ଆଜି ବିଶ୍ବ ଅଟିଜିମ୍‌ ସଚେତନତା ଦିବସ: ଅଟିଜିମ୍‌ ନୁହେଁ ମାନସିକ ବିକୃତି

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ’)ର ତଥ୍ୟ ମୁତାବକ, ପ୍ରତି ୧୦୦ ଶିଶୁଙ୍କ ମଧ୍ୟରେ ଜଣେ ଅଟିଜିମ୍‌ର ଶିକାର। ଏହାଠୁ ବେଶି ଉଦ୍‌ବେଗର କଥା ହେଲା, କ୍ରମାଗତ ଭାବେ ଏଭଳି ଶିଶୁଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହି ରୋଗର ଶିକାର ଶିଶୁମାନଙ୍କର ମସ୍ତିଷ୍କ ବିକାଶ ବିଳମ୍ବ ହୋଇଥାଏ। କିନ୍ତୁ ଉପଯୁକ୍ତ ଚିକିତ୍ସା ଦ୍ବାରା ଏଥିରୁ ଜଣେ ଶିଶୁ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିପାରିବ। ଏ ରୋଗର ଲକ୍ଷଣ, ନିରାକରଣ ଓ ଏହାର ଅନ୍ୟାନ୍ୟ ଦିଗ ସଂପର୍କରେ ବିସ୍ତୃତ ଭାବେ ଜାଣିବା ପାଇଁ ବିଶ୍ବ ଅଟିଜିମ୍‌ ସଚେତନା ଦିବସ ଅବସରରେ ‘ସମ୍ବାଦ’ ପକ୍ଷରୁ ତୁଷାର ମହାନ୍ତିଙ୍କ ସହ ଅଟିଜିମ୍‌ ଶିଶୁଙ୍କ ଚିକିତ୍ସା କରୁଥିବା ବିଶିଷ୍ଟ ଅକ୍ୟୁପେସନାଲ ଥେରାପିଷ୍ଟ ବିଶ୍ବରଂଜନ ଲେଙ୍କାଙ୍କ ସ୍ବଳ୍ପ ଆଳାପ…

ପ୍ର: ଅଟିଜିମ୍‌ କ’ଣ ଓ କେତେ ପ୍ରକାରର?
ଉ: ଏହା ଏକ ମସ୍ତିଷ୍କ ସମ୍ବନ୍ଧୀୟ ରୋଗ। ଏହି ରୋଗର ଶିକାର ଶିଶୁମା‌ନେ ଅନ୍ୟମାନଙ୍କ ସହ କଥାବାର୍ତ୍ତା ହେବାରେ ଅସହଜ ଅନୁଭବ କରିଥାଆନ୍ତି। କଥା କହିବା ଓ ବୁଝିବାରେ ସେମାନଙ୍କୁ ସମସ୍ୟା ହୋଇଥାଏ। ତେବେ ଝିଅମାନଙ୍କ ଅପେକ୍ଷା ପୁଅମା‌ନେ ବେଶି ଏହି ରୋଗର ଶିକାର ହୋଇଥାଆନ୍ତି। ବର୍ଗୀକରଣ କରାଗଲେ, ଅଟିଜିମ୍‌ ମୁଖ୍ୟତଃ ୩ ପ୍ରକାରର। ଶିଶୁର ଲକ୍ଷଣ ଅନୁଯାୟୀ ବିଶେଷଜ୍ଞମାନେ ତାହାକୁ ଚିହ୍ନଟ କରିଥାଆନ୍ତି।

ପ୍ର: ପିଲା ଦେହରେ କେଉଁ ଲକ୍ଷଣଗୁଡ଼ିକ ଦେଖିଲେ, ସେ ଅଟିଜିମ୍‌ର ଶିକାର ବୋଲି ଜାଣିପାରିବା?
ଉ: ଅନ୍ୟ ସହ ଆଖିରେ ଆଖି ମିଶାଇ କଥା ନ ହେବା, ଠିକ୍‌ ଭାବେ ଭାବ ବିନିମୟ କରି ନପାରିବା, ଅତ୍ୟଧିକ ପ୍ରତିକ୍ରିୟାଶୀଳ ହେବା, ଡାକିଲେ କିମ୍ବା ଠାରିଲେ ଧ୍ୟାନ ନ ଦେବା, ଠିକ୍‌ ଭାବେ ଦୈନନ୍ଦିନ କାର୍ଯ୍ୟ କରି ନପାରିବା ଆଦି ଅଟିଜିମ୍‌ର ଲକ୍ଷଣ।

