା ପରି ଦୁରୂହ କାମଟିଏ କରିପାରିବା ବିଷୟରେ ଭାବି ହେଉ ନ ଥିଲା। ବିଭିନ୍ନ ସ୍ଥାନରେ କିନ୍ତୁ ମହିଳାଙ୍କ ଉଦ୍ୟମ ଏବଂ ମହାପ୍ରଭୁଙ୍କ କରୁଣାରୁ ଏହା ସମ୍ଭବପର ହୋଇପାରିଛି। ବାରିପଦାରୁ ଆରମ୍ଭ ହୋଇଥିବା ଏହି ପରମ୍ପରା କ୍ରମେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି। ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣୁଛନ୍ତି।

Advertisment

publive-image

ବାରିପଦା,ମୟୁରଭଞ୍ଜ
୧୯୭୫ ମସିହାରେ ବାରିପଦାର ତତ୍କାଳୀନ ଜିଲ୍ଳାପାଳ ବିବେକାନନ୍ଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଅନ୍ୟ ପ୍ରମୁଖ ଅଧିକାରୀମାନଙ୍କ ସହ ସହରର କିଛି ବିଶିଷ୍ଟ ବ୍ୟକ୍ତି ମଧ୍ୟ ଯୋଗ ଦେଇଥିଲେ। ସେହି ବୈଠକରେ ବାରିପଦା ପୌରପାଳିକାର ପୂର୍ବତନ ନଗରପାଳ ସ୍ବର୍ଗତ କୈଳାସ ଚନ୍ଦ୍ର ପତିଙ୍କ ସହଧର୍ମିଣୀ ଇନ୍ଦୁମତୀ ପତି ମଧ୍ୟ ଉପସ୍ଥିତ ଥିଲେ। ସେ ଜଣେ ଜଣାଶୁଣା ସମାଜସେବୀ ଥିଲେ। ୧୯୭୫ ମସିହାକୁ ଆନ୍ତର୍ଜାତିକ ମହିଳାବର୍ଷ ଭାବେ ପାଳନ କରାଯାଉଥିବାରୁ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ମହିଳାମାନେ ଟାଣନ୍ତୁ ବୋଲି ସେ ପ୍ରସ୍ତାବ ରଖିଲେ। କଥାଟା ସମସ୍ତଙ୍କ ମନକୁ ପାଇଲା। ହେଲେ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ଏତେ ସହଜ ନ ଥିଲା। ଏତେ ବଡ଼ ରଥକୁ ମହିଳାମାନେ ବଳ ଲଗାଇ ଟାଣି ପାରିବେ ତ? ପୁଣି ଲକ୍ଷଲକ୍ଷ ଲୋକଙ୍କ ଭିଡ଼ ଭିତରେ ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ହେବ ତ? ଏହାଦ୍ବାରା କିଛି ଅଘଟଣ ଘଟିବ କି ନାହିଁ? ଏପରି ହଜାର ପ୍ରଶ୍ନବାଚୀ ରହିଥିଲା ସେ ସମୟରେ। ଶେଷରେ ସବୁ ସନ୍ଦେହର ଅନ୍ତ ଘଟାଇ ମହିଳାମାନଙ୍କ ଦ୍ବାରା ପରୀକ୍ଷାମୂଳକ ଭାବେ ଦେବୀ ସୁଭଦ୍ରାଙ୍କ ରଥ ଟାଣିବାକୁ ନିଷ୍ପତ୍ତି ନିଆଗଲା। ଚାରିପଟେ ପୁଲିସର ନିରାପତ୍ତା ବଳୟ। ତା’ ମଧ୍ୟରେ ଦେବୀ ସୁଭଦ୍ରାଙ୍କ ରଥ ଦଉଡ଼ି ଧରି ମହିଳାମାନେ ଟାଣିଲେ। ସେତେବେଳେ ଦେଶର ପ୍ରଧାନମନ୍ତ୍ରୀ ଥାଆନ୍ତି ଇନ୍ଦିରା ଗାନ୍ଧି ଏବଂ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଥାଆନ୍ତି ନନ୍ଦିନୀ ଶତପଥୀ। ମହିଳା ସଶକ୍ତୀକରଣର ଏହାଠାରୁ ବଡ଼ ସଂଯୋଗ ଆଉ କ’ଣ ବା ହୋଇପାରେ। ତେବେ ସେହିବର୍ଷର ଅପୂର୍ବ ସଫଳତା ପରଠାରୁ ଆଜିଯାଏ ଏ ପରମ୍ପରା ବାରିପଦା ରଥଯାତ୍ରାରେ ପ୍ରଚଳିତ ହୋଇ ଆସୁଛି। ଏଠାରେ ଉଲ୍ଲେଖଯୋଗ୍ୟ, ପ୍ରଚଳିତ ପ୍ରଥା ଅନୁସାରେ ପୁରୀ ରଥଯାତ୍ରାର ପରଦିନ ପ୍ରଥମେ ଶ୍ରୀବଳଦେବଙ୍କ ରଥକୁ ମନ୍ଦିରର ସିଂହଦ୍ୱାରଠାରୁ ଟଣାଯାଇ ମାଉସୀମା’ ମନ୍ଦିର ପାଖକୁ ନିଆଯାଏ। ତା’ପରେ ଦେବୀ ସୁଭଦ୍ରାଙ୍କ ରଥକୁ ଅଧାବାଟ ପର୍ଯ୍ୟନ୍ତ ଟଣା ଯିବା ପରେ ସେଇଠାରେ ରଖି ଦିଆଯାଏ। ତା’ ପରଦିନ ସେଇ ଅଧାବାଟରୁ ସୁଭଦ୍ରାଙ୍କ ରଥକୁ ଗୁଣ୍ଡିଚା ମନ୍ଦିର ଯାଏ ନିଆଯିବା ପରେ ଶ୍ରୀଜଗନ୍ନାଥଙ୍କ ରଥ ଟଣାଯାଏ। ଏହି ପରମ୍ପରା ଦୀର୍ଘ ଦିନରୁ ଚଳିଆସୁଛି। ପୁରୀ ରଥ ଦିନ ପହଣ୍ଡି ଓ ପର ଦୁଇଦିନ ରଥଟଣା ବାରିପଦାର ଅନନ୍ୟ ପରମ୍ପରାରେ ପରିଣତ ହୋଇଛି।

