ବିଷାଦ ଏକ ନିରବ ମହାମାରୀ। ଶରୀର, ମନ, ବିବେକକୁ ଏହା ଆକ୍ରାନ୍ତ କରିଥାଏ। ଜଣେ ସୁସ୍ଥ ମଣିଷ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବା ଆବଶ୍ୟକ। ମସ୍ତିଷ୍କରେ ସେରୋଟୋନିନ୍ ଓ ନରଏଜ୍ ନେଫ୍ରିନ୍ କମିଯିବା କାରଣରୁ ଆତ୍ମବିଶ୍ୱାସ କମିଯିବା, ସ୍ମରଣଶକ୍ତି ହ୍ରାସ, ଉଦାସୀନ ରହିବା, ଏକାକୀ ରହିବାକୁ ପସନ୍ଦ କରିବା, ଏକାଗ୍ରତା କମିଯିବା ସହିତ ନିଦ ଓ ଭୋକ କମିଯାଏ। ବର୍ତ୍ତମାନ ବ୍ଲୁ ହେ୍ଵଲ୍ ଗେମ୍ ବା ନୀଳ ତିମି ଖେଳ ଭଳି ଖେଳରେ ବିଶେଷକରି ବିଷାଦଗ୍ରସ୍ତ ଯୁବପିଢ଼ି, କିଶୋର କିଶୋରୀ ଶିକାର ହେଉଛନ୍ତି। ଆମେରିକାସ୍ଥିତି ଆଲ୍ଜିମର୍ସ ଡିଜିଜ୍ ଇଣ୍ଟରନ୍ୟାସ୍ନାଲ୍ ଆଣ୍ଡ୍ ଆଲ୍ଜିମର୍ ସୋସାଇଟିର ଭାଇସ୍ ପ୍ରେସିଡେଣ୍ଟ୍ ମେରିଗ୍ରାମ୍ କହିଛନ୍ତି, ବିଶ୍ୱର ୫ କୋଟି ଲୋକ ମାନସିକ ବିକୃତିର ଶିକାର ହୋଇଛନ୍ତି। ୨୦୫୦ ମସିହା ସୁଦ୍ଧା ଏହି ସଂଖ୍ୟା ୧୩ କୋଟି ୧୦ ଲକ୍ଷକୁ ବୃଦ୍ଧି ପାଇବ।
ମାନସିକ ବିକୃତିରେ ଭାରତ ଦ୍ୱିତୀୟ ସ୍ଥାନରେ ଥିବାବେଳେ ବିଶେଷକରି ଯୁବପିଢ଼ିମାନେ ଏହାର ଶିକାର ହେବା ଉଦ୍ବେଗର ବିଷୟ। ପ୍ରତି ୧୦ ଜଣ ଲୋକଙ୍କ ମଧ୍ୟରେ ୯ ଜଣ ବିଷାଦଗ୍ରସ୍ତ। ଏହି ବିଷାଦ ବଢ଼ିଚାଲିଲେ ମାନସିକ ବିକୃତି ଦେଖାଦିଏ। ୨୦୫୦ ମସିହାରେ ଭାରତ ବିଶ୍ୱରେ ନ. ୧ ଯୁବପିଢ଼ି ଦେଶ ହେବାକୁ ଯାଉଥିବାର ଯେଉଁ ସବୁଜ ସ୍ୱପ୍ନ ଦେଖୁଛି ତାହା ଧୂସର ସ୍ୱପ୍ନରେ ପରିଣତ ହେବାର ସମ୍ଭାବନା ଦେଖାଦେଇଛି। ୨୦୦୫ରୁ ୨୦୧୫ ମଧ୍ୟରେ ମାନସିକ ଅବସାଦ ୧୮ ପ୍ରତିଶତ ବୃଦ୍ଧି ପାଇଛି। ପରନ୍ତୁ ଭାରତରେ ମାନସିକ ବିକୃତି ସମ୍ପର୍କରେ ସଚେତନତା ଖୁବ୍ କମ୍। ମାତ୍ର ୧୦ ପ୍ରତିଶତ ମାନସିକ ରୋଗୀଙ୍କ ରୋଗ ନିର୍ଣ୍ଣୟ କରାଯାଇଥାଏ। ସୁଖରେ ଉଲ୍ଲସିତ ହେବା ଓ ଦୁଃଖରେ ମ୍ରି୍ରୟମାଣ ହେବା ମଣିଷର ସହଜାତ ପ୍ରବୃତ୍ତି। ଦୁଃଖରେ ବିଷାଦଗ୍ରସ୍ତ ସମୟରେ ନିକଟ ସମ୍ପର୍କୀୟମାନେ ତାହା ଦୂର କରିଥାନ୍ତି। ବସ୍ତୁବାଦୀ ଦୁନିଆରେ ଯେଉଁ ତଣ୍ଟିକଟା ତୀବ୍ର ପ୍ରତିଯୋଗିତା ଚାଲିଛି, ମନର ଦୁଃଖ ବୁଝିବା ପାଇଁ କାହା ପାଖରେ ସମୟ ନାହିଁ। ପତି, ପତ୍ନୀଙ୍କ ମଧ୍ୟରେ ତାଳମେଳ ନାହିଁ। ଦାୟାଦମାନଙ୍କ ପାଇଁ ବିଡ଼ା ବିଡ଼ା ଟଙ୍କା ଫୋପାଡ଼ି ଲୋକେ ସନ୍ତୋଷଲାଭ କରୁଛନ୍ତି କିନ୍ତୁ ସେମାନଙ୍କ ପ୍ରକୃତ ଅଭାବକୁ ଆଡ଼େଇ ଯାଉଛନ୍ତି। ଗତ ତିନି ବର୍ଷରେ ୧ ଲକ୍ଷ ୩୫ ହଜାର ଲୋକ ପ୍ରେମଜନିତ ଆତ୍ମହତ୍ୟା କରିଛନ୍ତି। ଉତ୍କଟ ବେକାରି ସମସ୍ୟାର ଶିକାର ଯୁବପିଢ଼ି। ଆମ ଦେଶରେ ଯେତିକି ମହିଳା ଆତ୍ମହତ୍ୟା କରନ୍ତି ସେମାନଙ୍କ ମଧ୍ୟରେ ୫୧.୪ ପ୍ରତିଶତ ହେଉଛନ୍ତି ଗୃହିଣୀ। ୭୫ ପ୍ରତିଶତ କର୍ମଜୀବୀ ମହିଳା ମାନସିକ ଅବସାଦର ଶିକାର। କାମର ଚାପ, ପାରିବାରିକ ସମସ୍ୟା, ଅନିୟମିତ ଖାଦ୍ୟ ଗ୍ରହଣ, ଘରୋଇ ହିଂସା, ଉଚ୍ଚାଭିଳାଷ ଏସବୁ ସମସ୍ୟା ସୃଷ୍ଟି କରେ। ନିଃସଙ୍ଗ ଜୀବନ ବୃଦ୍ଧବୃଦ୍ଧାମାନଙ୍କୁ ବିଷାଦଗ୍ରସ୍ତ କରିଦେଇଛି।
ଅମୃତର ସନ୍ତାନ, ମାଟି, ପାଣି, ପବନ ପରି ଅମୃତଠାରୁ ଦୂରେଇ ଯାଉଛି। ପ୍ରକୃତି କୋଳରେ ଶୈଶବରେ ହସିଖେଳି ମଣିଷ ତା’ର ହୃଦୟରେ ଅମୃତ ସାଇତି ରଖେ। ପରନ୍ତୁ, ଆଜିର ଶୈଶବ ଏସବୁଠୁ ଅଲଗା। ନିଃସଙ୍ଗତା ତରୁଣ ମନରେ ବିଷାଦ ସୃଷ୍ଟି କରେ। ଯେତିକିବେଳେ ଚଢ଼େଇଟି ନୀଳ ଆକାଶରେ ଡେଣା ମେଲି ଉଡ଼ିବାକୁ ଉଦ୍ୟତ ଠିକ୍ ସେତିକିବେଳେ ଆମେ ତାକୁ ସୁନା ପଞ୍ଜୁରିରେ ଆବଦ୍ଧ କରିଦେଉଛୁ। ଏକାକୀପଣିଆ କ୍ରମଶଃ ତା’ର କଅଁଳ ମନରେ ଗଭୀର କ୍ଷତ ସୃଷ୍ଟି କରେ ଯାହା ଆଉ ପୂରଣ ହୋଇପାରେନା।
ବସୁଧୈବ କୁଟୁମ୍ବକମ୍- ଭାରତୀୟ ସଂସ୍କୃତିର ମୂଳ ମନ୍ତ୍ର ହେଲେ ବି ଆମେ ନିଜ କୁଟୁମ୍ବକୁ ଅସଜଡ଼ା କରିଦେଉଛୁ। ବୈକୁଣ୍ଠ ସମାନ ଘର ନର୍କରେ ପରିଣତ। ଆଧ୍ୟାତ୍ମିକ ପୃଷ୍ଠଭୂମିରେ ଯେଉଁ ଭାରତ ମହନୀୟତା ପ୍ରଦର୍ଶନ କରିଆସିଛି, ଯେଉଁ ଧର୍ମଶାସ୍ତ୍ର ଆମକୁ ସକାରାତ୍ମକ ଚିନ୍ତାର ପଥ ଦେଖାଏ ତାହା ଆଜି ବିସ୍ମୃତ। ଉତ୍ସାହ, ଆମୋଦ, ପ୍ରେରଣା, ଜାଗରଣ, ସକ୍ରିୟତା, ଦୃଢ଼ତା ଆଦି ସକାରାତ୍ମକ ଗୁଣ ବଦଳରେ ଭୟ, ନିରାଶ, ଚାପଗ୍ରସ୍ତ, ଲଜ୍ଜା, ଅପମାନ, ବୃଥା ସ୍ୱାଭିମାନ, ମୃଗତୃଷ୍ଣା ଭଳି କାଳ୍ପନିକ ଦୁଃଖ କବଳରେ ପଡ଼ି ଆମେ ବିଳାପ କରୁଛେ।
ଯେଉଁମାନେ ଅନେକ ପ୍ରକାର ଖୁସି ଅନୁଭବ କରନ୍ତି ସେମାନେ ନକାରାତ୍ମକ ଭାବପ୍ରବଣତା ବ୍ୟକ୍ତିଙ୍କ ତୁଳନାରେ କମ୍ ରୋଗରେ ପଡ଼ନ୍ତି। ଏବେ ନିଜ ଘର ସଜାଡ଼ିବାର ବେଳ ଆସିଛି। ଏକ ନିରବ ଘାତକ ବ୍ୟାଧି, ପାରିବାରିକ ବିଶୃଙ୍ଖଳା ଅଶାନ୍ତିରୁ ସୃଷ୍ଟି। ସ୍ନେହ, ପ୍ରେମ, ମମତା ଡୋରିରେ ପରସ୍ପର ବାନ୍ଧିହୋଇ ରହିଲେ ଆମର ଅସଜଡ଼ା ଘର ପୁଣି ହସଖୁସିରେ ଭରିଯିବ। ନରକ ସମାନ ଘର ବୈକୁଣ୍ଠରେ ପରିଣତ ହେବ। ଯେଉଁମାନେ ବିଷାଦଗ୍ରସ୍ତ ସେମାନଙ୍କୁ କୋଳେଇ ନେଇ ପ୍ରେମ ରଜ୍ଜୁରେ ବାନ୍ଧିପାରିଲେ ଆମେ ଏକ ସୁସ୍ଥ ପରିବାର ତଥା ସୁସ୍ଥ ସମାଜ ଗଢ଼ିପାରିବା।
- ଗୋବିନ୍ଦ ପଟ୍ଟନାୟକ
ମିଶନ୍ ଆଶ୍ରା, ଭୁବନେଶ୍ୱର
Advertisment
Sambad is now on WhatsApp
Join and get latest news updates delivered to you via WhatsApp