୧୯୫୨ ମସିହାରେ ହୋଇଥିଲା ରାଜ୍ୟର ପ୍ରଥମ ବିଧାନସଭା ନିର୍ବାଚନ। ଏହି ୭୧ ବର୍ଷରେ ଓଡ଼ିଶାବାସୀ ଦେଖିଲେଣି ୧୬ଟି ବିଧାନସଭା ନିର୍ବାଚନ। କିନ୍ତୁ ସ୍ବାଧୀନତା ସମୟରେ ବିଧାନସଭାରେ ମହିଳାଙ୍କ ନେତୃତ୍ବ ଯେଉଁଭଳି ଥିଲା, ଆଜି ବି ସେହିଭଳି ରହିଛି, ‘ଅତି ନଗଣ୍ୟ...’। ସ୍ବାଧୀନତା ପରଠାରୁ ସମୁଦାୟ ୧୩୦୩ ଜଣ ବିଧାୟକଙ୍କ ମଧ୍ୟରୁ ଏ ଯାଏ ଓଡ଼ିଶା ବିଧାନସଭାକୁ ପ୍ରତିନିଧିତ୍ବ କରିଛନ୍ତି ମାତ୍ର ୭୯ ଜଣ ମହିଳା। ଅର୍ଥାତ୍ ଗତ ୭୬ ବର୍ଷରେ ରାଜ୍ୟ ବିଧାନସଭାରେ ମହିଳାଙ୍କ ଭାଗିଦାରୀ ରହିଛି ୭%ରୁ କମ୍। ରାଜ୍ୟରେ ପ୍ରତିଦିନ ନାରୀ ସଶକ୍ତୀକରଣର ସ୍ଲୋଗାନ୍ ଦିଆଯାଉଛି। ହେଲେ ଓଡ଼ିଶାର ଶାସନ ବ୍ୟବସ୍ଥାରେ ମହିଳାଙ୍କ ପ୍ରତିନିଧିତ୍ବ ରହିଛି ନୈରାଶ୍ୟଜନକ। ସବୁ ରାଜନୈତିକ ଦଳରେ ସ୍ଥିତି ଊଣା ଅଧିକେ ସମାନ। ଗତ ଜାନୁଆରିରେ ପ୍ରକାଶିତ ଚୂଡ଼ାନ୍ତ ଭୋଟର୍ ତାଲିକା ଅନୁସାରେ ରାଜ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ୪୯%। ଅର୍ଥାତ ରାଜ୍ୟ ଜନସଂଖ୍ୟାର ଅଧା। ସ୍ବତଃପ୍ରବୃତ୍ତ ଭାବେ ସଂସଦ ଓ ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ବ ବଢୁ ନ ଥିବାରୁ ଏବେ ଆଇନର ସାହାରା ନେବାକୁ ପଡୁଛି। ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷିତ ରଖିବାକୁ ଆବଶ୍ୟକ ପ୍ରକ୍ରିୟା ଆଗେଇ ଚାଲିଛି। ହେଲେ ରାଜ୍ୟର ୪୯% ମହିଳା ଭୋଟରଙ୍କୁ ଏବେ ବିଧାନସଭାରେ ମାତ୍ର ୧୮ ଜଣ ବିଧାୟିକା ଅର୍ଥାତ୍ ୧୨% ମହିଳା ପ୍ରତିନିଧିତ୍ବ କରୁଛନ୍ତି। ଗତ ୭୧ ବର୍ଷରେ ଓଡ଼ିଶାରୁ ବିଧାନସଭାରେ ମହିଳା ପ୍ରତିନିଧିତ୍ବକୁ ନେଇ ଆମର ଏହି ଉପସ୍ଥାପନା…