publive-image

ରଣପୁର, ନୟାଗଡ଼
କଟକ ପରେ ଦୀର୍ଘ ସତରବର୍ଷ ବାଦ୍‌ ଏହି ଧାରାରେ ସାମିଲ ହେଲା ରଣପୁର। ରାଜା ଉଦ୍ଧବ ନରେନ୍ଦ୍ରଙ୍କ ଦ୍ୱାରା ୧୩୬୩ରେ ନିର୍ମିତ ରଣପୁର ଜଗନ୍ନାଥ ମନ୍ଦିର ଓଡ଼ିଶାର ପ୍ରାଚୀନ ଜଗନ୍ନାଥ ମନ୍ଦିର ମଧ୍ୟରୁ ଅନ୍ୟତମ। ରଣପୁର ରାଜବାଟୀକୁ ଲାଗି ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ନିର୍ମିତ ଏହି ବିରାଟ ମନ୍ଦିରର ଏକ ନିଜସ୍ବ ଇତିହାସ ରହିଛି। ମାତ୍ର ରଣପୁର ରଥଯାତ୍ରାର ପରମ୍ପରାରେ ଏକ ବରଣୀୟ ବ୍ୟତିକ୍ରମ ଆଣିଲେ ୧୯୯୯-୨୦୦୦ରେ ସେଠାକାର ତହସିଲଦାର ତଥା ଦେବୋତ୍ତର ଅଫିସର ଥିବା ନେତ୍ରାନନ୍ଦ ସାମନ୍ତରାୟ। ସେ ପ୍ରସ୍ତାବ ଦେଲେ, ବାରିପଦା ପରି ରଣପୁର ରଥଯାତ୍ରାରେ ମଧ୍ୟ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣନ୍ତୁ। ସେତେବେଳେ ଜିଲ୍ଲାର କଲେକ୍ଟର ଥିଲେ ଅଶ୍ବିନୀ ଦାସ। ସେ ମଧ୍ୟ ପ୍ରସ୍ତାବକୁ ସାଦରେ ସ୍ୱାଗତ କଲେ। ୧୯୯୯ ମସିହାଠାରୁ ରଣପୁରରେ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିଲେ।

