ବୈଜ୍ଞାନିକମାନେ ଗୋଟିଏ ବର୍ଷା ଟୋପାରେ ଏକ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ପରିସଂସ୍ଥାନୀୟ ବ୍ୟବସ୍ଥା ବା ଇକୋସିଷ୍ଟମ୍‌ ଚିହ୍ନଟ କରିଛନ୍ତି। ଗବେଷଣାରୁ ଜଣାପଡ଼ିଛି ଯେ ଟୋପାଏ ଜଳ ଅସଂଖ୍ୟ ଜଟିଳ ଅଣୁଜୀବ ସଂପ୍ରଦାୟ ଧାରଣ କରିଥାଏ। କ୍ଷଣସ୍ଥାୟୀ ହେଲେ ମଧ୍ୟ ବର୍ଷା ବିନ୍ଦୁ ସୂକ୍ଷ୍ମ ତଥା ପୂର୍ଣ୍ଣାଙ୍ଗ ପରିସଂସ୍ଥାନର ପ୍ରତିନିଧିତ୍ବ କରେ। ସେଥିରେ ଉତ୍ପାଦନକାରୀ, ଖାଦକ, ବିଘଟନକାରୀ ଓ ସେମାନଙ୍କ ଜଟିଳ ଅଭ୍ୟନ୍ତରୀଣ ସଂପର୍କ ସକ୍ରିୟ ରହିଥାଏ।

Advertisment

ଧାରଣା ବଦଳାଇଲା ଆବିଷ୍କାର
ହେଲ୍‌ସିଙ୍କି ବିଶ୍ବବିଦ୍ୟାଳୟର ଦଳେ ଅଣୁଜୀବ ବିଜ୍ଞାନୀ ବର୍ଷାଜଳ ନମୁନା ବିଶ୍ଳେଷଣ କଲାବେଳେ ଏହା ଆବିଷ୍କାର କରିଛନ୍ତି। ଜୀବିତ ଅଣୁଜୀବଙ୍କୁ ପର୍ଯ୍ୟବେକ୍ଷଣ କରିବା ଲାଗି ସେମାନେ ଉନ୍ନତ ଅଣୁବୀକ୍ଷଣ ଯନ୍ତ୍ର ଉପଯୋଗ କରିଥିଲେ। ବର୍ଷାଜଳରେ ସ୍ବଳ୍ପ ଅଣୁଜୀବ ପ୍ରଜାତି ଥିବେ ବୋଲି ସେମାନେ ଭାବିଥିଲେ, କିନ୍ତୁ କ୍ଷୁଦ୍ର ଜଳବିନ୍ଦୁରେ ବିବିଧ ଗତିଶୀଳ ଅଣୁଜୀବ ସଂପ୍ରଦାୟ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ମୁଖ୍ୟ ଗବେଷକ ଡକ୍ଟର୍‌ ଇମା ଭିର୍ଟାନେନ୍‌ ଏହାକୁ ‘ମାତ୍ର ୪ କିଲୋମିଟର୍‌ ବ୍ୟାସବିଶିଷ୍ଟ ଗୋଲକ ମଧ୍ୟରେ ସମଗ୍ର ବ୍ରହ୍ମାଣ୍ଡ ଦେଖିବା’ ବୋଲି କହିଛନ୍ତି।

ଟୋପାଏରେ ୧୮,୦୦୦ ଅଣୁଜୀବ
ଟୋପାଏ ବର୍ଷାଜଳରେ ବିଜ୍ଞାନୀମାନେ ୮୦ରୁ ଅଧିକ ପ୍ରଜାତିର ପ୍ରାୟ ୧୮,୦୦୦ ଅଣୁଜୀବ ଚିହ୍ନଟ କରିଥିଲେ। ସେମାନଙ୍କ ମଧ୍ୟରେ ଆଲୋକ ସଂଶ୍ଳେଷଣ ଦ୍ବାରା ଖାଦ୍ୟ ଉତ୍ପାଦନକାରୀ ସିଆନୋ ବ୍ୟାକ୍ଟେରିଆ, ପ୍ରାଥମିକ ଖାଦକ କାର୍ଯ୍ୟ କରୁଥିବା ବିଭିନ୍ନ ପ୍ରଜାତିର ପ୍ରୋଟିଷ୍ଟ୍‌, ଦ୍ବିତୀୟ ସ୍ତର ଖାଦକ ରୂପେ ଶିକାରୀ କାର୍ଯ୍ୟ କରୁଥିବା ରୋଟିଫାୟର୍‌ ଏବଂ ବିଘଟନକାରୀ ଭୂମିକା ତୁଲାଉଥିବା ବିଭିନ୍ନ ପ୍ରଜାତିର ଜୀବାଣୁ ଅନ୍ତର୍ଭୁକ୍ତ ଥିଲେ। ଏଥିରେ ଉତ୍ପାଦନକାରୀଙ୍କ ଦ୍ବାରା ସୃଷ୍ଟ ଶକ୍ତି ଖାଦକଙ୍କ ନିକଟକୁ ଯାଉଛି ଏବଂ ବିଘଟନକାରୀଙ୍କ ଦ୍ବାରା ଉକ୍ତ ପୋଷକତତ୍ତ୍ବ ପୁନଃଚକ୍ରିତ ହେଉଛି। ଏଥିରେ ଥିବା ଉଲ୍ଲେଖନୀୟ ବିଷୟ ହେଲା, ଜୈବବିବିଧତାର ଘନତ୍ବ। ଏହାର ପ୍ରତି ଘନମିଲିମିଟର୍‌ରେ ପ୍ରାୟ ୨୦୦୦ ଅଣୁଜୀବ ରହିଥାଆନ୍ତି।

