ପ୍ରଗତି ସାହୁ
ନୃତ୍ୟ ଏକ କଳା। ଏହାର ପ୍ରକୃଷ୍ଟ ପରିବେଷଣ ଲାଗି ପ୍ରଶିକ୍ଷଣ ଜରୁରି ହୋଇଥାଏ। କିନ୍ତୁ କୌଣସି ଆନନ୍ଦର ବାତାବରଣରେ ଆମେ ସାମିଲ ହେଲେ ଆପେ ଆପେ ନାଚିପକାଉ। ପୁଣି ନାଚକୁ ବି ଏକ ଆଦର୍ଶ ଚିତ୍ତବିନୋଦନକାରୀ ବ୍ୟାୟାମ କୁହାଯାଏ। ଯେହେତୁ ନାଚିଲେ ମାନସିକ ସ୍ତରରେ ଆମେ ଉଲ୍ଲସିତ ଓ ଶାରୀରିକ ସ୍ତରରେ ସକ୍ରିୟ ହୋଇଥାଉ, ତେଣୁ ସାମଗ୍ରିକ ଭାବେ ଶରୀର ଉପରେ ଏହା ସକାରାତ୍ମକ ପ୍ରଭାବ ପକାଇଥାଏ। ନୃତ୍ୟ ମାଧ୍ୟମରେ ଅନେକ ରୋଗର ମଧ୍ୟ ଚିକିତ୍ସା କରାଯିବା ଧାରା ବହୁ କାଳରୁ ପ୍ରଚଳିତ।
ଛୋଟ ବୟସରୁ ନୃତ୍ୟଶିକ୍ଷା ଲାଭଦାୟକ
ଆଜିକାଲି ବ୍ୟାୟାମ କରିବାକୁ ଅନେକେ କଷ୍ଟକର କାର୍ଯ୍ୟ ବୋଲି ଭାବୁଛନ୍ତି। ତେଣୁ ସେମାନେ ଫିଟ୍ ରହିବା ପାଇଁ ଜୁମ୍ବା ଡ୍ୟାନ୍ସ୍, ଏରୋବିକ୍ ଡ୍ୟାନ୍ସ୍ ଆଦି କରୁଛନ୍ତି; ଯାହା ଉଭୟ ନୃତ୍ୟ ଓ ଯୋଗର ସମ୍ମିଶ୍ରଣ। ନୃତ୍ୟ କରିବାଦ୍ବାରା ଆମର ଶରୀର ଓ ମନ ସୁସ୍ଥ ରହିବା ସହିତ ରକ୍ତ ସଂଚାଳନ ଠିକ୍ ହୋଇଥାଏ। ତେଣୁ ଛୋଟ ବୟସରୁ ପିଲାମାନଙ୍କୁ ନୃତ୍ୟ ଶିଖାଇବା ଉଚିତ। ଓଡ଼ିଶୀ ନୃତ୍ୟ ଛୋଟ ବୟସରୁ କରିବା ଦ୍ବାରା ଶରୀର ନମନୀୟ ହୋଇଥାଏ। ମାଂସପେଶୀ ଠିକ୍ ରହେ, ହୃତ୍ପିଣ୍ଡ ସୁସ୍ଥ ରହେ, ଓଜନ କମେ ଏବଂ ଏକାଗ୍ରତା ମଧ୍ୟ ବଢ଼ିଥାଏ। କିଛି ଲୋକଙ୍କ ପାଖରେ ହାଇପର୍ ମୋବିଲିଟି ସିଣ୍ଡ୍ରୋମ୍ ରହିଛି, ଏହା ଗଣ୍ଠିଗୁଡ଼ିକୁ ନମନୀୟ କରିଥାଏ। ଯଦିଓ ସେମାନେ ଭଲ ନୃତ୍ୟ କରିଥାନ୍ତି, କିନ୍ତୁ ବେଳେବେଳେ ଲିଗାମେଣ୍ଟ୍ ସମସ୍ୟାର ଶିକାର ହୋଇଥାନ୍ତି। ଏଥିପ୍ରତି ଯତ୍ନବାନ୍ ହେବା ଜରୁରି ବୋଲି କହିଛନ୍ତି ଓଡ଼ିଶା ଆର୍ଥ୍ରାଇଟିସ୍ ଓ ରୁୢମାଟୋଲଜି ସେଣ୍ଟର୍ର ନିର୍ଦ୍ଦେଶକ ପ୍ରଫେସର୍ ଡାକ୍ତର ଜ୍ୟୋତିରଞ୍ଜନ ପରିଡ଼ା।
