ଲିଙ୍ଗଗତ ଅସମାନତା ଦୂର କରିବ ମହିଳା ବିଶ୍ୱବିଦ୍ୟାଳୟ

(ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ ଉପଲକ୍ଷେ)

ସମ୍ପ୍ରତି ସମାଜରେ ମହିଳାମାନେ ଅନେକ ଆଗକୁ ଯାଇଥିଲେ ମଧ୍ୟ ସଂଖ୍ୟାଧିକ ମହିଳା ଲିଙ୍ଗଗତ ବୈଷମ୍ୟର ଶିକାର ହେଉଛନ୍ତି। ଏହା ମହିଳାମାନଙ୍କୁ ଆଗକୁ ନେବାରେ ମୁଖ୍ୟ ଅନ୍ତରାୟ। ସାମାଜିକ, ରାଜନୈତିକ, ଅର୍ଥନୈତିକ ତଥା ସାଂସ୍କୃତିକ ଅସମାନତା ଦୂର ପାଇଁ ଏକ ମହିଳା ବିଶ୍ୱବିଦ୍ୟାଳୟର ଭୂମିକା ଗୁରୁତ୍ୱପୂର୍ଣ। ଆଜିର ଜ୍ଞାନ ଓ ଯୋଗାଯୋଗ ବିପ୍ଲବର ଯୁଗରେ କୌଣସି ରାଷ୍ଟ୍ର ବା ସମାଜ ନିଜର ଅଧା ଜନସଂଖ୍ୟାର ଉଚ୍ଚଶିକ୍ଷାର ଆବଶ୍ୟକତାକୁ ଅବହେଳା କରିପାରିବ ନାହିଁ। ଶିକ୍ଷା ପ୍ରତ୍ୟକ ମଣିଷର ଅଧିକାର। ଏପରି ଏକ ପୃଷ୍ଠଭୂମିରେ ଓଡିଶା ସରକାର ୨୦୧୫ ମସିହାରେ ପୁରାତନ ରମାଦେବୀ ମହିଳା ମହାବିଦ୍ୟାଳୟକୁ ଏକ ଅନୁବନ୍ଧିତ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ଏକ ଐତିହାସିକ ପଦକ୍ଷେପ। ଏହା କେବଳ ରାଜ୍ୟରେ ବିଶ୍ୱବିଦ୍ୟାଳୟର ସଂଖ୍ୟା ବୃଦ୍ଧିରେ ସୀମିତ ନୁହେଁ। ଲିଙ୍ଗଗତ ଅନ୍ୟାୟକୁ ଭାଙ୍ଗିବାରେ ଏହା ଏକ ବଳିଷ୍ଠ ପଦକ୍ଷେପ। ଯୋଜନାବଦ୍ଧଭାବେ ମହିଳା ବିଶ୍ୱବିଦ୍ୟାଳୟ କେବଳ ଶିକ୍ଷାଦାନ ଭିତରେ ନିଜକୁ ସୀମିତ ନ ରଖି ଲିଙ୍ଗଗତ ପ୍ରଭେଦର କାରଣ ଓ ନିରାକରଣ ଉପରେ ଓଡିଶାଭିତ୍ତିକ ଗବେଷଣା କରି ସରକାରଙ୍କ ନୀତିକୁ ପ୍ରଭାବିତ କରିପାରିଲେ ଏହାର ଉଦ୍ଦେଶ୍ୟ ସଫଳ ହେବ। ମତାଦର୍ଶ ସତ୍ତ୍ବେ ସମସ୍ତେ ଏକମତ ଯେ ନାରୀ ସଶକ୍ତୀକରଣରେ ଉଚ୍ଚଶିକ୍ଷା ଏକ ଶକ୍ତିଶାଳୀ ଆୟୁଧ। ଏହାଦ୍ୱାରା ଛାତ୍ରୀମାନେ କେବଳ ରୋଜଗାରକ୍ଷମ ହେବେ ନାହିଁ, ବରଂ ସଚେତନ ନାଗରିକ ହୋଇ ସମ୍ବିଧାନର ଆଦର୍ଶ ଭିତ୍ତିରେ ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଭୂମିକା ଗ୍ରହଣ କରିବେ।