ପ୍ର: ଅଟିଜିମ୍‌ରେ ପୀଡ଼ିତ ଶିଶୁ ଜନ୍ମ ହେବା ପଛରେ ପ୍ରତ୍ୟକ୍ଷ ବା ପରୋକ୍ଷରେ ବାପା-ମା’ ଦାୟୀ କି?
ଉ: ବୈଜ୍ଞାନିକ ଦୃଷ୍ଟିକୋଣରୁ ଏମିତି କିଛି ତଥ୍ୟ ଏପର୍ଯ୍ୟନ୍ତ ପ୍ରମାଣିତ ହୋଇପାରିନାହିଁ। କହିବାକୁ ଗଲେ, ଅଟିଜିମ୍‌ ଏକ ଜନ୍ମଗତ ରୋଗ ନୁହେଁ। ଏହା ମୁଖ୍ୟତଃ ୨-୩ ବର୍ଷ ବୟସର ଶିଶୁଙ୍କ ମଧ୍ୟରେ ଦେଖାଦେଇଥାଏ। କିନ୍ତୁ, ଶିଶୁଟି ଯେ ଅଟିଜିମ୍‌ର ଶିକାର, ପିତାମାତା ଶୀଘ୍ର ଏକଥା ଜାଣି ନପାରିଲେ ତାହା କ୍ରମଶଃ ବୃଦ୍ଧି ପାଇ ଯାଇଥାଏ। ସଅଳ ନିରୂପଣ ଓ ଚିକିତ୍ସା ଦ୍ବାରା ଶିଶୁଟିକୁ କମ୍‌ ସମୟ ମଧ୍ୟରେ ଆରୋଗ୍ୟ କରାଯାଇ ପାରିବ।

ପ୍ର: ଅଟିଜିମ୍‌ ଓ ମାନସିକ ବିକୃତି ଭିତରେ ପ୍ରଭେଦ ଅଛି ନା ଉଭୟ ସମାନ?
ଉ: ନା… ନା। ଏ ଦୁଇଟା ରୋଗ ଭିତରେ ଆକାଶ ପାତାଳ ଫରକ୍‌। ଅଟିଜିମ୍‌କୁ ମାନସିକ ବିକୃତି ବୋଲି କୁହାଯାଇପାରିବ ନାହିଁ। ମାନସିକ ବିକୃତିରେ ସାଧାରଣତଃ ସାଧାରଣ ଜ୍ଞାନ ବା ବୁଦ୍ଧିମତା ଦୁର୍ବଳ ଥାଏ ଏବଂ ଶିଶୁ/ବ୍ୟକ୍ତି ସମୟ, ସ୍ଥାନ କିମ୍ବା ବ୍ୟକ୍ତିଙ୍କୁ ଚିହ୍ନଟ କରିପାରି ନଥାଏ। କିନ୍ତୁ ଅଟିଜିମ୍‌ର ଶିକାର ଶିଶୁମାନଙ୍କ କ୍ଷେତ୍ରରେ ଏ ପ୍ରକାର ମାନସିକ ଅସନ୍ତୁଳନ ଦେଖା ଦେଇ ନଥାଏ।

ପ୍ର: ଚିକିତ୍ସା ଦ୍ବାରା ଅଟିଜିମ୍‌‌‌ରେ ପୀଡ଼ିତ ଶିଶୁ ସଂପୂର୍ଣ୍ଣ ଭାବେ ମୁକ୍ତି ପାଇପାରିବ?
ଉ: ଅଟିଜିମ୍‌ରୁ ମୁକ୍ତି ପାଇବା, ରୋଗର ଗଭୀରତା, ଶିଶୁର କ୍ଷମତା ଏବଂ କେଉଁ ବୟସରେ ଶିଶୁର ଚିକିତ୍ସା ଆରମ୍ଭ ହେଉଛି, ତା’ ଉପରେ ନିର୍ଭର କରିଥାଏ। ସେନ୍‌‌‌ସୋରି ଇଣ୍ଟିଗ୍ରେସନ୍‌ ଚିକିତ୍ସା ଦ୍ବାରା ଆମେ ଅଟିଜିମ୍‌ ଶିଶୁମାନଙ୍କୁ ଦୈନନ୍ଦିନ ଜୀବନଯାପନରେ ସ୍ବାଧୀନ କରାଇ ପାରିବା ଏବଂ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇପାରିବା।

