ଆଜିର ସମୟରେ ଆମ ଶରୀର ପାଇଁ ଯୋଗାଭ୍ୟାସ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ନିରୋଗ ରହିବାରେ ସାହାଯ୍ୟ କରେ। ଭାରତ ହେଉଛି ଯୋଗର ଉତ୍ପତ୍ତିସ୍ଥଳ। ପୂର୍ବେ ଆଜୀବନ ସୁସ୍ଥ ରହିବା ପାଇଁ ଭାରତୀୟମାନେ ନିୟମିତ ଯୋଗାଭ୍ୟାସ ଓ ଧ୍ୟାନ ଆଦି କରୁଥିଲେ। କିନ୍ତୁ ପାଶ୍ଚାତ୍ୟ ପ୍ରଭାବିତ ଆଧୁନିକ ଜୀବନଶୈଳୀରେ ଏହା ସତ୍ତା ହରାଇଥିଲା। ହେଲେ ଆଜିକାଲିର ଚାପଗ୍ରସ୍ତ ଜୀବନରେ ପୁଣି ଏହାର ଆବଶ୍ୟକତା ପୂରା ବିଶ୍ବ ଉପଲବ୍ଧି କଲାଣି। ଏବେ ଭାରତୀୟ ଯୋଗଶୈଳୀ ସହ ପାଶ୍ଚାତ୍ୟ ଚିନ୍ତାଧାରା ସମ୍ମିଶ୍ରିତ ଯୋଗଶୈଳୀ ଲୋକପ୍ରିୟ ହେଉଛି। ସେହିଭଳି କିଛି ଅଭିନବ, କୌତୁକିଆ ଓ ଅଜବ ଯୋଗଶୈଳୀ ସଂପର୍କରେ କିଞ୍ଚିତ୍...
ହୁଲାହୁପ୍ ଯୋଗ
ସର୍କସରେ ଏକ ବଡ଼ ଗୋଲାକାର ରିଙ୍ଗ୍ ବା ହୁଲା ହୁପ୍କୁ ଅନେକ କଳାକାର ଅଣ୍ଟା ଚାରିପଟେ ଘୂରାନ୍ତି, ଯାହା ଦେଖିବାକୁ ଭଲଲାଗେ। କିନ୍ତୁ, ଏବେ ଏହି ଖେଳକୁ ଏକ ଯୋଗମୁଦ୍ରା ଭାବେ ଗ୍ରହଣ କରାଯାଇଛି। ହୁଲା ହୁପ୍କୁ ଅଣ୍ଟା ଚାରିପଟେ ବୁଲାଇବା ଦ୍ବାରା ଶରୀରରେ ଶକ୍ତି ସଞ୍ଚାର ହେବା ସହ ମାଂସପେଶୀ ଶକ୍ତ ହୋଇଥାଏ। ଦିନକୁ ୧୦ରୁ ୧୫ ମିନିଟ୍ର ଏହି ଅଭ୍ୟାସ ଦ୍ବାରା ମେଦହ୍ରାସ ସହ ଜଙ୍ଘ ଓ ମେରୁଦଣ୍ଡ ଶକ୍ତ ହୋଇଥାଏ।
ଏରିଅଲ୍ ଯୋଗ
ଏବେ ଚଟାଣ ପରିବର୍ତ୍ତେ ଘରର ସିଲିଂ ହୁକ୍ରୁ ବନ୍ଧାଯାଇଥିବା ବେଲ୍ଟ୍ କିଂବା ଦୋଳିରେ ଝୁଲି ଅଭିନବ ଶୈଳୀରେ ଯୋଗଭ୍ୟାସ କରାଯାଉଛି। ନ୍ୟୁୟର୍କରେ ଆରମ୍ଭ ହୋଇଥିବା ଏରିଅଲ୍ ଯୋଗ ଏବେ ଅନେକ ଦେଶରେ ପ୍ରଚଳିତ । ପାରମ୍ପରିକ ଯୋଗମୁଦ୍ରା ସହ ଏଥିରେ ନୃତ୍ୟର ସମ୍ମିଶ୍ରଣ କରାଯାଇଛି। ଷ୍ଟାର୍ ଇନ୍ଭର୍ସନ୍ ପୋଜ୍,ଆଣ୍ଟି ଗ୍ରାଭିଟି ବାରିୟର୍ ପୋଜ୍, କ୍ରସ୍ ପୋଜିସନ୍ ଓ ୱାନ୍ ଲେଗ୍ଡ୍ କିଙ୍ଗ୍ ପିଜନ୍ ପୋଜ୍ ଆଦି ଏହାର ସ୍ବାତନ୍ତ୍ରୢ। ଏହି ପ୍ରଣାଳୀରେ ପୂରା ଶରୀରର େଷ୍ଟ୍ରଚିଂ ଓ ବେଣ୍ଡିଂ ହେଉଥିବାରୁ ମାଂସପେଶୀ ଓ ଆଣ୍ଠୁଗଣ୍ଠି ଶକ୍ତ ହୁଏ। ମେରୁଦଣ୍ଡ ଚାପମୁକ୍ତ ହେବା ସହ ରକ୍ତ ସଂଚାଳନ ବୃଦ୍ଧିଯୋଗୁ ଶ୍ବାସକ୍ରିୟା ଓ ହଜମ ଭଲ ହୋଇଥାଏ।
ଡଗ୍ ଯୋଗ ବା ଡୋଗା
ଯେଉଁମାନଙ୍କର ପୋଷାକୁକୁର ରହିଛି, ସେମାନେ ଏବେ ଏକ ନୂତନ ଶୈଳୀରେ ଯୋଗାଭ୍ୟାସ କରୁଛନ୍ତି। ଡଗ୍ ଯୋଗ ବା ଡୋଗା କହାଯାଉଥିବା ଏହି ଯୋଗ କୁକୁର ସହ ମିଶି କରାଯାଏ। ଏହା ସାଧାରଣତଃ ଦୁଇ ପ୍ରକାରର। ଗୋଟିଏରେ କୁକୁରକୁ ଏକ ପ୍ରପ୍ ବା ଉପାଦାନ ଭାବେ ବ୍ୟବହାର କରାଯାଏ। ଅନ୍ୟଟିରେ କୁକୁର ଯୋଗାଭ୍ୟାସରେ ନିଜର ସହସାଥୀ ହୋଇଥାଏ। କୁକୁର ଓ ମାଲିକ ମସାଜ୍, ଷ୍ଟ୍ରେଚିଂ ଓ ବିଭିନ୍ନ ମୁଦ୍ରା ଏକାଠିି କରିଥାନ୍ତି। ଡୋଗା ଦ୍ବାରା କୁକୁର ଓ ମାଲିକ ସମ୍ପର୍କ ମଜଭୁତ ହୋଇଥାଏ। ଜନୈକା ଯୋଗ ଶିକ୍ଷୟିତ୍ରୀ ସୁଜି ଟିଟେଲମ୍ୟାନ୍ ଏହାର ପରିକଳ୍ପନା କରିଥିଲେ। ଏହାର ମୁଦ୍ରାଗୁଡ଼ିକ ମଧ୍ୟରେ ଡାଉନ୍ୱାର୍ଡ ଡଗ୍, କ୍ରିସେଣ୍ଟ୍ ଲଙ୍ଗ୍, ହ୍ୱିଲ୍ବାରୋ ପୋଜ୍ ଏବଂ ଫର୍ୱାର୍ଡ ଫୋଲ୍ଡ ଅନ୍ୟତମ।
ଯୋଗର ନୂଆ ଦିଗକୁ ପସନ୍ଦ କରୁଛନ୍ତି ଯୁବପିଢ଼ି