୨୦% ଅଣୁଜୀବ ଥିଲେ ସଂପୂର୍ଣ୍ଣ ଅଜଣା
ବର୍ଷାଟୋପା ମଧ୍ୟରେ ଥିବା ଅଣୁଜୀବମାନେ ମୁଖ୍ୟତଃ ଦୁଇଟି ଉତ୍ସରୁ ଉତ୍ପନ୍ନ- ବାୟୁମଣ୍ଡଳରେ ଭାସମାନ କଣିକା ଏବଂ ବାଦଲ ଘନୀଭୂତ କରୁଥିବା ନାଭିକ। ଏହି ଅଣୁଜୀବଙ୍କ ମଧ୍ୟରୁ ଅନେକ ସ୍ଥଳ, ଜଳୀୟ ପରିବେଶ ଓ ମାନବୀୟ କାର୍ଯ୍ୟକଳାପ ମାଧ୍ୟମରେ ବାୟୁମଣ୍ଡଳରେ ଘୂରିବୁଲିଥାଆନ୍ତି। ସେଠାରେ ସେମାନେ ଅତିରିକ୍ତ ତାପମାତ୍ରା ଓ ଅତିବାଇଗଣୀ ରଶ୍ମି ପରି କଠୋର ପରିସ୍ଥିତିରେ ବଞ୍ଚିରହନ୍ତି। ବର୍ଷାଟୋପା ପରିସଂସ୍ଥାନରେ ଚିହ୍ନଟ କରାଯାଇଥିବା ପ୍ରାୟ ୨୦% ଅଣୁଜୀବ ବିଜ୍ଞାନ କ୍ଷେତ୍ରରେ ସଂପୂର୍ଣ୍ଣ ଅଜଣା ଥିଲା। ଏଥିରୁ ଜଣାପଡ଼ିଲା ଯେ ବାୟୁମଣ୍ଡଳୀୟ ବାସସ୍ଥାନ ବି ଅଣୁଜୀବ ବିବିଧତାର ଏକ ଅନାବିଷ୍କୃତ ଭଣ୍ଡାର।

କ୍ଷଣସ୍ଥାୟୀ ଆୟୁଷ
ବର୍ଷାଟୋପା ପରିସଂସ୍ଥାନର ଆୟୁଷ ଖୁବ୍ କମ୍। ବାଦଲରୁ ଜଳ ଟୋପା ହେବାଠାରୁ ମାଟିରେ ବିଶୋଷିତ କିମ୍ବା ବାଷ୍ପୀଭୂତ ହେବାଯାଏ ଏହି ପରିସଂସ୍ଥାନ ଅଳ୍ପ କେତେ ମିନିଟରୁ ଅଳ୍ପ କେତେ ଘଣ୍ଟାଯାଏ ତିଷ୍ଠିଥାଏ। ସମୟ ସଂକ୍ଷିପ୍ତ ହେଲେ ବି ଏଥିରେ ଦ୍ରୁତ-ପ୍ରଜନନକାରୀ ଅଣୁଜୀବଙ୍କର ଅନେକ ପିଢ଼ି ଉତ୍ପନ୍ନ ହୁଅନ୍ତି। ଅନୁକୂଳ ପରିସ୍ଥିତିରେ ଜୀବାଣୁମାନଙ୍କ ସଂଖ୍ୟା ପ୍ରତି ୨୦ ମିନିଟ୍‌ରେ ଦ୍ବିଗୁଣିତ ହୋଇଥାଏ। ତେଣୁ ଏହା ବୈଜ୍ଞାନିକମାନଙ୍କୁ ସୀମିତ ସମୟରେ ପରିସଂସ୍ଥାନର ବିକାଶ ଓ ପତନ ଅଧ୍ୟୟନ ଲାଗି ଅନନ୍ୟ ସୁଯୋଗ ଦିଏ।