ପ୍ରେରଣା ପାଲଟିଛନ୍ତି ମନ୍‌ମିତ : ଅଷ୍ଟମରୁ ପାଠ ପଢ଼ା ଛାଡ଼ିବା ଏବଂ ବିବାହ ବିଫଳ ହେବା ପରେ ମଧ୍ୟ ପ୍ରତିଷ୍ଠା କରି ପାରିଛନ୍ତି ବ୍ୟାବସାୟିକ ସାମ୍ରାଜ୍ୟ

ମୁମ୍ବାଇ: ସାରା ବିଶ୍ୱରେ ଥିବା ମହିଳାମାନଙ୍କୁ ସମ୍ମାନ ଜଣାଇବା ପାଇଁ ମାର୍ଚ୍ଚ ୮ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥାଏ । ଏହି ଦିନ ମହିଳାମାନଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କ ତ୍ୟାଗ ଏବଂ ବିଭିନ୍ନ ବାଧା ବନ୍ଧନକୁ ଡ଼େଇଁ ସେମାନେ ହାସଲ କରିଥିବା ସଫଳତା ପାଇଁ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥାଏ । ଆସନ୍ତାକାଲି ଅନ୍ତର୍ଜାତୀୟ ମହିଳା ଦିବସ ଥିବା ବେଳେ ଆଜି ଆମେ ଜଣେ ଏଭଳି ମହିଳାଙ୍କୁ ସମ୍ବର୍ଦ୍ଧନା ଜଣାଇବୁ, ଯିଏ ନିଜ ବିଫଳତାକୁ ସଫଳତାରେ ପରିବର୍ତ୍ତନ କରିଥିଲେ । ଆଜି ଆମେ ମୁମ୍ବାଇରେ ରହୁଥିବା ପଞ୍ଜାବୀ ପରିବାରର ଝିଅ ମନ୍‌ମିତ୍‌ କୌର୍‌ ଚଢ଼ା ହାସଲ କରିଥିବା ସଫଳତା ବିଷୟରେ ଆପଣଙ୍କୁ ଜଣାଇବୁ ।

ମନ୍‌ମିତ୍‌ ଏକ ନିମ୍ନ ମଧ୍ୟବିତ ପରିବାରେ ଜନ୍ମଗ୍ରହଣ କରିଥିଲେ । ମୁମ୍ବାଇରେ ତାଙ୍କ ଜନ୍ମ ହୋଇଥବା ବେଳେ ଅଷ୍ଟମ ଶ୍ରେଣୀରୁ ପାଠ ପଢ଼ା ଛାଡ଼ି ସେ ୧୮ବର୍ଷ ବୟସରେ ବିବାହ କରି ନେଇଥିଲେ । ତାଙ୍କ ବିବାହ ଅମୃତସରରେ ହୋଇଥିବା ବେଳେ ବିବାହ ପରେ ତାଙ୍କ ଜୀବନ ସୁଖରେ ବିତିବ ବୋଲି ଭାବି ସେ ବୈବାହିକ ଜୀବନ ଆରମ୍ଭ କରିଥିଲେ । କିନ୍ତୁ କିଛି ଦିନ ପରେ ପୂରା କାହାଣୀ ବଦଳି ଯାଇଥିଲା । ତାଙ୍କ ସ୍ୱାମୀ ସବୁ ଦିନ ମଦ ପିଇ ଆସିବା ସହ ମିନ୍‌ମିତ୍‌ଙ୍କୁ ମାଡ଼ ମାରୁଥିବାରୁ ବିବାହର କିଛି ବର୍ଷ ପରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । ମନ୍‌ମିତ୍‌ଙ୍କ ବିବାହରେ ତାଙ୍କର ଏକ ଝିଅ ମଧ୍ୟ ଜନ୍ମ ନେଇଥିଲା, ଯିଏ ଏବେ ଅଷ୍ଟ୍ରେଲିଆରେ ରହି ପାଠ ପଢ଼ୁଥିବା ଜଣାପଡ଼ିଛି ।

auto.economictimes.indiatimes.com

୧୯୯୯ରେ ମନ୍‌ମିତ୍‌ ନିଜକୁ ଆଉ ଏକ ସୁଯୋଗ ଦେବା ପାଇଁ ଦ୍ୱିତୀୟ ଥର ବିବାହ କରିଥିଲେ । କିନ୍ତୁ ତାଙ୍କ ସ୍ୱାମୀ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ୨୦୦୮ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସ୍ୱାମୀଙ୍କ ପରେ ଘରର ଆର୍ଥିକ ଅବସ୍ତା ଖରାପ ହେବାରୁ ମନ୍‌ମିତ୍‌ ସ୍ୱାମୀଙ୍କ ବ୍ୟବସାୟ ଆଗକୁ ବଢ଼ାଇବାର ନିଷ୍ପତି ନେଲେ । ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବାରୁ ପ୍ରଥମେ ସେ ବ୍ୟବସାୟ କରି ପାରିବେ କି ନାହିଁ ପରିବାର ଲୋକେ ଭାବିଥିବା ବେଳେ ଆଜି ସେ ୧୦୦ଟି ଟ୍ରକ୍‌ର ମାଲିକାଣି ସାଜିଛନ୍ତି । ତାଙ୍କ କମ୍ପାନୀର ନାଁ ଚିରାଗ କ୍ୟାରିୟର ଥିବା ବେଳେ ବର୍ଷକୁ ୧୫କୋଟି ଟଙ୍କା ଆୟ କରୁଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର