ପୃଥିବୀର ୭୦ ପ୍ରତିଶତରୁ ଅଧିକ ଅଞ୍ଚଳକୁ ଆବୋରି ବସିଛି ସମୁଦ୍ର। ଆଉ ସମୁଦ୍ରର ଅଥଳ ଜଳରାଶି ଭିତରେ କେତେ କ’ଣ ଅଛି ତାହା ସଂପୂର୍ଣ୍ଣ ଆବିଷ୍କୃତ ହୋଇନାହିଁ! ଏମିତି କହିବାକୁ ଗଲେ ପୃଥିବୀ ପୃଷ୍ଠରେ ସମୁଦ୍ର ହେଉଛି ଗୋଟାଏ ଅଜ୍ଞାତ ଦୁନିଆ। ତା’ର ଅନେକ ରହସ୍ୟକୁ ଆଜିଯାଏ ବିଶେଷଜ୍ଞମାନେ ଭେଦ କରିବାକୁ ସମର୍ଥ ହୋଇ ନାହାନ୍ତି। ତେଣୁ, କୁହାଯାଏ ମଙ୍ଗଳଗ୍ରହ ପୃଷ୍ଠ ବିଷୟରେ ଆମର ଯେତିକି ଯେତିକି ଜ୍ଞାନ, ସମୁଦ୍ରଶଯ୍ୟା ବିଷୟରେ ଜ୍ଞାନ ତା’ଠାରୁ ଯଥେଷ୍ଟ ନ୍ୟୂନ।
ନିକଟ ଅତୀତରେ ଭାରତ ମହାସାଗରରେ ଏପରି କିଛି ଘଟଣା ଘଟିଛି, ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ ଭେଦ କରାଯାଇ ପାରିନାହିଁ। ସେ ମଧ୍ୟରୁ ୭ଟି ବହୁଚର୍ଚ୍ଚିତ ରହସ୍ୟ ଉପରେ ନଜର ପକାଇବା ।
ସମୁଦ୍ର ଉପରୁ ଉଭାନ୍ ଏମ୍ଏଚ୍୩୭୦
ଭାରତ ମହାସାଗରରେ ମାଲେସିଆ ଏୟାର୍ଲାଇନ୍ସ୍ର ବିମାନ ଏମ୍ଏଚ୍୩୭୦ର ଅନ୍ତର୍ଦ୍ଧାନ ଘଟଣା ହେଉଛି ଇତିହାସର ସବୁଠୁ ବିସ୍ମୟ ଉଦ୍ରେକକାରୀ ଘଟଣା ମଧ୍ୟରୁ ଅନ୍ୟତମ। ୨୦୧୪ ମାର୍ଚ୍ଚ ୮ ତାରିଖ ଦିନ କୁଆଲାଲମ୍ପୁର୍ରୁ ୨୩୯ ଯାତ୍ରୀଙ୍କୁ ନେଇ ବେଜିଙ୍ଗ୍ ଯାଉଥିବା ଜେଟ୍ଟି ଅଚାନକ ରାଡାର୍ ପରଦାରୁ ଉଭେଇ ଗଲା। ତା’ପରେ ଅନେକ ଦେଶ କୋଟି କୋଟି ଟଙ୍କା ବ୍ୟୟ କରି ୪ ବର୍ଷ ପର୍ଯ୍ୟନ୍ତ ଭାରତ ମହାସାଗରରେ ବ୍ୟାପକ ତଲାସୀ କରିବା ପରେ ବି ବିମାନଟିର ଭଗ୍ନାଂଶ ପଡ଼ିଥିବା ସ୍ଥାନକୁ ଗତ ୧୦ ବର୍ଷ ଭିତରେ ନିରୂପଣ କରିପାରି ନାହାନ୍ତି। ଏମ୍ଏଚ୍୩୭୦ ଉଭାନ୍କୁ ନେଇ ବହୁ କପୋଳକଳ୍ପିତ କାହାଣୀ ଶୁଣିବାକୁ ମିଳେ। ତେବେ ଏହି ଘଟଣାର ରହସ୍ୟ ଭେଦ କରିବା ପାଇଁ ନିଖୋଜ ବିମାନର ଯାତ୍ରୀମାନଙ୍କ ପରିବାର ବିଶ୍ବ ସମୁଦାୟକୁ ନିବେଦନ କରିଛନ୍ତି। ସଂପ୍ରତି ସମୁଦ୍ର ମଧ୍ୟରେ ନିୟନ୍ତ୍ରିତ ବିସ୍ଫୋରଣ କରି ବିମାନ ପଡ଼ିଥିବା ସ୍ଥାନ ନିରୂପଣ କରିବା ଲାଗି ବୈଜ୍ଞାନିକମାନେ ଉଦ୍ୟମ କରୁଛନ୍ତି। ଏହି ବିସ୍ଫୋରଣରୁ ସୃଷ୍ଟ ସଙ୍କେତକୁ ଅନୁଧ୍ୟାନ କରି ସେମାନେ ହୁଏତ ସମୁଦ୍ର ଶଯ୍ୟାରେ ପଡ଼ିଥିବା ବିମାନର ସନ୍ଧାନ ପାଇବେ ବୋଲି ଆଶା କରିଛନ୍ତି।