ପ୍ର: ଅଟିଜିମ୍‌ ଶିଶୁର ଘରେ କିପରି ଯତ୍ନ ନେବା?
ଉ: ଶିଶୁରୋଗ ବିଶେଷଜ୍ଞ ଓ ଅକ୍ୟୁପେସନାଲ ଥେରାପିଷ୍ଟଙ୍କ ଉପଦେଶକ୍ରମେ ଘରେ ଶିଶୁମାନଙ୍କୁ ବିଭିନ୍ନ ଅଭ୍ୟାସ କରାଇପାରିବା। ଯେମିତିକି ନିଜ କାମ ନିଜେ କରିବା ପାଇଁ ଶିଖାଇବା, ସ୍ବାସ୍ଥ୍ୟକର ଓ ପୋଷଣଯୁକ୍ତ ଖାଦ୍ୟ ଦେବା, ଏକୁଟିଆ ନ ରଖି ପାରିବାରିକ ପରିବେଶ ଯୋଗାଇଦେବା।

ପ୍ର: ଆପଣଙ୍କ ଅନୁଷ୍ଠାନରେ ଏବେ କେତେ ଅଟିଜିମ୍‌ ଶିଶୁ ଚିକିତ୍ସିତ ହେଉଛନ୍ତି? ସେମାନଙ୍କୁ କେଉଁ କେଉଁ ଉପାୟରେ ଚିକିତ୍ସା କରାଯାଉଛି?
ଉ: ଆମ ଅନୁଷ୍ଠାନ ‘ଥେରାହୋମ୍‌: ଚାଇଲ୍‌ଡ ଡେଭଲପମେଣ୍ଟ ସେଣ୍ଟର୍‌’ରେ ଶହେରୁ ଊର୍ଦ୍ଧ୍ବ ଶିଶୁ ଚିକିତ୍ସିତ ହେଉଛନ୍ତି। ସେମାନଙ୍କୁ ସେନସୋରି ଇଣ୍ଟିଗ୍ରେସନ୍‌ ଥେରାପି, ଆର୍ଟ ଆଣ୍ଡ୍‌ କ୍ରାଫ୍ଟ ଥେରାପି, ସ୍ପିଚ୍‌ ଥେରାପି, ସ୍ପେସାଲ ଏଜୁକେସନ୍‌ ଏବଂ ବିଶେଷ ଭାବେ ଅକ୍ୟୁ‌ପେସନାଲ ଥେରାପିରେ ଚିକିତ୍ସା କରାଯାଇଥାଏ।

ପ୍ର: ଆପଣ ବହୁ ଅଟିଜିମ୍‌ ଶିଶୁଙ୍କ ଚିକିତ୍ସା କରିଛନ୍ତି। ସେଥିମଧ୍ୟରୁ କିଛି ଉଲ୍ଲେଖନୀୟ ଘଟଣା ଯାହା ଆପଣଙ୍କୁ ପ୍ରଭାବିତ କରିଛି?
ଉ: ସେମିତି ତ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଉଦାହରଣ ମୁଁ ଦେଇପାରିବି ନାହିଁ। କିନ୍ତୁ ଅଟିଜିମ୍‌ର ଶିକାର ଶିଶୁକୁ ବାପା-ମା’ମାନେ ଯେଉଁ ଅବସ୍ଥାରେ ଏଠିକି ଆଣିଥା’ନ୍ତି, କିଛି ମାସର ଥେରାପି ପରେ ତା’ର ବିକାଶ ଦେଖି ସେମା‌ନେ ଯେଉଁ ଆନନ୍ଦ ପ୍ରକାଶ କରିଥା’ନ୍ତି, ତାହା ମୋତେ ବେଶି ଖୁସି ଦେଇଥାଏ। ଶିଶୁମାନଙ୍କର ବିଭିନ୍ନ କ୍ଷେତ୍ରରେ ଉନ୍ନତି ଆମକୁ ପ୍ରେରିତ କରିଥାଏ। ବିଶେଷକରି ମୋ ଦ୍ବାରା ଚିକିତ୍ସିତ ହୋଇଥିବା ଶିଶୁମାନେ ଯେବେ ଶିକ୍ଷା, କ୍ରୀଡ଼ା, କଳା କ୍ଷେତ୍ରରେ ସଫଳତା ପାଇବା ମୋ ପାଇଁ ଗୋଟିଏ ଗୋଟିଏ ଉଲ୍ଲେଖନୀୟ ସ୍ମୃତି।

ସମ୍ବନ୍ଧିତ ଖବର