ନୂଆଦିଲ୍ଲୀ: ରାଗ, ରୁଷା ଭୁଲି ଦେଲେ ଟିକେ ହସି- ଜୀବନରେ ମିଳିଯାଏ ସବୁତକ ଖୁସି । ଖୁସି ଏକ ଅମୂଲ୍ୟ ସମ୍ପଦ, ସରୁ ନଥିବା ସମ୍ପତ୍ତି । କଥାରେ ଅଛି ଖୁସି ବାଣ୍ଟିଲେ ବଢେ... ତେଣୁ ତ ଲୋକେ ଖାଇବା ପିଇବା ଏକାଠି କରନ୍ତି । ଯାନିଯାତ୍ରା, ମେଳା ମହୋତ୍ସବ, ପର୍ବପର୍ବାଣୀରେ ଏକାଠି ହୋଇ ଖୁସି ବାଣ୍ଟନ୍ତି । ଖୁସିରେ ରହିଲେ ମଣିଷ ସୁସ୍ଥ ରୁହେ, ଅଧିକ ଦିନ ବଞ୍ଚେ । ଖୁସି ମଣିଷକୁ ସୃଜନଶୀଳ କରାଏ, ମୁହଁରେ ହସ ଜଣଙ୍କୁ ଅନ୍ୟମାନଙ୍କ ଠାରୁ ଭିନ୍ନ କରେ...
କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏବେ ଖୁସି ଖୋଜିଲେ ମିଳୁନି । ବ୍ୟସ୍ତବହୁଳ ଜୀବନରୁ ଖୁସି ଉଭେଇ ଯାଇଛି । ସମ୍ପର୍କୀୟଙ୍କ ପାଇଁ ସମୟ ଅଭାବ, ଆର୍ଥିକ ସମସ୍ୟା, ରୋଗ ଶୋକ ଏବଂ ନାନାଦି ସମସ୍ୟା କାରଣରୁ ଖୁସି ଏବେ ଜୀବନର ନଈରେ ନିଖୋଜ ହୋଇଛି । ମଣିଷ ପୁଳାପୁଳା ଟଙ୍କା ରୋଜଗାର କରୁଛି ସତ, ବିଳାଶପୂର୍ଣ୍ଣ ଜୀବନ ଯାପନ କରୁଛି ସତ ହେଲେ ଖୁସିରେ ରହିପାରୁନି । ଯାହା ପାଖରେ ଟଙ୍କା, ସୁନା, ବ୍ୟାଙ୍କ ବାଲାନ୍ସ ରହିଛି ତାପାଖରେ ଅନ୍ୟ ସବୁ ଅଭାବମାନ ରହୁଛି । ପାରିବାରିକ ସମସ୍ୟା, ସ୍ବାସ୍ଥ୍ୟ ସମସ୍ୟା ରହୁଛି... ଆଉ ଯାହା ପାଖରେ ବାକି ସବୁ ଅଛି ତାପାଖରେ ଭଲରେ ଚଳିବାକୁ ଟଙ୍କା ନାହିଁ । କହିବାକୁ ଗଲେ କାନ ଥିଲେ ସୁନା ନାହିଁ, ସୁନା ଥିଲେ କାନ ନାହିଁ...
ଯଦି ଖୁସି ବଜାରରେ ବିକ୍ରି ହେଉଥାନ୍ତା ତାହାଲେ ଲୋକେ ନିଇତି କିଣି ନିଅନ୍ତେ । ନିଦ ବଟିକା ଖାଇବା ପରି ଖୁସିକୁ ଖାଇ ଶାନ୍ତିରେ ଶୁଅନ୍ତେ... ହେଲେ ଖୁସି ଯେ ନିଜ ଭିତରେ, ନିଜ ଚାରିପାଖରେ ଥାଏ ତାହା ବୁଝିବାକୁ ମଣିଷକୁ ସମୟ ଲାଗେ ।
ପ୍ରକାଶ ପାଇଛି ବିଶ୍ବର ସବୁଠୁ ଖୁସି ଦେଶର ତାଲିକା । ୧୪୭ ଦେଶ ଭିତରୁ ପୁନଶ୍ଚ ଫିନଲାଣ୍ଡ ବିଶ୍ବର ସବୁଠୁ ଖୁସି ଦେଶ ଭାବେ ଶୀର୍ଷରେ ଥିବା ବେଳେ ଆମ ଭାରତ ୧୧୮ତମ ସ୍ଥାନରେ ରହିଛି । ପୂର୍ବବର୍ଷ ୧୨୬ତମ ସ୍ଥାନରେ ଥିବା ବେଳେ ଏଥର ସାମାନ୍ୟ ଅଗ୍ରଗତି କରିଛି । ଖୁସି ଦେଶର ତାଲିକାରେ ଭାରତର ଏ ସ୍ଥାନ ହିଁ ଦର୍ଶାଉଛି ଭାରତୀୟମାନେ ଖୁସିରେ ନାହାନ୍ତି । ଦେଶର ଲୋକେ ଦୁଃଖରେ ଅଛନ୍ତି, ଚିନ୍ତାରେ ଅଛନ୍ତି । ଖୁସି ଖୋଜିଲେ ବି ପାଉନାହାନ୍ତି...