୨୦୧୨ର ସାମୁଦ୍ରିକ ଭୂମିକମ୍ପ:
୨୦୧୨ ଏପ୍ରିଲ୍୧୧ରେ ସମୁଦ୍ର ଭିତରେ ହୋଇଥିବା ଭୂମିକମ୍ପ ଏବଂ ତା’ ପରବର୍ତ୍ତୀ ଭୂକମ୍ପନ ଭାରତ ମହାସାଗର ଅଞ୍ଚଳକୁ ଦୋହଲାଇ ଦେଇଥିଲା। ବୈଜ୍ଞାନିକ ଓ ଭୂମିକମ୍ପ ବିଶେଷଜ୍ଞମାନଙ୍କୁ ଏହି ଘଟଣା ବିସ୍ମିତ କରିଥିଲା। ଇଣ୍ଡୋନେସିଆର ସୁମାତ୍ରା ଉପକୂଳବର୍ତ୍ତୀ ସମୁଦ୍ରରେ ପ୍ରଥମେ ୮.୬ ତୀବ୍ରତାସମ୍ପନ୍ନ ଭୂମିକମ୍ପ ହେଲା। ତା’ର କିଛି ସମୟ ପରେ ୮.୨ ତୀବ୍ର ଆଉ ଏକ ଭୂମିକମ୍ପ ଓ ତା’ପରେ କିଛି କିଛି ସମୟ ବ୍ୟବଧାନରେ ଘଟିଗଲା କେତେଗୁଡ଼ିଏ ଶକ୍ତିଶାଳୀ କମ୍ପନ। ଏହି ଭୂମିକମ୍ପର ଜଟିଳତା ଓ କମ୍ପନ ଉତ୍ପତ୍ତିର ଅସ୍ବାଭାବିକ ଦୂରତ୍ବ ହିଁ ଭୂମିକମ୍ପ ଘଟଣାକୁ ରହସ୍ୟାବୃତ କରିପକାଇଲା। ଭୂପୃଷ୍ଠ ଅଭ୍ୟନ୍ତରରେ ଥିବା ଭୂଖଣ୍ଡ ଓ ଶିଳାଖଣ୍ଡ ଚଳନର ପ୍ରକ୍ରିୟା ଉପରେ ବୈଜ୍ଞାନିକମାନେ ସନ୍ଦେହ ପ୍ରକଟ କଲେ। ଭାରତ, ଶ୍ରୀଲଙ୍କା ଓ ଥାଇଲାଣ୍ଡ୍ରେ ଅନୁଭୂତ ଏହି ଭୂମିକମ୍ପ ଏବଂ ତା’ର ପରବର୍ତ୍ତୀ କମ୍ପନର ପ୍ରକୃତ କାରଣ ଜାଣିବାକୁ ଏବେ ମଧ୍ୟ ବୈଜ୍ଞାନିକମାନେ ଅନୁସନ୍ଧାନ ଚଳାଇଛନ୍ତି।
ଭାରତ ମହାସାଗର ଶଯ୍ୟାରେ ଥିବା ଜିଓଗ୍ଲିଫ୍
ଭାରତ ମହାସାଗର ଶଯ୍ୟାରେ ଗୋଟାଏ ପ୍ରାଚୀନ ନଗରୀ ବୁଡ଼ି ରହିଛି ବୋଲି କୋଙ୍କଣ ଉପକୂଳରୁ ଆବିଷ୍କୃତ ଜିଓଗ୍ଲିଫ୍ ବା ଶିଳାରେ ଖୋଦିତ ରୂପାଙ୍କନରୁ ଅନୁମାନ କରାଯାଏ। ସମୁଦ୍ରଶଯ୍ୟାରେ ସୁବ୍ୟବସ୍ଥିତ ଭାବେ ସଜ୍ଜିତ ଏହି ସବୁ ଶିଳା ଖୋଦିତ ବିଶାଳ ଜ୍ୟାମିତିକ ଆକୃତିଗୁଡ଼ିକର ଭାଗମାପ ଓ ବିଶାଳତା ଗବେଷକ ଓ ପ୍ରତ୍ନତତ୍ତ୍ବବିତ୍ମାନଙ୍କୁ ଚମତ୍କୃତ କରିଛି। ସେଗୁଡ଼ିକ ମଧ୍ୟରୁ କେତେକ ମାଇଲ୍ ମାଇଲ୍ ବ୍ୟାପୀ ଲମ୍ବିଛି। ସେଥିରେ ଖୋଦିତ ସୂକ୍ଷ୍ମ କାରୁକାର୍ଯ୍ୟରୁ ସ୍ପଷ୍ଟ ଅନୁମେୟ ଯେ, ତାହା ପୋତି ହୋଇ ପଡ଼ିଥିବା କୌଣସି ସଭ୍ୟତା ହୋଇପାରିଥାଏ। ପାଣି ଭିତରେ ଥିବା ଏହି ରହସ୍ୟମୟ ସ୍ଥାପତ୍ୟର ଉଦ୍ଦେଶ୍ୟ ଓ ଉତ୍ପତ୍ତି ଜଣା ପଡୁ ନ ଥିବାରୁ ଏ ବିଷୟରେ ଅନେକ କଥାକାହାଣୀ ଶୁଣିବାକୁ ମିଳେ। ହୁଏତ ତାହା ନଷ୍ଟ ହୋଇଯାଇଥିବା ସଭ୍ୟତାର ଧ୍ବଂସାବଶେଷ, ପ୍ରାଚୀନ ସଙ୍କେତାବଳୀ ଅଥବା ଗୁଢ଼ ତାତ୍ପର୍ଯ୍ୟ ଥିବା ଦୈବୀ ସଙ୍କେତ?
ମହାବଳୀପୁରମର ବିଧ୍ବସ୍ତ ନଗରୀ
କିଂବଦନ୍ତି କହେ, ତାମିଲନାଡୁର ଉପକୂଳବର୍ତ୍ତୀ ନଗରୀ ମହାବଳୀପୁରମ୍ ନିକଟ ଭାରତ ମହାସାଗରରେ ଜଳରାଶିରେ ନଗରୀଟିଏ ବୁଡ଼ିଯାଇଛି। ଇତିହାସ ଓ ପୁରାଣ ସମୃଦ୍ଧ ମହାବଳୀପୁରମ୍ ପ୍ରାଚୀନ ମନ୍ଦିର ଓ ଶିଳା କଟାଯାଇ ନିର୍ମାଣ କରାଯାଇଥିବା ଅଟ୍ଟାଳିକା ଲାଗି ପ୍ରସିଦ୍ଧ। ତେଣୁ, ଭାରତ ମହାସାଗରେ ନିମଜ୍ଜିତ ଉକ୍ତ ନଗରୀ ପିଢ଼ି ପରେ ପିଢ଼ି ଅନ୍ବେଷଣକାରୀ ଓ ଐତିହାସିକମାନଙ୍କୁ କୌତୂହଳୀ କରିଛି। କଥିତ ଅଛି ଏହି ମହାନଗରୀ ସମ୍ଭବତଃ ସୁନାମି ଅଥବା ଭୟଙ୍କର ବନ୍ୟା ଯୋଗୁଁ ସମୁଦ୍ରରେ ଡୁବି ଯାଇ ଲୋକଲୋଚନ ଅନ୍ତରାଳକୁ ଚାଲିଯାଇଛି। ଉପକୂଳ ଅଞ୍ଚଳ ସମୁଦ୍ରଶଯ୍ୟାରେ କେତେକ ଗବେଷକ ଓ ବୁଡ଼ାଳି କିଛି କୋଠାବାଡ଼ି ବୁଡ଼ି ରହିଥିବା କଥା କହୁଛନ୍ତି, କିନ୍ତୁ ତାହା ଯେ ପ୍ରାଚୀନ ନଗରୀର ଧ୍ବଂସାବଶେଷ ସେ ବିଷୟରେ ସୁନିଶ୍ଚିତ ପ୍ରମାଣ ଦେଇ ପାରିନାହାନ୍ତି।
ଏହାଛଡ଼ା, ୨୦୦୫ରେ ଆସିଥିବା ସୁନାମି ଢେଉଜନିତ ଜଳରାଶି ପୁନଶ୍ଚ ବେଳାଭୂମିରୁ ଦୂର ସମୁଦ୍ରକୁ ଫେରିଯିବା ସମୟରେ ମୁହୂର୍ତ୍ତକ ପାଇଁ ସମୁଦ୍ରଶଯ୍ୟା ଦେଖାଯାଇଥିଲା। ସେଠାରେ କେତେକ ପ୍ରାଚୀନ ମନ୍ଦିରର ଅବଶେଷ ଓ ଶହଶହ ଚତୁଷ୍କୋଣୀୟ ପଥରଖଣ୍ଡ ଥିବା କଥା ପ୍ରତ୍ୟକ୍ଷଦର୍ଶୀ ମତ୍ସ୍ୟଜୀବୀ କହିଥିଲେ।