ଡୋଗା ଓ ଗୋଟା ପରି ଅନେକ ନୂତନ ଶୈଳୀର ଯୋଗ ଏବେ ପ୍ରଚଳିତ ହେଉଛି। ଆମର ଦଉଡ଼ି ଯୋଗ, ଚକ ଯୋଗ, ବାଡ଼ି ଯୋଗ, ଚଉକି ଯୋଗ ବେଶ୍ ଲୋକପ୍ରିୟ। ତେବେ ପାରମ୍ପରିକ ଆସନ ଅପେକ୍ଷା ବିଦେଶରୁ ଆସୁଥିବା ନୂଆ ନୂଆ ଆସନ ଆଜିର ଟ୍ରେଣ୍ଡ୍ ପାଲଟିଲାଣି। ଯୋଗର ପରିବର୍ତ୍ତିତ ତଥା ଆଧୁନିକ ରୂପକୁ ଆଜିର ଯୁବପିଢ଼ି ବେଶ୍ ପସନ୍ଦ କରୁଛନ୍ତି। ବାଡ଼ି ଯୋଗରେ ବାଡ଼ିକୁ ଦୁଇ ବାହୁରେ ଧରି ଆସନ କରାଯାଉଥିବାରୁ ବାହୁ ମାଂସପେଶୀ ଦୃଢ଼ ହୋଇଥାଏ। ସେହିପରି ଚକ ବା ହ୍ବିଲ୍ ଯୋଗରେ ଚକ ଉପରେ ପିଠି ମାରି ଶୋଇ, ଗୋଡ଼କୁ ସିଧା ରଖାଯାଏ ଓ ହାତକୁ ତଳକୁ ଖୋଲି କରି ରଖାଯାଏ। ନିଃଶ୍ବାସ ନେଇ ଆଗକୁ ପିଠିରେ ଠେଲିବା ଓ ନିଃଶ୍ବାସ ଛାଡ଼ି ପୁଣି ପଛକୁ ଫେରିବାକୁ ହୁଏ। ଏଥିରେ ଅଣ୍ଟା ସମସ୍ୟା ଦୂର ହୋଇଥାଏ। ଏହିପରି ବହୁତ ଯୋଗ ଅଛି ଯାହା ଆଜିର ଜୀବନେଶୖଳୀ ସମସ୍ୟାର ପ୍ରତିକାର କରୁଛି। - ଗଣେଶ୍ବର ଗୋଚ୍ଛିକାର
ଗୋଟ୍ ଯୋଗ ବା ଗୋଟା
ଖୋଲା ପଡ଼ିଆରେ ବିଚରଣ କରୁଥିବା ଛେଳିଙ୍କ ଗହଣରେ ଯୋଗ ହେଉଛି ଗୋଟା। ଗୋଟା କରିବା ସମୟରେ ଅନେକ ହସି ହସି ବେଦମ୍ ହୋଇଯାଆନ୍ତି। ଫଳରେ ମନ ପ୍ରଫୁଲ୍ଲ ହୁଏ ଓ ଶରୀର ବି ସୁସ୍ଥ ରହେ। ଯୋଗ କରୁଥିବା ବ୍ୟକ୍ତିଙ୍କ ଉପରେ ଛେଳି ଚଢ଼ିଯାଆନ୍ତି ଓ ଡିଆଁକୁଦା କରନ୍ତି। ଏହା ବେଶ୍ କୌତୁକିଆ ଓ ଆନନ୍ଦଦାୟକ। ଆମେରିକାର ସେଣ୍ଟ୍ରାଲ୍ ଓରେଗନ୍ ସହରରେ ଲେନି ମୋର୍ସ ନାମ୍ନୀ ମହିଳା ଏହି ଯୋଗଶୈଳୀ ଆରମ୍ଭ କରିଥିଲେ। ଛାଡ଼ପତ୍ର ପରେ ଫାର୍ମରେ ପାଳିତ ଛେଳିଙ୍କ ସହ ତାଙ୍କର ଯୋଗାଭ୍ୟାସ ଗୋଟାକୁ ଜନ୍ମଦେଇଥିଲା। ଏହା ରକ୍ତଚାପ ହ୍ରାସ କରିବା ସହ ସାମଗ୍ରିକ ହୃଦ୍ ସମ୍ବନ୍ଧୀୟ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ।
