ଭାରତର ଷ୍ଟାର୍ଟଅପ୍ ଜଗତରେ ମହିଳାମାନଙ୍କ ଉପସ୍ଥିତି ବେଶ୍ ପ୍ରାଞ୍ଜଳ ହେଲାଣି। କୃତ୍ରିମ ବୁଦ୍ଧିମତ୍ତା ଓ ବୈଷୟିକ ବିଦ୍ୟାର ଉପଯୋଗରେ ଉଦ୍ୟୋଗୀ ମହିଳାଙ୍କଦ୍ବାରା ପରିଚାଳିତ ପାଞ୍ଚଟି ଷ୍ଟାର୍ଟଅପ୍ ବିଷୟରେ ଜାଣିବା, ଯେଉଁଗୁଡ଼ିକ ବିଭିନ୍ନ କ୍ଷେତ୍ରରେ ସମାଧାନର ସୂତ୍ର ବାହାର କରି ବ୍ୟସ୍ତବହୁଳ ଜୀବନକୁ ସହଜ କରୁଛନ୍ତି। ଅନୁଷ୍କା ସେଟ୍ଟୀଙ୍କ ‘ପ୍ଲପ୍’ ଡିଜିଟାଲ୍ କାହାଣୀ ବ୍ୟାଖ୍ୟାନର ମଞ୍ଚ ଭାବରେ ମନୋରଞ୍ଜନ ପାଇଁ ନୂତନ ଖୋରାକ ଯୋଗାଉଛି। ଆଜିର ସ୍ମାର୍ଟଫୋନ୍ ଯୁଗରେ ଲୋକେ ସାମାଜିକ ଗଣମାଧ୍ୟମରେ ମେସେଜ୍ ପ୍ରେରଣ ଓ ଅନ୍ବେଷଣ ପାଇଁ ଅନେକ ସମୟ ବିତାଉଛନ୍ତି। ତେଣୁ ସେମାନଙ୍କୁ ମେସେଜ୍ ଆକାରରେ ମଜାଦାର କାହାଣୀ ଶୁଣାଇବା ଲକ୍ଷ୍ୟରେ ୨୦୧୮ରେ ଅନୁଷ୍କା ‘ପ୍ଲପ୍’ର ପରିକଳ୍ପନା କରାଯାଇଥିଲା। ଅନ୍ଲାଇନ୍ କାହାଣୀଗୁଡ଼ିକୁ ଜୀବନ୍ତ କରିବା ପାଇଁ ଏଥିରେ ମୋବାଇଲ୍ ଫୋନ୍ର ଭାଇବ୍ରେସନ୍, ଫ୍ଲାସ୍ଲାଇଟ୍ ପରି ଫିଚର୍ଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି। ସମ୍ପ୍ରତି ଆମେରିକା, ଜାପାନ ଓ ନିଉଜିଲାଣ୍ଡ୍ ପରି ଉନ୍ନତ ଦେଶରେ ‘ପ୍ଲପ୍’ର ଚାହିଦା ବେଶୀ ରହିଛି।
ଲୋକଙ୍କୁ ଆବେଗିକ ତଥା ମାନସିକ ଆଘାତରୁ ମୁକ୍ତି ଦେବା ପାଇଁ ଜୋ ଅଗ୍ରଵାଲଙ୍କ ଷ୍ଟାର୍ଟଅପ୍ ‘ଵାଇସା’ ଫଳପ୍ରଦ ହୋଇପାରିଛି। କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଉପରେ ଆଧାରିତ ଏହି ଚାଟ୍ବଟ୍ ଲୋକଙ୍କୁ ମାନସିକ ଆଘାତରୁ ମୁକୁଳାଇବାର ବାଟ ବତାଉଛି। ଏହି ଏଆଇ ଆଧାରିତ ଆଭାସୀ କୋଚ୍ ସାମନାରେ ଜଣେ ପ୍ରକାଶ କରୁଥିବା ଭାବନାରେ ପ୍ରତିକ୍ରିୟା ଦେଖାଇ ମାନସିକ ସ୍ଥିରତା