ଆଜି ବିଶ୍ୱ କିଡ୍‌ନୀ ଦିବସ: କୋଭିଡ୍‌ ଜଟିଳ କଲା କିଡ୍‌ନୀ ରୋଗୀଙ୍କ ସମସ୍ୟା; ଲକ୍ଷଣ ଜାଣନ୍ତୁ, ନିୟମିତ ପରୀକ୍ଷା କରାନ୍ତୁ

ଭୁବନେଶ୍ବର : ଯଦି ଦିନ ଅପେକ୍ଷା ରାତିରେ ବାରମ୍ବାର ପରିସ୍ରା ହେଉଛି, ଗୋଡ଼ ବିନ୍ଧା ହେଉଛି, ଖାଇବା କମି ଯାଉଛି, ରକ୍ତହୀନତା, କମ ବୟସ କିନ୍ତୁ ଅଧିକ ରକ୍ତଚାପ, ଭୋକ ଲାଗୁନଥିଲେ, ଓଜନ ହ୍ରାସ ପାଇବା, ଗୋଡ଼ ଫୁଲୁଛି ତାହେଲେ ଆପଣ ତୁରନ୍ତ କିଡ୍‌ନି ଜନିତ ସମସ୍ୟା ନେଇ ପରୀକ୍ଷା କରାଇ ନିଅନ୍ତୁ। ରକ୍ତଚାପ, ମଧୁମେହ ଏବଂ ହାଏପରଟେନସନ ସମସ୍ୟା ଥିବା ରୋଗୀ ଏଥିପ୍ରତି ବିଶେଷ ସତର୍କ ହେବାକୁ ପରାମର୍ଶ ଦେଇଛନ୍ତି ଏମ୍ସର ନେଫ୍ରୋଲୋଜି ବିଶେଷଜ୍ଞ ଡା. ସନ୍ଦୀପ ପଣ୍ଡା। ଅନେକ ସମୟରେ ଡାକ୍ତରଖାନାକୁ ଆସୁଥିବା କିଡ୍‌ନି ରୋଗୀ ଗୁରୁତର ଅବସ୍ଥାରେ ଆସି ପହଞ୍ଚିଥାଆନ୍ତି। ସେମାନଙ୍କ ପାଇଁ ଚିକିତ୍ସା ଖର୍ଚ ଅଧିକ ହୋଇଯାଏ। ଲକ୍ଷଣ ଜାଣି ପୂର୍ବରୁ ନିୟମିତ ପରୀକ୍ଷା କରାଇଲେ ବଡ଼ ବିପଦରୁ ରକ୍ଷା ମିଳିବ ବୋଲି ଡା. ପଣ୍ଡା କହିଛନ୍ତି।

ମାର୍ଚ ୧୦ ତାରିଖ ବିଶ୍ବ କିଡ୍‌ନି ଦିବସ। ଚଳିତ ବର୍ଷର ସ୍ଲୋଗାନ ହେଲା, କିଡ୍‌ନି ସ୍ବାସ୍ଥ୍ୟକୁ ନେଇ ଜାଣନ୍ତୁ ସମସ୍ତେ। ଏହାକୁ ନେଇ ନେଫ୍ରୋଲୋଜି ବିଶେଷଜ୍ଞ ଡା. ପଣ୍ଡା କୁହନ୍ତି, କିଛି ବର୍ଷ ହେଲା କିଡ୍‌ନି ରୋଗୀ ଏବଂ ରାଜ୍ୟରେ କିଡ୍‌ନି ହଟସ୍ପଟ ସ୍ଥାନ ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିରୁ କେବଳ ଏମ୍‌ସ ଓପିଡିକୁ ପ୍ରତି ସପ୍ତାହରେ ଆସୁଥିବା ରୋଗୀଙ୍କ ସଂଖ୍ୟା ୧୮୦ରୁ ୨୧୦ ରହିଛି। କୋଭିଡ୍‌ ସ୍ଥିତି ପରେ ଏହି ସମସ୍ୟା ଆହୁରି ଜଟିଳ ହୋଇଛି। ସାଧାରଣରେ ଧାରଣା ରହିଛି ଯେ କୋଭିଡ୍‌ରେ କେବଳ ଫୁସଫୁସ୍‌ ପ୍ରଭାବିତ ହୁଏ। ମାତ୍ର ଏମ୍‌ସରେ ଭର୍ତ୍ତି କୋଭିଡ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ପ୍ରତିଶତଙ୍କର କିଡ୍‌ନି ସମସ୍ୟା ଦେଖାଯାଇଛି। ଅନ୍ୟ ଡାକ୍ତରଖାନାରେ ମଧ୍ୟ ସେହି ସ୍ଥିତି ରହିଛି। କୋଭିଡ୍‌ ମୁକ୍ତ ହେବା ପରେବି କ୍ରିଏଟିନ ଜନିତ ସମସ୍ୟା ନେଇ ଅନେକ ଏଠାକୁ ଆସିଛନ୍ତି। ଏପରିକି ଅନେକ ରୋଗୀ ଅଛନ୍ତି ଯେଉଁମାନଙ୍କ ସାମାନ୍ୟ କିଡ୍‌ନି ସମସ୍ୟା ଥିଲା କିନ୍ତୁ କୋଭିଡ୍‌ ପରେ ଏହା ଜଟିଳ ହୋଇଛି ଏବଂ ଡାଏଲିସିସ କରିବାକୁ ପଡ଼ିଛି। ଡା. ପଣ୍ଡାଙ୍କ ଅନୁସାରେ, ୨୦୨୦ ମସିହାରେ କିଡ୍‌ନି ରୋଗୀଙ୍କ ପାଇଁ ଜଟିଳ ସମୟ ସୃଷ୍ଟି ହୋଇଥିଲା। ଅଚାନକ ଅଣକୋଭିଡ୍‌ଙ୍କ ପାଇଁ ଡାକ୍ତରଖାନା ଏବଂ ଡାଏଲିସିସ ସେଣ୍ଟର ବନ୍ଦ ହୋଇଯିବା ଯୋଗୁଁ ମୃତ୍ୟୁ ସଂଖ୍ୟା ଅନେକ ବୃଦ୍ଧି ପାଇଥିଲା। ଏସମ୍ପର୍କିତ ସ୍ବତନ୍ତ୍ର ରିପୋର୍ଟ ପ୍ରସ୍ତୁତ ହୋଇନଥିବାରୁ ତଥ୍ୟ ହାସଲ ହୋଇ ପାରିନାହିଁ। ତୃତୀୟ ଲହରରେ କୋଭିଡ୍‌ ସେତେଟା ଗୁରୁତର ହୋଇନଥିବାରୁ କୋଭିଡ୍‌ ପ୍ରଭାବରେ କିଡ୍‌ନି ସମସ୍ୟା ବିଶେଷ ଦେଖାଯାଇ ନାହିଁ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ରାଜ୍ୟର ସମୁଦାୟ ଜନସଂଖ୍ୟାର ପ୍ରାୟ ୧ ପ୍ରତିଶତ ବ୍ୟକ୍ତି କିଡ୍‌ନି ସମ୍ପର୍କିତ ବିଭିନ୍ନ ସମସ୍ୟାରେ ପୀଡ଼ିତ। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଡାଏଲିସିସ କିମ୍ବା ପ୍ରତିରୋପଣର ଆବଶ୍ୟକତା ଥାଏ। ମାତ୍ର ରାଜ୍ୟରେ ଏହି ରୋଗ ଚିକିତ୍ସା ପାଇଁ ଭିତ୍ତିଭୂମିର ଅଭାବ ରହିଛି। ସରକାରୀ ଭାବରେ କେବଳ ଏସ୍‌ସିବିରେ କିଡ୍‌ନି ପ୍ରତିରୋପଣ ବ୍ୟବସ୍ଥା ରହିଛି। ଏମ୍‌ସରେ କିଡ୍‌ନି ପ୍ରତିରୋପଣ ସବୁ ପ୍ରକାର ବ୍ୟବସ୍ଥା ହୋଇଥିଲେ ମଧ୍ୟ ଅଗ୍ନି ନିର୍ବାପକ ପ୍ରମାଣପତ୍ରର ଅଭାବ ଯୋଗୁଁ ଅନୁମତି ଦିଆଯାଇ ପାରୁନାହିଁ। ବର୍ତ୍ତମାନ ଯେଉଁଭଳି କିଡ୍‌ନି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ଏଠାରେ ଆହୁରି ଡାକ୍ତର ନିଯୁକ୍ତିର ଆବଶ୍ୟକତା ରହିଛି। ଏଥିପ୍ରତି ଏମ୍‌ସ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର