ଅବସରକାଳୀନ ପାଣ୍ଠି ସଂଗଠନ ‘ଇପିଏଫଓ’ ଦ୍ବାରା ପ୍ରକାଶିତ ଗତ ଜୁନ୍ ମାସର ତଥ୍ୟାବଳୀ କେତେକ ସକାରାତ୍ମକ ଚିତ୍ର ବହନ କରୁଛି। ଏହି ସଂଗଠନରେ ଜୁନ୍ ମାସରେ ୨୧.୮୯ ଲକ୍ଷ କର୍ମଚାରୀ ସଦସ୍ୟତା ହାସଲ କରିଛନ୍ତି, ଯାହା ଏକ ରେକର୍ଡ। ଅଧିକ ସୁଖଦ କଥା ହେଲା ଏହି ରେକର୍ଡରେ ମହିଳା କର୍ମଚାରୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ତଥ୍ୟ ଅନୁସାରେ ଜୁନ୍ ମାସରେ ୩.୦୨ ଲକ୍ଷ ମହିଳା ନୂଆ କରି ଇପିଏଫ୍ଓ ସଦସ୍ୟତା ହାସଲ କରିଛନ୍ତି, ଯାହା ପୂର୍ବ ମାସ ତୁଳନାରେ ୧୪.୯୨% ଓ ପୂର୍ବ ବର୍ଷ ଜୁନ୍ ତୁଳନାରେ ୧.୩୪% ବଢ଼ିଛି। କାର୍ଯ୍ୟରତ ମହିଳା ସଦସ୍ୟଙ୍କ ସଂଖ୍ୟାରେ ଏହି କ୍ରମାନ୍ବିତ ବୃଦ୍ଧି ଦର୍ଶାଉଛି ଯେ ମହିଳାଙ୍କ ଲାଗି ନିଯୁକ୍ତିର ସୁଯୋଗ ସାଙ୍ଗକୁ ଆର୍ଥିକ ସଚେତନତା ବୃଦ୍ଧି ପାଉଛି ଏବଂ ଭାରତର ଶ୍ରମଶକ୍ତି ଅଧିକ ଅନ୍ତର୍ଭୁକ୍ତୀ ଓ ବିବିଧ ହେଉଛି।
ଇପିଏଫ୍ଓରେ ମହିଳାଙ୍କ କ୍ରମବର୍ଦ୍ଧିଷ୍ଣୁ ଉପସ୍ଥିତିରୁ ମିଳୁଥିବା ଅନ୍ୟ ଏକ ସଂକେତ ହେଲା ଔପଚାରିକ କ୍ଷେତ୍ରରେ ନିଯୁକ୍ତି ପାଇବା ଦ୍ବାରା ସେମାନଙ୍କ ସଶକ୍ତୀକରଣ ଓ ଦୀର୍ଘକାଳୀନ ଆର୍ଥିକ ସୁରକ୍ଷା ସୁନିଶ୍ଚିତ ହୋଇପାରୁଛି। ସେହିପରି ପାରମ୍ପରିକ ପ୍ରତିବନ୍ଧକ ଡେଇଁ ମହିଳାମାନେ ଶ୍ରମଶକ୍ତିରେ ଯୋଗ ଦେବା ଓ ଲିଙ୍ଗ ସମାନତା ସୁଦୃଢ଼ ହେବ ମଧ୍ୟ ଖୁବ୍ ସକାରାତ୍ମକ କଥା।