ଆମ ପରିସଂସ୍ଥା ତଥା ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ମହୁମାଛି ପରି ପରାଗ ସଙ୍ଗମକାରୀ କୀଟଙ୍କ ଗୁରୁତ୍ବପୂର୍ଣ୍ଣ ଅବଦାନ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ପାଇଁ ପ୍ରତି ବର୍ଷ ମେ ୨୦ ତାରିଖରେ ବିଶ୍ବ ମହୁମାଛି ଦିବସ ପାଳନ କରାଯାଉଛି। ପରାଗ ସଙ୍ଗମରେ ସହାୟକ ସାଜି ମହୁମାଛିମାନେ ବୃକ୍ଷମାନଙ୍କ ଅଭିବୃଦ୍ଧି ଓ ପ୍ରଜନନ କାର୍ଯ୍ୟ ସମ୍ଭବ କରାଇଥାନ୍ତି, ଯାହା ପ୍ରକାରାନ୍ତରେ ମଣିଷ ସମେତ ଅନ୍ୟାନ୍ୟ ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଇଥାଏ। ସ୍ଲୋଭେନିଆ ଦେଶର ପ୍ରସ୍ତାବକ୍ରମେ ୨୦୧୭ରେ ଜାତିସଂଘ ବିଶ୍ବ ମହୁମାଛି ଦିବସକୁ ସ୍ବୀକୃତି ଦେଇଥିଲା।

Advertisment

ଏଥିପାଇଁ ମେ ୨୦ ତାରିଖକୁ ବାଛିବା ପଛରେ ଜଣେ ପ୍ରସିଦ୍ଧ ମହୁମାଛି ସଂରକ୍ଷକଙ୍କ ଭୂମିକା ରହିଛି। ଏହି ଦିନ ସ୍ଲୋଭେନିଆର ଆଣ୍ଟୋନ୍ ଜାନା ଜନ୍ମ ଗ୍ରହଣ କରିଥିଲେ। ସେ ମହୁମାଛି ପାଳନର ଆଧୁନିକ ପ୍ରଣାଳୀ ବିକଶିତ କରିଥିଲେ ଯାହା ଫଳରେ ଅଷ୍ଟାଦଶ ଶତାବ୍ଦୀରେ ମହୁମାଛି ପାଳନ ଖୁବ୍ ଲୋକାଦୃତ ହୋଇଥିଲା। ଏ ବର୍ଷ ବିଶ୍ବ ମହୁମାଛି ଦିବସର ପ୍ରସଙ୍ଗ ହେଉଛି- ‘ଧାରଣକ୍ଷମ କୃଷି ପାଇଁ ମହୁମାଛି।’ ମହୁମାଛି ବିନା କୃଷିକାର୍ଯ୍ୟର ପରିକଳ୍ପନା ଅସମ୍ଭବ। ଏଥି ସହିତ ସେମାନେ ଜୈବବିବିଧତାର ସୁରକ୍ଷା ପାଇଁ ଅପରିହାର୍ଯ୍ୟ। ତେଣୁ ମହୁମାଛିଙ୍କ ହ୍ରାସମାନ ସଂଖ୍ୟା ପ୍ରତି ବିଶେଷ ଧ୍ୟାନ ଦେଇ ବିବିଧତା କ୍ଷୟକୁ ରୋକିବାର ଅବଶ୍ୟକତା ରହିଛି। କୀଟନାଶକର ଅନିୟନ୍ତ୍ରିତ ବ୍ୟବହାର ବନ୍ଦ କରିବା, ପ୍ରାକୃତିକ ମହୁ ବସାକୁ ସୁରକ୍ଷା ଦେବା, ମହୁମାଛିଙ୍କ ପାଇଁ ପାତ୍ରରେ ପାଣି ରଖିବା, ସ୍ଥାନୀୟ ମହୁ ଉତ୍ପାଦକଙ୍କ ଠାରୁ ମହୁ କିଣିବା ଆଦି ପଦକ୍ଷେପ ଦ୍ବାରା ମହୁମାଛିଙ୍କ ସଂଖ୍ୟା ବୃଦ୍ଧିରେ ଆମେ ବ୍ୟକ୍ତିଗତ ସ୍ତରରେ ଅବଦାନ ଦେଇପାରିବା।