ଆଜି ହେଉଛି ବିଶ୍ବ ଗର୍ଭନିରୋଧକ ଦିବସ। ୧୫ ବର୍ଷ ହେଲା ପ୍ରତି ବର୍ଷ ସେପ୍ଟେମ୍ବର ୨୬ ତାରିଖରେ ସାରା ବିଶ୍ବ ଏକାଠି ହୋଇ ଗର୍ଭନିରୋଧକର ଗୁରୁତ୍ବକୁ ଆଲୋକପାତ କରି ଆସୁଛନ୍ତି। ୨୦୦୭ ମସିହାରେ ୧୦ଟି ବିଶ୍ବସ୍ତରୀୟ ପରିବାର ନିୟୋଜନ ସଂସ୍ଥା ମିଳିତ ଭାବରେ ପ୍ରଥମ କରି ଜନ୍ମନିରୋଧକୁ ସୁଯୋଗ ଅପେକ୍ଷା ଏକ ବିକଳ୍ପ ଭାବେ ଘୋଷଣା କରିଥିଲେ। ଏହା ଉଭୟ ସ୍ଥାନୀୟ ଓ ବୈଶ୍ବିକ ସ୍ବାସ୍ଥ୍ୟସେବା ସଂଗଠନଗୁଡ଼ିକ ପାଇଁ ଗୋଟିଏ ମଞ୍ଚରେ ଏକଜୁଟ୍‌ ହୋଇ ସାଧାରଣ ଲୋକଙ୍କ ମନରେ ଗର୍ଭନିରୋଧ ବ୍ୟବସ୍ଥା ବାବଦରେ ସଚେତନତା ସୃଷ୍ଟି କରିବାର ଏକ ଅବସର ଆଣିଥାଏ। ଉଲ୍ଲେଖଯୋଗ୍ୟ, ନିଜ ସନ୍ତାନ ସଂଖ୍ୟା, ଗର୍ଭଧାରଣ ସମୟ ଓ ବ୍ୟବଧାନ ଚୟନ କରିବା ହେଉଛି ଜଣେ ମହିଳାର ମୌଳିକ ଅଧିକାର।

Advertisment

ସୁତରାଂ ଗର୍ଭନିରୋଧ ହେଉଛି ତା’ର ନିଷ୍ପତ୍ତି ନେବାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଗର୍ଭନିରୋଧକ ବ୍ୟବହାର ଦ୍ବାରା ମାତୃମୃତ୍ୟୁ ହାର ହ୍ରାସ, ନବଜାତ ଓ ଶିଶୁ ମୃତ୍ୟୁହାର ହ୍ରାସ, ଅନିଚ୍ଛାକୃତ ଗର୍ଭବାସ ଓ ଗର୍ଭପାତ ହ୍ରାସ ପରି ଅନେକ ଉପକାର ରହିଛି। ସୁତରାଂ ଜଣେ ମହିଳା ଗର୍ଭନିରୋଧକ ଦ୍ବାରା ନିଜ ଭବିଷ୍ୟତ ପାଇଁ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିପାରିବେ। ତେବେ ସଚେତନତା ଅଭାବରୁ ଏବେ ମଧ୍ୟ ବିଶ୍ବର ୨୫୭ ନିୟୁତ ମହିଳା ଗର୍ଭଧାରଣକୁ ଦୂରେଇ ଦେବାକୁ ଚାହୁଁଥିଲେ ବି ବିଭିନ୍ନ କାରଣରୁ ସେମାନେ ଗର୍ଭନିରୋଧର ନିରାପଦ ଆଧୁନିକ ପ୍ରଣାଳୀ ବ୍ୟବହାର କରୁନାହାନ୍ତି। ଯେ ପର୍ଯ୍ୟନ୍ତ ସାର୍ବଜନୀନ ଭାବେ ଗର୍ଭନିରୋଧକ ସୁବିଧା ଉପଲବ୍‌ଧ ନ ହୋଇଛି, ସେ ଯାଏ ମହିଳା ସଶକ୍ତୀକରଣ ଓ ଲିଙ୍ଗଗତ ସମାନତାର ବାଟ ବନ୍ଦ ରହିବ। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ହେଉଛି, ‘ବିକଳ୍ପର ଶକ୍ତି’। ଅର୍ଥାତ୍‌ ଜଣେ ଗର୍ଭନିରୋଧକର ଆଧୁନିକ ବିକଳ୍ପ ହାସଲ କରିପାରିଲେ ହିଁ ଭବିଷ୍ୟତକୁ ସୁନିୟୋଜିତ ଓ ସଶକ୍ତ କରିପାରିବ।