ଆଜି ବିଶ୍ବର ଅନେକ ସ୍ଥାନରେ ‘ବିଶ୍ବ କଚ୍ଛପ ଦିବସ’ ପାଳନ କରାଯାଉଛି। ବିଭିନ୍ନ ବିପନ୍ମୁଖୀ ପ୍ରଜାତିର କଇଁଛଙ୍କ ସଂରକ୍ଷଣ ସହ ସେମାନଙ୍କ ଅବକ୍ଷୟଶୀଳ ବାସସ୍ଥାନର ସୁରକ୍ଷା ନିମନ୍ତେ ଆମେରିକାର ସ୍ବେଚ୍ଛାସେବୀ ସଂଗଠନ ‘ଆମେରିକାନ୍ ଟରଟଏଜ୍ ରେସ୍କ୍ୟୁ’ର ଉଦ୍ୟମ କ୍ରମେ ୨୦୦୨ ମସିହାରୁ ମେ’ ୨୩କୁ କଚ୍ଛପ ଦିବସ ଭାବେ ପାଳନ କରାଯାଇ ଆସୁଛି। ହିନ୍ଦୁ ଶାସ୍ତ୍ରରେ ଭଗବାନ ବିଷ୍ଣୁଙ୍କର ଦ୍ବିତୀୟ ଅବତାର ତଥା ପାରମ୍ପରିକ ଭାବେ ଅଧ୍ୟବସାୟ ଓ ବୁଦ୍ଧିର ପ୍ରତୀକ ଭାବେ ପରିଗଣିତ ଏହି ଉଭୟଚର ପ୍ରାଣୀ ସାରା ପୃଥିବୀର ବିବିଧ ପରିବେଶରେ ଦେଖାଯା’ନ୍ତି। ସେମାନେ ନିଜ ପରିସଂସ୍ଥାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥା’ନ୍ତି। ସେମାନେ ମୃତ ମାଛକୁ ଖାଇ ବେଳାଭୂମିକୁ ପରିଷ୍କାର ରଖିବା ସହ ଗାତ ଖୋଳି ଅନ୍ୟ କିଛି ପ୍ରାଣୀଙ୍କ ପାଇଁ ଆବାସସ୍ଥଳୀ ନିର୍ମାଣ କରିଥା’ନ୍ତି। ସାମୁଦ୍ରିକ ଉଦ୍ଭିଦଜଗତ ଓ ପ୍ରବାଳ ପ୍ରାଚୀରର ସ୍ବାସ୍ଥ୍ୟ ବଜାୟ ରଖିବାରେ ମଧ୍ୟ କଚ୍ଛପ ସାହାଯ୍ୟ କରିଥାଏ। ତେବେ ବିଶେଷ କରି ପ୍ଲାଷ୍ଟିକ ବର୍ଜ୍ୟ ଓ ଜାଲ ଦ୍ବାରା ଆଖିବୁଜା ମାଛଧରା ପରି ମାନବୀୟ କାର୍ଯ୍ୟକଳାପ ଯୋଗୁଁ ଏହି ପ୍ରାଣୀମାନଙ୍କ ସ୍ଥିତି ପ୍ରତି ବିପଦ ଦେଖାଦେଇଛି। ତେଣୁ ଏ ଦିଗରେ ସଚେତନ ହୋଇ ପରିବେଶ ସନ୍ତୁଳନରେ ଭାଗୀଦାର ଉକ୍ତ ନିରୀହ ପ୍ରାଣୀମାନଙ୍କର ସଂରକ୍ଷଣ ଲାଗି ଆମେ ସମସ୍ତେ ସଂକଳ୍ପ କରିବାର ସମୟ ଆସିଛି।
ବିଶ୍ବ କଚ୍ଛପ ଦିବସ ଆଜି
/sambad/media/post_attachments/wp-content/uploads/2023/05/56f4654h65fshhhsfsfh.jpg)