୨୦୦୪ ମସିହାରେ ଓଡ଼ିଶା ବିଧାନସଭାକୁ ପ୍ରତିନିଧିତ୍ବ କଲେ ୧୨ ଜଣ ବିଧାୟିକା। ୨୦୦୯ରେ ଏହି ସଂଖ୍ୟା ୭କୁ ଖସିଆସିଲା। ୨୦୧୪ରେ ୧୨ ଜଣ ମହିଳା ନିର୍ବାଚିତ ହେଲେ। ଚିନ୍ତାଜନକ ବିଷୟ ହେଲା, ତିନି ପ୍ରମୁଖ ରାଜନୈତିକ ଦଳ ଖୁବ୍ କମ୍ ସଂଖ୍ୟାରେ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଥିଲେ। ବିଜେଡି ୧୫ ଜଣଙ୍କୁ ଟିକେଟ୍ ଦେଇଥିଲା ବେଳେ କଂଗ୍ରେସ ୧୦ ଓ ବିଜେପି ୯ ଜଣ ମହିଳାଙ୍କୁ ଟିକେଟ୍ ଦେଇଥିଲେ। ତେବେ ଏହି ନିର୍ବାଚନରେ ସ୍ବାଧୀନ ଭାବେ ୪୨ ଜଣ ମହିଳା ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ୨୦୧୯ରେ ଚିତ୍ର ଆଦୌ ଉତ୍ସାହଜନକ ନ ଥିଲା। ଏଥର ବି ମାତ୍ର ୧୪ ଜଣ ମହିଳା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତେବେ ପରବର୍ତ୍ତୀ ସମୟରେ ଉପନିର୍ବାଚନରେ ଆଉ ୪ ଜଣ ବିଧାନସଭାକୁ ଆସିଲେ। ଏମିତିରେ ସଂଖ୍ୟା ୧୮ରେ ପହଞ୍ଚିଲା ଅର୍ଥାତ୍ ବର୍ତ୍ତମାନ ବିଧାନସଭାରେ ମହିଳାଙ୍କ ସଂଖ୍ୟା ମାତ୍ର ୧୨%ରେ ସୀମିତ। ଆମେ ଓଡ଼ିଶା ରାଜନୀତିର ବହୁ ପଛକୁ ଫେରୁନାହୁଁ, ଆମେ ଏଠାରେ ଏକବିଂଶ ଶତାବ୍ଦୀର କଥାକୁ ବିଶ୍ଲେଷଣ କରି ଏଭଳି ଏକ ହତାଶାଜନକ ଚିତ୍ର ପାଉଛୁ। ଯେତେବେଳେ କି ନାରୀଶିକ୍ଷା, ନାରୀ ସଚେତନତା, ଆତ୍ମନିର୍ଭରଶୀଳତା ଓ ଆଧୁନିକତା ଆଡ଼କୁ ଆମ ଦେଶ ମୁହାଁଇଛି, ସେମିତି ପରିସ୍ଥିତିରେ ବିଗତ ଦୁଇ ଦଶନ୍ଧିର ଓଡ଼ିଶା ରାଜନୀତିରେ ମହିଳାଙ୍କ ସ୍ଥିତି ଆମକୁ ନିରାଶ କରୁଛି।
ଆଇନର କଟକଣା ନ ରହିଲେ ଯେ ମହିଳା ପ୍ରତିନିଧିତ୍ବ ବଢ଼ିବନି, ତାହା ହିଁ ସବୁଠାରୁ ଚିନ୍ତାଜନକ ବିଷୟ। ପଞ୍ଚାୟତ ଓ ପୌର ନିର୍ବାଚନରେ ମହିଳାଙ୍କ ପାଇଁ ୫୦% ଆସନ ସଂରକ୍ଷିତ ହୋଇଥିବାରୁ ତୃଣମୂଳସ୍ତରରେ ମହିଳାଙ୍କୁ ଶାସନ ପ୍ରକ୍ରିୟାରେ ଅଂଶୀଦାର ହେବାକୁ ସୁଯୋଗ ମିଳୁଛି। ସଂରକ୍ଷଣ ହେବା ପୂର୍ବରୁ ମହିଳା ପ୍ରତିନିଧିଙ୍କ ସଂଖ୍ୟା ନଗଣ୍ୟ ଥିଲା କହିଲେ ଭୁଲ୍ ହେବ ନାହିଁ। