ବିଶ୍ବ ଐତିହ୍ୟ ଲାପୋନିଆନ୍‌

ସୁମେରୁ ବୃତ୍ତକୁ ଲାଗିଥିବା ଉତ୍ତର ସ୍ବିଡେନ୍‌ର ଲାପୋନିଆନ୍‌ ଅଞ୍ଚଳକୁ ୧୯୯୬ରେ ବିଶ୍ବ ଐତିହ୍ୟ ତାଲିକାଭୁକ୍ତ କରାଯାଇଥିଲା। ଋତୁକାଳୀନ ପଶୁପାଳନ ଦୃଷ୍ଟିରୁ ଏହା ବିଶ୍ବର ବୃହତ୍ତମ ଅଞ୍ଚଳ। ଏଠାକାର ଆଦିମ ଅଧିବାସୀମାନଙ୍କୁ ସାମି କହାଯାଏ। ଖରାଦିନେ ସେମାନେ ପଲ ପଲ ରେନ୍‌ଡିଅର‌୍‌ ସହ ଲାପୋନିଆନ୍‌ ଅଞ୍ଚଳକୁ ଆସନ୍ତି ଏବ˚ ଶୀତ ଋତୁ ଆରମ୍ଭ ହେଲେ ଦୂର ଜନବସତିକୁ ଫେରିଯାଆନ୍ତି। ସାମିମାନେ ଛଅରୁ ସାତ ହଜାର ବର୍ଷ ହେଲା ଲାପୋନିଆନ୍‌ ଅଞ୍ଚଳରେ ଋତୁକାଳୀନ ବସବାସ କରିଆସିଲେଣି। ମାଟି ଓ କାଠ ତିଆରି ଘରେ ସେମାନେ ରହନ୍ତି। ପ୍ରାୟ ଦଶ ହଜାର ବର୍ଷ ତଳେ ଶେଷ ହିମଯୁଗରେ ମଧ୍ୟ ସେମାନେ ଲାପୋନିଆନ୍‌ରେ ବାସକରୁଥିଲେ ବୋଲି ଅନୁମାନ କରାଯାଏ। ତେବେ, ଅଦ୍ୟାବଧି ବିଜ୍ଞାନ-ସମ୍ମତ ପ୍ରମାଣ ମିଳିନାହିଁ। ସେମାନେ ଏକଦା କେବଳ ପଶୁ ଓ ମତ୍ସ ଶିକାର ଉପରେ ନିର୍ଭର କରୁଥିଲେ। ପ୍ରାୟ ଦୁଇ ହଜାର ବର୍ଷ ତଳେ ରେନ୍‌ଡିଅର‌୍‌ ପାଳନ ଆରମ୍ଭ କରିଥିଲେ। ଲାପୋନିଆନ୍‌ ଏକ ବିଶାଳ ଅଞ୍ଚଳ। ଏହା ୯୪୦୯୦୦ ହେକ୍‌ଟର‌୍‌ ଏକର‌୍‌କୁ ବ୍ୟାପ୍ତ। ଗୁଡ଼ିଏ ପ୍ରାଚୀନ ଜଙ୍ଗଲ, ପାହାଡ଼-ପର୍ବତ, ହ୍ରଦ ଓ ହିମନଦୀ ପାଇଁ ଲାପୋନିଆନ୍‌ ପ୍ରସିଦ୍ଧ। ଏଠାକୁ ଏକଦା ରାସ୍ତା ନ ଥିଲା। କିଛି ବର୍ଷ ତଳେ ରାସ୍ତା ନିର୍ମାଣ ପରେ ଗାଡ଼ି-ମୋଟର‌୍‌ ଚଳାଚଳ କାରଣରୁ ଏହି ଅଞ୍ଚଳର ପରିବେଶ ପ୍ରତିକୂଳ ଭାବେ ପ୍ରଭାବିତ। ଏହାକୁ ନେଇ ପରିବେଶପ୍ରେମୀମାନେ ଆଶଙ୍କା ବ୍ୟକ୍ତ କଲେଣି।

ସମ୍ବନ୍ଧିତ ଖବର