ବିଶ୍ବ ଐତିହ୍ୟ, ମରିସସ୍‌ର ଆପ୍ରବାସୀ ଘାଟ

୨୦୦୬ରେ ମରିସସ୍‌ରେ ଥିବା ‘ଆପ୍ରବାସୀ ଘାଟ’ ବିଶ୍ବ ଐତିହ୍ୟ ଘୋଷିତ ହୋଇଥିଲା। ଏହା ୧୬୪୦ ବର୍ଗ ମିଟର‌୍‌ ପରିମିତ ଭୂମି ଉପରେ ଗଢ଼ାଯାଇଥିବା ଏକ ବିଶାଳ ଅଟ୍ଟାଳିକାର ଅବଶେଷ। ମରିସସ୍‌ର ପୋର୍ଟ‌୍‌-ଲୁଇସ୍‌ରେ ଏହି ଅଟ୍ଟାଳିକା ୧୮୪୯ରେ ଗଢ଼ାଯାଇଥିଲା। ୧୯୨୦ ପର୍ଯ୍ୟନ୍ତ ‘ଆପ୍ରବାସୀ ଘାଟ’କୁ ଦେଶାନ୍ତର ଗମନ କାର୍ଯ୍ୟାଳୟ ଭାବେ ବ୍ୟବହାର କରାଯାଉଥିଲା। ଯେହେତୁ ମୁଖ୍ୟତଃ ଭାରତୀୟମାନେ ଦେଶାନ୍ତର ଗମନ କରି ମରିସସ୍‌ ଆସୁଥିଲେ, ତେଣୁ କାର୍ଯ୍ୟାଳୟକୁ ପ୍ରଥମରୁ ହିଁ ହିନ୍ଦୀ ଭାଷାରେ ନାମିତ କରାଯାଇଥିଲା। ୧୮୩୪ରେ ବ୍ରିଟିସ୍‌ ସରକାର ସମଗ୍ର ବ୍ରିଟିସ୍‌ ସାମ୍ରାଜ୍ୟରୁ ‘ଦାସ ପ୍ରଥା’ ଉଚ୍ଛେଦ କରିଥିଲେ। କ୍ରୀତଦାସ ବଦଳରେ ଚୁକ୍ତି-ଶ୍ରମିକ ନିଯୁକ୍ତି ପରୀକ୍ଷା ପ୍ରକ୍ରିୟାର ଆରମ୍ଭ ମରିସସ୍‌ରେ ହୋଇଥିଲା। ଆଉ ସ୍ବେଚ୍ଛାରେ ପ୍ରଥମେ ଭାରତୀୟ ଶ୍ରମିକମାନେ ହିଁ ମରିସସ୍‌ ଯାଇଥିଲେ। ସେମାନଙ୍କୁ ଆଖୁ ଖେତରେ ନିୟୋଜିତ କରାଯାଇଥିଲା। ମରିସସ୍‌ରେ ପହଞ୍ଚିବା ପରେ ‘ଆପ୍ରବାସୀ ଘାଟ’ରେ ସେମାନଙ୍କୁ ଚୁକ୍ତି-ପତ୍ର ତଥା ଅନ୍ୟ ସରକାରୀ କାଗଜ-ପତ୍ର ଦିଆଯାଉଥିଲା। ‘ଆପ୍ରବାସୀ ଘାଟ’ ମଧ୍ୟ ଥିଲା, ସେମାନଙ୍କ ଅସ୍ଥାୟୀ ରହଣି ସ୍ଥଳୀ। ସେଠାରୁ ସେମାନେ ମରିସସ୍‌ର ବିଭିନ୍ନ ଅଞ୍ଚଳରେ ଥିବା ଆଖୁ ଖେତରେ କାମ ପାଇଁ ଯାଉଥିଲେ। ୧୮୩୪-୧୯୨୦ ମଧ୍ୟରେ ପ୍ରାୟ ପାଞ୍ଚ ଲକ୍ଷ ଭାରତୀୟ ଶ୍ରମିକ ମରିସସ୍‌ ଆସିଥିଲେ। ସେମାନଙ୍କର ଆଗମନର ସ୍ମୃତି ବହନ କରୁଛି ‘ଆପ୍ରବାସୀ ଘାଟ’।

ସମ୍ବନ୍ଧିତ ଖବର