ଆଜି ସର୍ବତ୍ର ‘ବିଶ୍ବ ହେପାଟାଇଟିସ ଦିବସ’ ପାଳନ କରାଯାଉଛି। ହେପାଟାଇଟିସ ପରି ବିପଜ୍ଜନକ ଯକୃତ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଉଦ୍ୟମ କ୍ରମେ ୨୦୧୧ ମସିହାରୁ ପ୍ରତି ବର୍ଷ ଜୁଲାଇ ୨୮ ତାରିଖରେ ଏହି ଦିବସ ପାଳିତ ହୋଇ ଆସୁଛି। ଉଲ୍ଲେଖଯୋଗ୍ୟ, ଏହି ରୋଗ ପାଇଁ ଦାୟୀ ହେପାଟାଇଟିସ ବି ଭୂତାଣୁ (ଏଚ୍ବିଭି)ର ଆବିଷ୍କାରକ ନୋବେଲ ପୁରସ୍କାରପ୍ରାପ୍ତ ବାରୁକ ସାମୁଏଲ ବ୍ଳୁମ୍ବର୍ଗଙ୍କର ୧୯୨୫ ମସିହା ଜୁଲାଇ ୨୮ ତାରିଖରେ ଜନ୍ମ ହୋଇଥିଲା। ତାଙ୍କ ସମ୍ମାନାର୍ଥେ ତାଙ୍କ ଜନ୍ମ ତାରିଖକୁ ଏହି ସ୍ବତନ୍ତ୍ର ଦିବସ ରୂପେ ପାଳନ କରାଯାଉଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ଆକଳନ ଅନୁଯାୟୀ, ବିଶ୍ବରେ ପ୍ରାୟ ସାଢ଼େ ୩୫ କୋଟି ଲୋକ ହେପାଟାଇଟିସ ରୋଗରେ ପୀଡ଼ିତ।
ଆକ୍ରାନ୍ତମାନଙ୍କ ଠାରେ ଶରୀର ପୀଡ଼ା, ପେଟରେ ଯନ୍ତ୍ରଣା, ଜ୍ବର ଏବଂ ଯକୃତ ଅକାମୀ ହୋଇଯିବା ଓ ମସ୍ତିଷ୍କରେ କ୍ଷତି ଆଦି ଲକ୍ଷଣ ଦେଖାଦେଉଥିବା ବେଳେ ଅନେକ ପୀଡ଼ିତଙ୍କର ପ୍ରାଥମିକ ଅବସ୍ଥାରେ କୌଣସି ଲକ୍ଷଣ ଦେଖା ଦେଇ ନଥାଏ। ତେଣୁ ଏହି ଘାତକ ରୋଗର ଆଗୁଆ ଚିହ୍ନଟ ଓ ଚିକିତ୍ସା ଉପରେ ଗୁରୁତ୍ବ ଦିଆଯାଉଛି। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି, ‘ଗୋଟିଏ ଜୀବନ, ଗୋଟିଏ ଯକୃତ’। ଅର୍ଥାତ୍ ଆମେମାନେ ପ୍ରତ୍ୟେକ କେବଳ ଗୋଟିଏ ଜୀବନ ବଞ୍ଚିବାର ସୁଯୋଗ ପାଇଛୁ ଏବଂ ପ୍ରତ୍ୟେକଙ୍କର କେବଳ ଗୋଟିଏ ଯକୃତ ରହିଛି। ତେବେ ହେପାଟାଇଟିସ ଉଭୟ ଜୀବନ ଓ ଯକୃତକୁ ଧ୍ବଂସ କରିଦେବାର କ୍ଷମତା ରଖିଛି। ସୁତରାଂ ଆମକୁ ସଚେତନ ହେବାକୁ ପଡ଼ିବ।