ଆଜି ‘ବିଶ୍ବ ଶିଶୁ ଶ୍ରମିକ ନିରୋଧ ଦିବସ’ ପାଳନ କରାଯାଉଛି। ବିଶ୍ବବ୍ୟାପୀ ଶିଶୁ ଶ୍ରମ ପ୍ରଥାର ସଂପୂର୍ଣ୍ଣ ଉଚ୍ଛେଦ ଲକ୍ଷ୍ୟରେ ଆନ୍ତର୍ଜାତିକ ଶ୍ରମିକ ସଂଘ (ଆଇଏଲ୍‌ଓ) ପକ୍ଷରୁ ୨୦୦୨ ମସିହାରୁ ଏହି ଦିବସ ପାଳନର ପରିକଳ୍ପନା କରାଯାଇଛି। ବିଶେଷ କରି ଶିଶୁ ଶ୍ରମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାହାକୁ ଚିରଦିନ ପାଇଁ ବନ୍ଦ କରିଦେବା ଲକ୍ଷ୍ୟରେ ବ୍ୟକ୍ତିବିଶେଷ, ସଂଗଠନ ଓ ସରକାରମାନଙ୍କୁ ଉତ୍ସାହିତ କରାଯାଉଛି। ବାସ୍ତବରେ ଶିଶୁ ଶ୍ରମିକ ପରି କୁତ୍ସିତ ପ୍ରଥା ଶିଶୁମାନଙ୍କର ସ୍ବାଭାବିକ ଶୈଶବ, ସେମାନଙ୍କର ଅଧିକାର ଓ ନିରୀହତାକୁ ଛଡ଼ାଇ ନେଉଛି।

Advertisment

ଏଥି ସହିତ ଏହା ସେମାନଙ୍କ ସ୍ବାଭାବିକ ଜୀବନଶୈଳୀ ଓ ଶିକ୍ଷାରେ ପୂର୍ଣ୍ଣଚ୍ଛେଦ ଟାଣିଦେଉଛି। ସେମାନଙ୍କୁ ଶୋଷଣ କରାଯାଇ ଏପରି କଠିନ ପରିସ୍ଥିତିରେ କାମ କରିବାକୁ ବାଧ୍ୟ କରାଯାଉଛି ଯାହା ବିପଦପୂର୍ଣ୍ଣ ସାବ୍ୟସ୍ତ ହେଉଛି। ସମ୍ପ୍ରତି ପୃଥିବୀରେ ୨୧.୮ କୋଟି ଶିଶୁ ଶ୍ରମିକ ବିଭିନ୍ନ କ୍ଷେତ୍ରରେ ନିୟୋଜିତ ଥିବା ଆକଳନ କରାଯାଏ। ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଶିଶୁ ବିପଦପୂର୍ଣ୍ଣ ପରିବେଶରେ କାମ କରୁଛନ୍ତି, ଦାସତ୍ବ, ବଳପୂର୍ବକ ନିଶାଦ୍ରବ୍ୟ ଚୋରା ଚାଲାଣ ଓ ଦେହ ବ୍ୟବସାୟ ପରି ବେଆଇନ କାର୍ଯ୍ୟକ​ଳାପ ସମେତ ସଶସ୍ତ୍ର ସଂଘର୍ଷରେ ଜଡ଼ିତ ଅଛନ୍ତି। ତେଣୁ ଏଥିପ୍ରତି ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ ସହ ସଚେତନତା ସୃଷ୍ଟି ପାଇଁ ଆଇଏଲ୍‌ଓ ଏହି ଦିବସ ପାଳନ ଉପରେ ଗୁରୁତ୍ବାରୋପ କରି ଆସୁଛି। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି ‘ସଭିଙ୍କ ଲାଗି ସାମାଜିକ ନ୍ୟାୟ। ଶିଶୁ ଶ୍ରମ ବନ୍ଦ କର।’