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ୨୦୨୪ ନିର୍ବାଚନ ପରିପ୍ରେକ୍ଷୀରେ ଏହି ଜାନୁଆରିରେ ପ୍ରକାଶିତ ଚୂଡ଼ାନ୍ତ ଭୋଟର୍ ତାଲିକା ଅନୁସାରେ, ବର୍ତ୍ତମାନ ଓଡ଼ିଶାରେ ମୋଟ୍ ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ଭୋଟରଙ୍କ ମଧ୍ୟରୁ ମହିଳା ଭୋଟରଙ୍କ ସଂଖ୍ୟା ହେଉଛି ୧ କୋଟି ୬୩ ଲକ୍ଷ ୮୨ ହଜାର ୩୧। ଅର୍ଥାତ୍ ଓଡ଼ିଶାରେ ୪୯% ମହିଳା ଭୋଟର୍ ଥିବା ବେଳେ ବିଧାନସଭାରେରେ ତାଙ୍କର ଭାଗିଦାରୀ ମାତ୍ର ୧୨%, ଯାହା କି ଚିନ୍ତାଜନକ। ପୁଣି ସ୍ବୟଂସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାଙ୍କ ମଧ୍ୟରେ ସଚେତନତା ବି ସୃଷ୍ଟି ହୋଇଛି। ସେମାନେ ସ୍ବାବଲମ୍ବୀ ହୋଇପାରିଛନ୍ତି। ଏହି ପରିସ୍ଥିତିରେ ଶାସନ ପ୍ରକ୍ରିୟାରେ ଉଭୟ ପୁରୁଷ ଓ ମହିଳାଙ୍କ ଭାଗୀଦାରି ସମାନ ରହିବାର ଯୁକ୍ତି କିଛି ଅପ୍ରାସଙ୍ଗିକ ନୁହେଁ।
ଜଣେ ଜଣେ ମହିଳା ମୁଖ୍ୟମନ୍ତ୍ରୀ, ବାଚସ୍ପତି ଓ ଉପବାଚସ୍ପତି
ଗତ ୭୧ ବର୍ଷରେ ଓଡ଼ିଶା ପାଇଛି ମାତ୍ର ଜଣେ ଜଣେ ମହିଳା ମୁଖ୍ୟମନ୍ତ୍ରୀ, ମହିଳା ବାଚସ୍ପତି ଓ ମହିଳା ଉପବାଚସ୍ପତି। ଓଡ଼ିଶାର ଲୌହମାନବୀ ଭାବେ ପରିଚିତା ନନ୍ଦିନୀ ଶତପଥୀ ୧୯୭୨ ମସିହାରେ ୨୬୨ ଦିନ ପାଇଁ ଏବଂ ୧୯୭୪ରେ ୨ ବର୍ଷ ୨୮୫ ଦିନ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ। ଏଥିସହ ସେ ହୋଇଯାଇଥିଲେ ଓଡ଼ିଶାର ପ୍ରଥମ ଓ ଏଯାବତ୍ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ। ଉଭୟ ଥର ମୁଖ୍ୟମନ୍ତ୍ରିତ୍ବରେ ନନ୍ଦିନୀ ପୂର୍ଣ୍ଣକାଳ ପାଇଁ ମୁଖ୍ୟମନ୍ତ୍ରୀ ହୋଇପାରିନାହାନ୍ତି। ତା’ପରେ ଗତ ୪୭ ବର୍ଷରେ ଓଡ଼ିଶା ଆଉ ଦ୍ବିତୀୟ ମହିଳା ମୁଖ୍ୟମନ୍ତ୍ରୀ ପାଇନାହିଁ। ୧୯୩୭ରୁ ୨୦୨୩ଯାଏ, ଓଡ଼ିଶା ବିଧାନସଭାେର ମହିଳା ବାଚସ୍ପତିଙ୍କୁ ଦେଖିବାକୁ ମିଳି ନ ଥିଲା। ୮୫ ବର୍ଷ ପରେ ୨୦୨୩ ସେପ୍ଟେମ୍ବର ୨୨ ତାରିଖରେ ପ୍ରମିଳା ମଲ୍ଲିକଙ୍କୁ ଓଡ଼ିଶା ପ୍ରଥମ ମହିଳା ବାଚସ୍ପତି ଭାବେ ପାଇଥିଲା। ଯଦିଓ କେତେକଙ୍କ ଦାବି ଯେ ସରଳା ଦେବୀ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ୧୯୩୬ ମସିହାର ନିର୍ବାଚନ ଜିତି ଓଡ଼ିଶା ବିଧାନସଭାରେ ପ୍ରଥମ ମହିଳା ବିଧାୟିକା