କେତେକ ସର୍ବେକ୍ଷଣରୁ ପ୍ରମାଣିତ ହୋଇଛି ଯେ ପ୍ରତିଦିନ କିଛି ସମୟ ନୃତ୍ୟାଭ୍ୟାସ କରୁଥିବା ବ୍ୟକ୍ତିଙ୍କର କାର୍ଯ୍ୟ କରିବାର କ୍ଷମତା ନୃତ୍ୟ କରୁ ନଥିବା ବ୍ୟକ୍ତିଙ୍କ ତୁଳନାରେ ଯଥେଷ୍ଟ ଅଧିକ। ଉଭୟ ଶାସ୍ତ୍ରୀୟ ଓ ଆଧୁନିକ ନୃତ୍ୟର ଏଭଳି ଉପକାରିତା ରହିଛି। ଆମର ସ୍ବକୀୟ ଶାସ୍ତ୍ରୀୟ ନୃତ୍ୟଧାରା ଓଡ଼ିଶୀ ଏଥିରୁ ବାଦ୍ ନୁହେଁ। ଏହାର ଅଙ୍ଗଭଙ୍ଗୀ ଓ ମୁଦ୍ରାଗୁଡ଼ିକର ନିୟମିତ ଅଭ୍ୟାସ ଶରୀରକୁ ସୁସ୍ଥ ଓ ନିରୋଗ ରଖିଥାଏ। ଓଡ଼ିଶୀ ନୃତ୍ୟରେ ଆଖି ଚାଳନାଠାରୁ ଆରମ୍ଭ କରି ଗୋଇଠି ପର୍ଯ୍ୟନ୍ତ ପ୍ରତ୍ୟେକ ଅଙ୍ଗର କାର୍ଯ୍ୟ ରହିଥାଏ। ଓଡ଼ିଶୀ ନୃତ୍ୟ କରିବା ଦ୍ୱାରା ନୃତ୍ୟଶିଳ୍ପୀଙ୍କ ହୃଦ୍ସ୍ପନ୍ଦନ ଠିକ୍ ହେବା ସହିତ ସ୍ବାସ୍ଥ୍ୟରେ ମଧ୍ୟ ଅନେକ ଉନ୍ନତି ଆସିଥାଏ।
ନୃତ୍ୟାଭ୍ୟାସ ଏକ ମହୌଷଧୀ
ଏ ପ୍ରସଙ୍ଗରେ ବରିଷ୍ଠ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ ସଂଗୀତା ଦାଶ କହନ୍ତି, ‘‘ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଆମେ ବିଭିନ୍ନ ପ୍ରକାରର ଉପକାରିତା ପାଇଥାଉ। ଆଙ୍ଗୁଠି ଚାଳନା ଓ ବିଭିନ୍ନ ଭଙ୍ଗୀ ଅଭ୍ୟାସ ଦ୍ବାରା ଆଣ୍ଠୁଗଣ୍ଠି ସମସ୍ୟା ନିରାକରଣ ହେବା ସହିତ ଆଥ୍ରାଇଟିସ୍ ସମ୍ଭାବନା କମ୍ ହୋଇଥାଏ। ନୃତ୍ୟ ଏକ ଯୋଗ, ଏହାର