ସମଗ୍ର ବିଶ୍ବରେ ଆଜି ‘ବିଶ୍ବ ମାନବତାବାଦୀ ଦିବସ’ ପାଳନ କରାଯାଉଛି। ମାନବର ହିତ ପାଇଁ ଜାରି ରହିଥିବା ଉଦ୍ୟମକୁ ସମ୍ମାନ ଦେବା ସହ ମାନବିକ ଉନ୍ନତି ଏହି ଦିବସ ପାଳନର ଲକ୍ଷ୍ୟ। ୨୦୦୩ ଅଗଷ୍ଟ ୧୯ରେ ଇରାକର ବାଗଦାଦ ସ୍ଥିତ କାନାଲ ହୋଟେଲ ଉପରେ ହୋଇଥିବା ବୋମା ଆକ୍ରମଣରେ ୨୨ ଜଣ ମାନବତାବାଦୀ କର୍ମୀଙ୍କର ପ୍ରାଣହାନି ଘଟିଥିଲା। ମୃତକଙ୍କ ମଧ୍ୟରେ ଇରାକ ପାଇଁ ଜାତିସଂଘର ସ୍ବତନ୍ତ୍ର ମହାସଚିବ ସର୍ଗିଓ ଭିଏରା ଡି ମିଲୋ ଥିଲେ। ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାର ଠିକ୍‌ ପାଞ୍ଚ ବର୍ଷ ପରେ ଜାତିସଂଘର ସାଧାରଣ ପରିଷଦ ଅଗଷ୍ଟ ୧୯ ତାରିଖକୁ ବିଶ୍ବ ମାନବତାବାଦୀ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲା। ମିଳିତ ଜାତିସଂଘର ସାଧାରଣ ପରିଷଦ ଏହି ଦିବସ ପାଳନ ଜରିଆରେ ସମସ୍ତଙ୍କୁ ଏକାଠି କରିବାର ଉଦ୍ୟମ ଜାରି ରଖିଛି। ଏହାର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି, ସଂକଟ ପ୍ରଭାବିତ ଲୋକଙ୍କର ଜୀବନଧାରଣ, କଲ୍ୟାଣ ଓ ସମ୍ମାନକୁ ସମର୍ଥନ କରିବା ଏବଂ ସେମାନଙ୍କୁ ସହାୟତା ପ୍ରଦାନ କରୁଥିବା ଲୋକଙ୍କ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରାଇବା। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ହେଉଛି, ‘ଯାହା ହେଉ ପଛକେ’। ଜାତିସଂଘର ବିଶ୍ବାସ ଯେ, ମାନବତାବାଦୀମାନେ ଲୋକଙ୍କୁ ଉଦ୍ଧାର କରିବା ଓ ଜୀବନ ରକ୍ଷା କରିବା ଭଳି ସାଧାରଣ ଲକ୍ଷ୍ୟ ଦ୍ବାରା ବାନ୍ଧି ହୋଇ ରହିଛନ୍ତି। ସେମାନେ କେବେ ମାନବିକତାର ଭରସାକୁ ବିପଦରେ ପକାଇବେ ନାହିଁ ଏବଂ ସର୍ବଦା ଜନସାଧାରଣଙ୍କ ମଙ୍ଗଳ ପାଇଁ ସର୍ବୋତ୍ତମ ଚେଷ୍ଟା କରିବେ। ପରିସ୍ଥିତି ଯାହା ହେଉ ପଛକେ, ସେମାନେ ସେମାନଙ୍କ ଆଭିମୁଖ୍ୟ ସହ କାର୍ଯ୍ୟ କରିଚାଲିବେ।

Advertisment