ଫେରି ପାଇବାର ପ୍ରମାଣ ଆଧାରିତ ଆଚରଣ କୌଶଳ, ଧ୍ୟାନ ଓ ଯୋଗ ଆଦି କୌଶଳ ଶିଖାଉଛି। ଏହା ବ୍ୟବହାରକାରୀଙ୍କ ବହୁବିଧ କାର୍ଯ୍ୟକଳାପ ଓ ନିଦ୍ରାକୁ ମଧ୍ୟ ନିରୀକ୍ଷଣ କରୁଛି। ‘ଵାଇସା’ କୌଣସି ମତାମତ ନ ଦେଇ କେବଳ ଉପଯୁକ୍ତ ପ୍ରଶ୍ନ ପଚାରି ସ୍ବୟଂସହାୟକ କୌଶଳ ମାଧ୍ୟମରେ ମାର୍ଗଦର୍ଶନ କରୁଛି। ଭଡ଼ାସୂତ୍ରରେ ଅନ୍ଲାଇନ୍ରେ ରୁଚିସଂପନ୍ନ ପୋଷାକ ପରିଚ୍ଛଦ ଯୋଗାଇ ଦେବାରେ ଶ୍ରେୟା ମିଶ୍ରଙ୍କ ଷ୍ଟାର୍ଟଅପ୍ ‘ଫ୍ଲାଇରୋବ୍’ର ଭୂମିକା ଉପଯୋଗୀ ହୋଇପାରିଛି। ୨୦୧୫ରେ ସ୍ଥାପିତ ଏହି ଆପ୍ ଏବେ ଭାରତର ୧୫ଟି ସହରରେ ଉଭୟ ପୁରୁଷ ଓ ମହିଳାଙ୍କୁ ମନପସନ୍ଦର ବସ୍ତ୍ର ଯୋଗାଇପାରୁଛି।
ଭିନ୍ନକ୍ଷମମାନଙ୍କ ପାଇଁ ଉତ୍ତମ ସାଥୀ ଖୋଜିବା ଲାଗି କଲ୍ୟାଣୀ ଖୋନାଙ୍କ ଷ୍ଟାର୍ଟଅପ୍ ‘ଇନ୍କ୍ଲୋଭ୍’ ଏକ ଶ୍ରେଷ୍ଠ ବିକଳ୍ପ କହିଲେ ଅତ୍ୟୁକ୍ତି ହେବନାହିଁ। ୨୦୧୬ରେ ସ୍ଥାପିତ ଏହି ଆପ୍ ଅଦ୍ୟାବଧି ୧୨,୦୦୦ ଭିନ୍ନକ୍ଷମ ଦମ୍ପତିଙ୍କୁ ବିବାହ ବନ୍ଧନରେ ଆବଦ୍ଧ କରିପାରିଛି।
ବିଳାସମୟ ଜୀବନକୁ ଆହୁରି ସରସ ସୁନ୍ଦର କରୁଛି ପଲ୍ଲବୀ ଗୁପ୍ତାଙ୍କ ‘ଏସ୍ପ୍ରେସୋ ଲାବ୍ସ’। ତାଙ୍କ କମ୍ପାନିଦ୍ବାରା ବିକଶିତ ଆପ୍ ହୋଟେଲ ପରିଚାରକ ଭାବେ କାମ କରିବାକୁ ସକ୍ଷମ। ହୋଟେଲ୍ର ଗ୍ରାହକଙ୍କ ନିର୍ଦେଶ ଓ ଅନୁରୋଧକୁ ତ୍ରୁଟିଶୂନ୍ୟ ଭାବରେ ଅନୁସରଣ କରି ସେ ବରାଦ ମୁତାବକ ବ୍ୟଞ୍ଜନ ଠିକ୍ ଭାବରେ ପହଞ୍ଚାଇବାର ବ୍ୟବସ୍ଥା କରିପାରୁଛି। ବେଳେ ବେଳେ ଯଥାର୍ଥ ଭାବ ବିନିମୟ ଅଭାବ ଯୋଗୁଁ ତାରକା ହୋଟେଲରେ ମଧ୍ୟ ବରାଦ ମୁତାବକ ସେବା ପାଇବାରେ ବିଳମ୍ବ ଘଟିଥାଏ। ଏହି ଅସୁବିଧା ଦୂର କରିବା ଲାଗି ପଲ୍ଲବୀଙ୍କ ଏହି ଆପ୍ ଦେବଦୂତ ଭାବେ କାମ କରୁଛି।