ସବୁଠାରୁ ଆଶ୍ଚର୍ୟ୍ୟଜନକ କଥା ହେଉଛି ଯୁଦ୍ଧର ଘନଘଟା ଭିତରେ କାଳତିପାତ କରୁଥିବା, ଅହରହ ବୋମା-ବିସ୍ଫୋରଣ ଏବଂ ଗୁଳିର ଗର୍ଜନ ଶୁଣି ଜୀବନ ବିତାଉଥିବା ୟୁକ୍ରେନର ଲୋକେ ଖୁସିରେ ଅଛନ୍ତି । ଖୁସିର ତାଲିକାରେ ଭାରତ ଠାରୁ ୟୁକ୍ରେନ ଆଗରେ ରହିଛି । ଖାଲି କଣ ସେତିକି ଆର୍ଥିକ ସ୍ଥିତି ପାଇଁ କାଙ୍ଗାଳ କୁହାଯାଉଥିବା ପାକିସ୍ତାନ ବି ଖୁସିର ଦେଶ ତାଲିକାରେ ଭାରତ ଠାରୁ ଢେର ଆଗରେ ରହିଛି ।
ଇରାକ, ଇରାନ, ପାକିସ୍ତାନ, ୟୁକ୍ରେନ, ପାଲେଷ୍ଟାଇନ, ଉଗାଣ୍ଡା, ମୋଜାମ୍ବିକ ଦେଶ ଠାରୁ ଭାରତ ପଛରେ ରହିଛି । ଆମର ପଡ଼ୋଶୀ ଦେଶଗୁଡ଼ିକର ରାଙ୍କିଙ୍ଗକୁ ବିଚାରକୁ ନେଲେ ଜଣାଯାଇଛି ଯେ, ନେପାଳ ୯୨ତମ, ପାକିସ୍ତାନ ୧୦୯ତମ, ଚୀନ ୬୮ତମ ସ୍ଥାନରେ ରହି ଭାରତ ଠାରୁ ଆଗରେ ରହିଛନ୍ତି । ଶ୍ରୀଲଙ୍କା ଓ ବାଂଲାଦେଶ ଆମ ଠାରୁ ପଛରେ ଅର୍ଥାତ୍ ଯଥାକ୍ରମେ ୧୩୩ତମ ଏବଂ ୧୩୪ତମ ସ୍ଥାନରେ ରହିଛନ୍ତି । ଅନ୍ୟପକ୍ଷରେ ଆଫଗାନିସ୍ତାନ ବିଶ୍ୱର ଖୁସି ରାଙ୍କିଙ୍ଗରେ ସବୁଠୁ ପଛରେ ୧୪୭ତମ ସ୍ଥାନରେ ରହିଛି । ଆଫଗାନିସ୍ତାନର ମହିଳାମାନେ ବିଭିନ୍ନ କ୍ଷେତ୍ରରେ ସଂଘର୍ଷ କରୁଥିବାରୁ ଆଫଗାନିସ୍ତାନ ପଛରେ ପଡ଼ିଛି । ସେମାନଙ୍କ ଜୀବନ କଷ୍ଟକର ହୋଇପଡ଼ିଛି ।
ଉପରୋକ୍ତ ରିପୋର୍ଟ ଏବଂ ଅନୁଶୀଳନକୁ ଯଦି ବିଚାର କରାଯାଏ ଅନ୍ୟ ଦେଶ ତୁଳନାରେ ଭାରତରେ ଖୁସି କମ୍ । କଣ ପାଇଁ ଭାରତୀୟମାନେ ଖୁସି ହେଇ ପାରୁ ନାହାନ୍ତି ? କାହିଁକି ଆଜିର ସମୟରେ ଖୁସି ଖୋଜିଲେ ମିଳୁନି ? ଏହାର କାରଣ ଖୋଜି ନିଜ ଭିତରେ ଖୁସିର ସନ୍ଧାନ କରି ନିଜକୁ ଖୁସି ରଖିବାକୁ ଆସନ୍ତୁ ଆଉ ଥରେ ଆଜିଠାରୁ ପ୍ରୟାସ କରିବା । କାରଣ ଖୁସି ହିଁ ଜୀବନର ଶ୍ରେଷ୍ଠ ଚାବି କାଠି... ଖୁସି ନଥିଲେ ଜୀବନ ବି ଦିନେ ଦେହକୁ କହିବ- ତୁ ଥା ମୁଁ ଯାଉଛି ରୁଷି...