ଗ୍ଲୋ ଫ୍ଲୋ ଯୋଗ
ଯେଉଁମାନଙ୍କୁ କ୍ଲବ୍ ଯିବାକୁ ଭଲ ଲାଗେ ଏବଂ ତା’ ସହ ଯୋଗ କରି ଶରୀରକୁ ସୁସ୍ଥ ରହିବାର ଝୁଙ୍କ୍ ଥାଏ ସେମାନେ ଏହି ଯୋଗ କରିପାରିବେ। ଗ୍ଲୋ ଓ ଫ୍ଲୋ ଏକ ମଜାଦାର ପ୍ରକିୟା। ଗ୍ଲୋ ଯୋଗ ଏକ ଅନ୍ଧାର କୋଠରିରେ କରାଯାଏ । ଯୋଗ କରୁଥିବା ପୁରୁଷ ଓ ମହିଳା କୌତୁକିଆ ତଥା ଉଜ୍ଜ୍ବଳ ପରିଚ୍ଛଦ ଓ ଅଳଙ୍କାରରେ ସଜ୍ଜିତ ହୁଅନ୍ତି। ଏହାପରେ ନିୟନ୍ ଆଲୋକରେ ଡିଜେର ତାଳେ ତାଳେ ବିଭିନ୍ନ ମୁଦ୍ରା ଅଭ୍ୟାସ କରନ୍ତି। କ୍ଲବ୍ ପରିବେଶରେ ଯୋଗ ଏହାର ସ୍ବାତନ୍ତ୍ରୢ। ସେହିପରି ଫ୍ଲୋ ବା ପ୍ରବାହ ଯୋଗରେ ମାନସିକ ଚାପ କମ୍ହୁଏ। ଏହାର କିଛି ମୁଦ୍ରା ମନ ପାଇଁ ଉତ୍କୃଷ୍ଟ ହୋଇଥିବା ବେଳେ ଅନ୍ୟ କେତେକ ଶରୀରକୁ ସୁନ୍ଦର କରିବା ପାଇଁ ଉଦ୍ଦିଷ୍ଟ। ଭିନିଆସା ଫ୍ଲୋ (ମୁଦ୍ରା) ଓଜନ କମାଇବା ପାଇଁ ଅତି ଉତ୍ତମ ବୋଲି କହାଯାଏ।
ଭାସମାନ ଯୋଗ
ଭୂମି ନୁହେଁ, ପାଣି ଉପରେ ଏକ ଭାସମାନ ଯୋଗ ଏବେ ଲୋକପ୍ରିୟ ହେଉଛି। ପାଣିରେ ଏକ ପେଡାଲ୍ ବୋର୍ଡ ଉପରେ ଏହି ଯୋଗ କରାଯାଏ। ସାଧାରଣ ଭାବେ ହ୍ରଦ ଓ ପୋଖରୀରେ ଏହି ଯୋଗ କରାଯାଉଥିବା ବେଳେ କେହି କେହି ସୁଇମିଂ ପୁଲ୍ରେ ବି କରନ୍ତି। ଯୋଗାଭ୍ୟାସ କାଳରେ ନିଜ ଉପରେ ଓ ପେଡାଲ୍ ବୋର୍ଡ ଉପରେ ନିୟନ୍ତ୍ରଣ ରହିବା ନିହାତି ଜରୁରି। ହାୱାଇରୁ ଆରମ୍ଭ ହୋଇଥିବା ଏହି ଯୋଗ ଏକାସଙ୍ଗରେ ଏକାଧିକ ମାଂସପେଶୀକୁ ପ୍ରଭାବିତ କରିଥାଏ। ଅଭ୍ୟାସ ସମୟରେ ବାହୁ, କାନ୍ଧ ଏବଂ ପିଠିର ମାଂସପେଶୀରେ ଚାପ ପଡ଼େ, ଯାହା ଦ୍ବାରା ଏହା ଶକ୍ତ ହୋଇଥାଏ।