publive-image

ବାଲିଆପାଳ, ବାଲେଶ୍ବର
ବାଲେଶ୍ବର ଜିଲ୍ଲାର ପ୍ରସିଦ୍ଧ ବାଲିଆପାଳ ଶ୍ରଦ୍ଧାକ୍ଷେତ୍ର ଜଗନ୍ନାଥ ମନ୍ଦିର ସମଗ୍ର ବାଲିଆପାଳବାସୀଙ୍କର ସ୍ବାଭିମାନର ପ୍ରତୀକ। ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପ୍ରଚେଷ୍ଟାରେ ଖଗଡ଼ାପାଳ ଗ୍ରାମରେ ୧୯୯୯ ମସିହା ଜୁନ ୨୦ ତାରିଖରେ ପୁରୀର ଜଗନ୍ନାଥ ମନ୍ଦିରର ଅବିକଳ ଢାଞ୍ଚାରେ ଏହି ମନ୍ଦିର ନିର୍ମାଣ କରାଯାଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅନୁମତି କ୍ରମେ ପୁରୀର ରାଜଗୁରୁ ଓ ରାଜପୁରୋହିତଙ୍କ ତତ୍ତ୍ବାବଧାନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ଥାପନ କରି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସଂପାଦନ କରାଯାଇଥିଲା। ପୁରୀ ରଥଯାତ୍ରା ପରି ଏଠାରେ ମଧ୍ୟ ପ୍ରତିବର୍ଷ ଆଷାଢ ଶୁକ୍ଳପକ୍ଷ ଦ୍ବିତୀୟା ଦିନ ଗୁଣ୍ତିଚାରେ ରଥଯାତ୍ରା ଓ ଆଷାଢ ଶୁକ୍ଳ ଦଶମୀ ଦିନ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଆସୁଛି। ଏଠାରେ ମଧ୍ୟ ତିନି ରଥ ଟଣାଯାଏ। ପ୍ରଥମ ସେବକ ଭାବରେ ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି ଛେରାପହଁରା କରିବା ପରେ ରଥ ଟଣା ହୁଏ। ଏଠାରେ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣନ୍ତି। ୩ ଶହରୁ ଊର୍ଦ୍ଧ୍ବ ମହିଳା ଏହି ରଥକୁ ମାଉସୀମା’ ବାଡ଼ି ପର୍ଯ୍ୟନ୍ତ ଟାଣି ନିଅନ୍ତି। ତେବେ ଏହି ରଥଯାତ୍ରା ୧୯୮୦ ମସିହାରୁ ଆରମ୍ଭ ହୋଇଛି। ଶ୍ରଦ୍ଧାକ୍ଷେତ୍ର ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଖଗଡ଼ାପାଳ ପାଣିଗ୍ରାହୀ ପରିବାର ଦ୍ବାରା ପ୍ରତିଷ୍ଠିତ ଜଗନ୍ନାଥ ମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥରେ ବସାଇ ରଥଯାତ୍ରା ଅନୁଷ୍ଠିତ ହେଉଥିଲା। ଏହି ରଥଯାତ୍ରା ୪୩ ବର୍ଷରେ ପଦାର୍ପଣ କରିଥିବା ବେଳେ ଚଳିତ ବର୍ଷ ଶ୍ରଦ୍ଧାକ୍ଷେତ୍ର ମନ୍ଦିର ତା’ର ରୌପ୍ୟ ଜୟନ୍ତୀ ପାଳନ କରିବାକୁ ଯାଉଛି।