ଆଧ୍ୟାତ୍ମିକ ତାତ୍ପର୍ଯ୍ୟ ବି ରହିଛି। ଏହା ସିଧାସଳଖ ମନକୁ ଈଶ୍ବରଙ୍କ ସହ ସଂଯୁକ୍ତ କରିବା ସହିତ ଶରୀରକୁ ସୁସ୍ଥ ରଖିଥାଏ। ନୃତ୍ୟ ଦ୍ବାରା ମନ ଓ ଶରୀର ଉଭୟ ସୁସ୍ଥ ରହିଥାଏ। ଓଡ଼ିଶୀର ମୁଖ୍ୟ ଆକର୍ଷଣ ହେଉଛି ଆଖି। ତେଣୁ ଓଡ଼ିଶୀ ନୃତ୍ୟରେ ଆଖି ହିଁ ସବୁ କଥା କହିଥାଏ। ଆଖି ଚାଳନା ଦ୍ବାରା ଆମ ଆଖି ସୁସ୍ଥ ରହିବା ସହିତ କମ୍ ବୟସରୁ ଖରାପ ହୋଇ ନଥାଏ। ମୁହଁରେ ଯେଉଁ ଛୋଟ ହସ ଥାଏ, ଯାହାକୁ ଆମେ ନୃତ୍ୟ ସରିବା ପର୍ଯ୍ୟନ୍ତ ବଜାୟ ରଖିଥାଉ। ଏହାଦ୍ବାରା ଆମ ଗାଲ ମାଂସପେଶୀ ସକ୍ରିୟ ହୋଇଥାଏ।’’
ସେ ପୁଣି କହନ୍ତି, ‘‘ନୃତ୍ୟ ଏଭଳି ଏକ ମହୌଷଧୀ, ଯାହା ନିଜକୁ ଖୁସି ଦେବା ସହିତ ଦୀର୍ଘଜୀବୀ କରିଥାଏ। ଓଡ଼ିଶୀର ହସ୍ତ ମୁଦ୍ରା, ସଂଯୁକ୍ତ ମୁଦ୍ରା, ଅସଯୁଂକ୍ତ ହସ୍ତ ମୁଦ୍ରା, ପତାକା, ତ୍ରିପତାକା, ସ୍ବସ୍ତିକା, ଅଞ୍ଜଳି, କପିଥ, ଶିଖର ପ୍ରଭୃତି ଆମ ହାତ, ଆଙ୍ଗୁଳି ଓ ପାପୁଲି ଶିରା ଠିକ୍ ରଖୁଥିବାରୁ ଭଲ ରକ୍ତ ସଞ୍ଚାଳନ ହୋଇଥାଏ। ଚୌକ ଭଙ୍ଗୀରେ ବସିବା ଆମ ଆଣ୍ଠୁ ଉପରେ ଅଧିକ ପ୍ରଭାବ ପଡ଼ିଥାଏ। ଉଠ ବସ ହେବା, କିଛି ସମୟ ଚଉକି ପରି ବସିବା ଦ୍ବାରା ଆମ ଅାଣ୍ଠୁ ଠିକ୍ ରହିବା ସହିତ ଜଙ୍ଘ ଓ ପାଦ ସମସ୍ୟା ଦୂର ହୋଇଥାଏ। ଏପରିକି ଓଡ଼ିଶୀରେ ଚାଲି ଶୈଳୀ ଦ୍ବାରା ଆମ ଶରୀର ଉପରେ ନିୟନ୍ତ୍ରଣ ଆସେ। ଆଣ୍ଠୁ, ଗୋଇଠି, ଆଙ୍ଗୁଠି ଓ କାନ୍ଧର ପ୍ରତ୍ୟେକ ମାସଂପେଶୀ ଠିକ୍ରେ କାର୍ଯ୍ୟ କରିଥାଏ। ତେଣୁ ଓଡ଼ିଶୀ ନୃତ୍ୟ ସମସ୍ତ ଶାରୀରିକ ଓ ମାନସିକ ସମସ୍ୟାର ସମାଧାନ ଅଟେ।’’