ଶିକ୍ଷା ପାଇଲେ ମହିଳାମାନେ ଅଧିକ ଉତ୍ପାଦନକ୍ଷମା ହୋଇପାରିବେ ଓ ରାଷ୍ଟ୍ରର ଅର୍ଥନୈତିକ ଅଗ୍ରଗତିର ବାହକ ହୋଇପାରିବେ। ଉଚ୍ଚଶିକ୍ଷାକ୍ଷେତ୍ରରେ ଲିଙ୍ଗଗତ ସନ୍ତୁଳନ ଆଣିବାକୁ ହେଲେ ମହିଳା ବିଶ୍ୱବିଦ୍ୟାଳୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ରମାଦେବୀ ଚୌଧୁରୀଙ୍କ ନାମରେ ନାମିତ ରମାଦେବୀ ମହିଳା ମହାବିଦ୍ୟାଳୟ ପରେ ବିଶ୍ୱବିଦ୍ୟାଳୟ ହୋଇଛି, ଯାହା ଏକ ଐତିହାସିକ ଓ ଗୌରବମୟ ପରମ୍ପରାର ଦାୟାଦ। ୧୯୬୪ରେ ଶ୍ରମ ବିଭାଗର ଏକ ଛୋଟ କୋଠରିରେ ସ୍ୱଳ୍ପ କେତେଜଣ ଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ମହାବିଦ୍ୟାଳୟ ଆଜି ଶିକ୍ଷାର ଏକ ମହାଦ୍ରୁମରେ ପରିଣତ ହୋଇଛି। କେବଳ ଓଡିଶା ନୁହେ, ପଡୋଶୀ ରାଜ୍ୟର ଛାତ୍ରୀମାନଂକର ଏହା ଉଚ୍ଚଶିକ୍ଷାର ଗନ୍ତବ୍ୟସ୍ଥଳରେ ପରିଣତ ହୋଇଛି। ଶିକ୍ଷା ଓ ଗବେଷଣାର ସମନ୍ୱୟ ଏହାକୁ ଆଗକୁ ନେଇପାରିବ।

ରମାଦେବୀଙ୍କ ତ୍ୟାଗ ଓ ଅଂଗୀକାର ଛାତ୍ରୀମାନଂକ ପାଇଁ ପ୍ରେରଣାର ଉତ୍ସ। ଏହି ଶିକ୍ଷାନୁଷ୍ଠାନ ନିଜର ଗୌରବମୟ ଇତିହାସରେ ଅନେକ ପ୍ରତିଭା ସୃଷ୍ଟି କରିପାରିଛି। ଦେଶର ମାନ୍ୟବର ରାଷ୍ଟ୍ରପତି ଏହି ଶିକ୍ଷାନୁଷ୍ଠାନର ଛାତ୍ରୀ। ଏହାର ପରମ୍ପରା ଏହି ବିଶ୍ୱବିଦ୍ୟାଳୟର ସାମାଜିକ ପୁଞ୍ଜି। ଅତ୍ୟାଧୁନିକ ଯୋଗାଯୋଗ ବ୍ୟବସ୍ଥା ସତ୍ତ୍ବେ ଏକ ବିଶ୍ୱବିଦ୍ୟାଳୟ ଓ ଏହାର ପାରମ୍ପରିକ ଶିକ୍ଷାଦାନପ୍ରଣାଳୀ ଆଜି ବି ପ୍ରାସଙ୍ଗିକ। ଏକ ମହିଳା ବିଶ୍ୱବିଦ୍ୟାଳୟର ସୃଷ୍ଟି ଓ ବିକାଶ ଏକ ଐତିହାସିକ ସୁଯୋଗ। ଭବିଷ୍ୟତରେ ଶିକ୍ଷାରେ ଏହି ଆଧୁନିକ ମନ୍ଦିର ନିଶ୍ଚିତ ରୂପେ ଲିଙ୍ଗଗତ ସମାନତା ଆଣିବାରେ ସହାୟକ ହେବ। ଆଜିର ସମାବର୍ତ୍ତନ ଉତ୍ସବରେ ଏହା ହିଁ ଆଶା।

ଡ. ମାନସ ବେହେରା, ପ୍ରାଧ୍ୟାପକ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ

ସମ୍ବନ୍ଧିତ ଖବର