କରୋନା ଦୁଃଖ ଥିଲା ଅତି ଭୟଙ୍କର। ମୃତ୍ୟୁପରେ ବି ପିଛା ଛାଡୁନଥିଲା ମାରାତ୍ମକ ସଂକ୍ରମଣ। ଶବକୁ ଧରିବା ତ ଦୂରର କଥା ଛୁଇଁବାକୁ ସାହସ ଜୁଟାଇପାରୁନଥିଲେ ନିଜ ପରିଚିତ ବ୍ୟକ୍ତି। ଏଭଳି ଦୁଃସମୟରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଟ୍ରେନ୍ ଲାଇନ୍ କଡ଼ରୁ ମୃତଦେହ ଉଦ୍ଧାର କରିବା କାର୍ଯ୍ୟ କରି ଏକ ନିଆରା ପରିଚୟ ସୃଷ୍ଟି କରିଥିଲେ ପ୍ରଦୀପ ସେବା ଟ୍ରଷ୍ଟର ସମ୍ପାଦିକା ମଧୁସ୍ମିତା ପୃଷ୍ଟି।

Advertisment

ଟ୍ରେନ୍ କଡ଼ ହେଉ କି କୋଭିଡ୍‌ ସଂକ୍ରମିତ ମଶାଣିରେ ମୃତଦେହ ସବୁକୁ ପୋଡ଼ୁଥିଲେ। କରୋନା କାଳରେ ଭରତପୁର ଶ୍ମଶାନରେ ୧୫୯ ଜଣ ନନ୍ କୋଭିଡ଼୍ ଓ ୮୧ ଜଣ କୋଭିଡ଼୍ ମୃତ ଶରୀରକୁ ପୋଡ଼ିଥିଲେ। ସେହି ସମୟରେ କାଳିଗାଡ଼ିଆ ଶ୍ମଶାନରେ ମଧ୍ୟ ୩୩ ଜଣଙ୍କୁ ନନ୍ କୋଭିଡ଼୍ ଶବ ସଂସ୍କାର କରିଥିଲେ। ସେଥିରେ ସହଯୋଗ କରିଥିଲେ ତାଙ୍କ ସ୍ବାମୀ ତଥା ପ୍ରଦୀପ ସେବା ଟ୍ରଷ୍ଟର ମୁଖ୍ୟ ପ୍ରଦୀପ କୁମାର ପୃଷ୍ଟି। ଦୀର୍ଘ ୭ ବର୍ଷ ହେଲା ମଧୁସ୍ମିତା ଏହି କାମ କରୁଥିଲେ ହେଁ ୨୦୨୦ ଓ ୨୦୨୧ ମସିହାରେ ଏହି କାର୍ଯ୍ୟ ବଢ଼ିଯାଇଥିଲା। ବର୍ତ୍ତମାନ ସୁଦ୍ଧା ୧୫ ଶହ ଶବ ଉଠାଇବା ବେଳେ ପ୍ରାୟ ୬ ଶହରୁ ଉର୍ଦ୍ଧ୍ବ ଶବକୁ ଦାହ କରିବାରେ ସାମିଲ ହୋଇଛନ୍ତି। ତାଙ୍କ ପ୍ରତିନିଧିତ୍ବରେ ଆରମ୍ଭ ହୋଇଛି ଓଡ଼ିଶାର ପ୍ରଥମ ମହିଳା ଅଜଣା ଶବ ଉଠାଇବା ଓ ଶବ ସଂସ୍କାର କରିବା ଟିମ୍।

publive-image

ଏହି ଟିମ୍‌ରେ ସାମିଲ୍‌ ହୋଇଛନ୍ତି ସ୍ନେହାଞ୍ଜଳି ସେଠୀ, ସ୍ମିତା ମହାନ୍ତି ଓ ସ୍ବାଗତିକା ରାଓ। ସ୍ନେହାଞ୍ଜଳି ଜାଗମରା ବରବାରିରେ ରୁହନ୍ତି। ସେ ପାଠ ପଢ଼ିବା ସହ ସମାଜସେବା ପାଇଁ ଏହି କାମ ପାଇଁ ଆପଣାଇଛନ୍ତି। ସେ ୧୦ଟି ଶବ ଉଠାଇବା ସହ ପ୍ରାୟ ୯ଟି ଶବ ପୋଡ଼ିବାରେ ସାମିଲ୍‌ ହୋଇଛନ୍ତି। ସେହିପରି ଅନ୍ୟ ଏକ ଯୁବତୀ ସ୍ବାଗତିକା ରାଓ କରୋନା କାଳରୁ ଏହି ସେବାରେ ସାମିଲ୍‌ ହୋଇଛନ୍ତି। ସେ ୨୦ଟି ଶବକୁ ଉଠାଇବାରେ କାର୍ଯ୍ୟ କରିଥିବା ବେଳେ ୫ଟି ଶବକୁ ସଂସ୍କାର କରିବାରେ ସାମିଲ୍‌ ହୋଇଛନ୍ତି। ସେ ସୁନ୍ଦରପଦାରେ ରହୁଥିବା ବେଳେ ଏକ ବେସରକାରୀ ସଂସ୍ଥାରେ ରହି କାର୍ଯ୍ୟ କରନ୍ତି। ସ୍ବାଗତିକା ସମାଜସେବା ପାଇଁ ଏହି ପେଶାକୁ ଆପଣାଇଛନ୍ତି। ସେହିପରି ପୁରୁଣା ଭୁବନେଶ୍ବର ଶ୍ମଶାନ ପଡ଼ିଆରେ ରହୁଥିବା ସ୍ମିତା ମହାନ୍ତିଙ୍କର ଏକ ଲେଡିଜ୍ କର୍ଣ୍ଣର ରହିଛି। ସେ ୧୩ଟି ଶବ ଉଠାଇଥିବା ବେଳେ ପ୍ରାୟ ୬ଟି ଶବ ପୋଡ଼ିବାରେ ସହଯୋଗ କରିଛନ୍ତି। ମହିଳାମାନଙ୍କର ଅଜଣା ଶବକୁ ସଂସ୍କାର କରିବା ପାଇଁ ଏହି ଉଦ୍ୟମ ଏବେ ପ୍ରଶଂସାର ପାତ୍ର ହୋଇଛନ୍ତି।

ଲିଙ୍ଗରାଜ ସାହୁ