publive-image

କଟକ
ଦୀର୍ଘ ସାତବର୍ଷ ପରେ ବାରିପଦାର ପ୍ରଭାବ ପଡ଼ିଲା କଟକରେ। କଟକର ଦୋଳମୁଣ୍ଡାଇ-ହରିପୁରରେ ଆୟୋଜିତ ରଥଯାତ୍ରା ଶହେ ବର୍ଷରୁ ଅଧିକ ପୁରୁଣା। କିନ୍ତୁ ଏହି ରଥଯାତ୍ରାରେ ୨୩ ବର୍ଷ ତଳେ ଯୋଡ଼ି ହୋଇଯାଇଛି ଏକ ନିଆରା ପରମ୍ପରା। ଶ୍ରୀଗୁଣ୍ଡିଚାରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ କେବଳ ମହିଳାମାନେ ହିଁ ଟାଣନ୍ତି ଏବଂ ରଥ ଟାଣୁଥିବା ପ୍ରତ୍ୟେକ ମହିଳା ସ୍ବତନ୍ତ୍ର ଭାବେ ହଳଦିଆ ରଙ୍ଗର ଶାଢି ପିନ୍ଧନ୍ତି। ୨୦୦୦ ମସିହାରୁ ଚଳି ଆସୁଥିବା ଏହି ପରମ୍ପରା ଶ୍ରୀଗୁଣ୍ଡିଚାରେ କଟକ ରାଜରାସ୍ତାରେ ଏକ ନିଆରା ଦୃଶ୍ୟ ସୃଷ୍ଟି କରିଥାଏ। ରଥଯାତ୍ରା ଆୟୋଜନ କମିଟିର କର୍ମକର୍ତ୍ତାଙ୍କ ସୂଚନା ଅନୁଯାୟୀ ପ୍ରଥମରୁ ଏଠାରେ ଗୋଟିଏ ରଥ ହେଉଥିବା ବେଳେ ୩୦ ବର୍ଷ ତଳେ ୩ ରଥ ନିର୍ମାଣ ପରମ୍ପରା ଆରମ୍ଭ ହୋଇଥିଲା। ପରେ କେବଳ ମହିଳାମାନଙ୍କ ଦ୍ବାରା ସୁଭଦ୍ରାଙ୍କ ରଥ ଟାଣିବା ପ୍ରଥା ଏଥିରେ ଯୋଡ଼ି ଦିଆଯାଇଥିଲା। ରାଜା ଭାବେ ରଥର ଛେରାପହଁରା ଦାୟିତ୍ବ ବ୍ରଜକିଶୋର ପ୍ରଧାନ ନିର୍ବାହ କରୁଥିବା ବେଳେ ଅଧିକାରୀ ହରେକୃଷ୍ଣ ପ୍ରଧାନ, କାର୍ଯ୍ୟକାରୀ ମହନ୍ତ ଲିଙ୍ଗରାଜ ହାତୀ, କଟୁଆଳ ହରେକୃଷ୍ଣ ମୂଳିଆ, ସରୋଜ ମୂଳିଆ, କୈଳାସ ଅଗ୍ରୱାଲ, ନିହାର ରଂଜନ ମୂଳିଆ, କାଳିନ୍ଦୀ ମୂଳିଆ, ପ୍ରଦୀପ ମୂଳିଆ ପ୍ରମୁଖ ରଥଯାତ୍ରା ପରିଚାଳନା ସହ ସଂପୃକ୍ତ ରହି ଆସିଛନ୍ତି।

publive-image

ନୀଳଗିରି, ବାଲେଶ୍ବର
୧୯୯୩ ମସିହାରେ ବାଲେଶ୍ବର ଜିଲ୍ଲା ନୀଳଗିରି ଆଇଟିଡିଏରେ ଅବସ୍ଥାପିତ ସହକାରୀ ଯନ୍ତ୍ରୀଙ୍କର ପତ୍ନୀ ରଥ ଟାଣିବାକୁ ମନକରି ସଫଳ ହୋଇପାରିଲେନି। ତାଙ୍କର ମନଦୁଃଖ ଦେଖି ସେତେବେଳର କାଉନ୍‌ସିଲର ଥିବା ଜିନା ମହାନ୍ତି ଓ ଡଲି ମହାନ୍ତି କିପରି ମହିଳାମାନଙ୍କୁ ନେଇ ସ୍ବତନ୍ତ୍ର ଭାବେ ରଥ ଟାଣିବେ, ସେ ଦିଗରେ ଉଦ୍ୟମ କଲେ ଏବଂ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ପରବର୍ଷ ଅର୍ଥାତ୍ ୧୯୯୪ ମସିହାରେ ମହିଳାମାନଙ୍କ ନିମନ୍ତେ ଏକ ସ୍ବତନ୍ତ୍ର ରଥ ପ୍ରସ୍ତୁତ କରି ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିର ବଡ଼ଦାଣ୍ଡରେ ଗଡ଼ାଇଥିଲେ। ଏହି ରଥରେ ମଧ୍ୟ ଚତୁର୍ଦ୍ଧାମୂର୍ତ୍ତି ପୂଜା ପାଆନ୍ତି। ଏହାକୁ ସ୍ବାସ୍ଥ୍ୟମନ୍ତ୍ରୀ କମଳା ଦାସ ପ୍ରଥମେ ଉଦ୍‌ଘାଟନ କରିଥିଲେ। ୨୭ ବର୍ଷ ହେବ ନୀଳଗିରିରେ ମହିଳାଙ୍କ ପାଇଁ ଗଡୁଛି ସ୍ବତନ୍ତ୍ର ମହିଳା ରଥ।