ଅର୍ନ୍ତଦ୍ଧାନ ହେଲା ସମୁଦ୍ରପୋତ ଏସ୍. ଏସ୍. ୱାରଟାହ୍
୧୯୦୯ ଜୁଲାଇରେ ୨୧୧ଜଣ ଯାତ୍ରୀ ଓ କର୍ମଚାରୀଙ୍କୁ ନେଇ ଦକ୍ଷିଣ ଆଫ୍ରିକାର ଡର୍ବାନ୍ରୁ କେପ୍ ଟାଉନ୍ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ବାଷ୍ପଚାଳିତ ପୋତ ‘ଦି ଏସ୍ ଏସ୍ ୱାରଟାହ୍’। ‘ଟାଇଟାନିକ୍’ ଜାହାଜ ପରି ବିଶେଷ ସୁରକ୍ଷା ଥିବା ଏହି ନୂଆ ଜାହାଜଟି ତା’ର ଦ୍ବିତୀୟ ଯାତ୍ରା ବେଳେ ଭାରତ ମହାସାଗରରେ ନିଖୋଜ ହୋଇଗଲା। ବ୍ୟାପକ ତଲାସୀ ସତ୍ତ୍ବେ ପୋତର ଭଗ୍ନାଂଶ କିଂବା କୌଣସି ଯାତ୍ରୀଙ୍କ ପତ୍ତା ମିଳିଲା ନାହିଁ। ଏହି ପୋତ ଅନ୍ତର୍ଦ୍ଧାନ ଘଟଣାକୁ ନେଇ ବିଭିନ୍ନ କଥା କୁହାଯାଏ। ବାତ୍ୟା ଅଥବା ଦିଗବାରେଣୀ ତ୍ରୁଟି ଯୋଗୁଁ ପୋତଟି କୌଣସି ଅଜ୍ଞାତ ବିପଦରେ ପଡ଼ି ଧ୍ବସ୍ତ ହୋଇଥାଇପାରେ। କିନ୍ତୁ, ସମୁଦ୍ରଗର୍ଭରେ ତା’ର ଅବସ୍ଥିତି ବିଷୟରେ କୌଣସି ସୂଚନା ମିଳିନାହିଁ। ଏହାର ସନ୍ଧାନ ପାଇଁ ଶତାଧିକ ବର୍ଷ ହେବ ଉଦ୍ୟମ ଚଳାଇଥିବା ସାମୁଦ୍ରିକ ବିଶେଷଜ୍ଞ ଏଯାଏଁ କୌଣସି ପ୍ରମାଣ ପାଇନାହାନ୍ତି। ଉଲ୍ଲେଖଯୋଗ୍ୟ, ୧୮୪୮ରୁ ୧୮୯୭ ମଧ୍ୟରେ ‘ୱାରଟାହ୍’ ନାମଧାରୀ ଆଉ ୪ଟି ଜାହାଜ ବି ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ିଯାଇଥିଲା।
ନିର୍ଜନ ଜାହାଜ ତାଇପିଙ୍ଗ୍
୨୦୦୩ରେ ମାଛଧରା ଜାହାଜ ‘ତାଇପିଙ୍ଗ୍’ ରହସ୍ୟମୟ ଭାବେ ଭାରତ ମହାସାଗରରେ ବୁଡ଼ିଗଲା। ସେ ଜାହାଜ କି, ସେଥିରେ ଥିବା ଲୋକବାକଙ୍କର ଚିହ୍ନବର୍ଣ୍ଣ ଦିଶିଲା ନାହିଁ। ବର୍ଷକ ପରେ ଗୋଟାଏ ଆଚମ୍ବିତ ତଥା ଭୟାବହ ଘଟଣା ସାମ୍ନାକୁ ଆସିଲା। ଦୈବାତ୍ ଅନ୍ବେଷଣକାରୀମାନଙ୍କ ଦୃଷ୍ଟିରେ ପଡ଼ିଲା ‘ତାଇପିଙ୍ଗ୍’ ନିର୍ଜନ ସମୁଦ୍ରରେ ଭାସିବୁଲୁଛି। ସେଥିରେ ସବୁ ଜିନିଷ ଯଥାମତେ ପୂର୍ବବତ୍ ଅଛି, କିନ୍ତୁ କୌଣସି ଯାତ୍ରୀ ନାହାନ୍ତି। ଜାହାଜ ବୁଡ଼ିବା ଏବଂ ସେଥିରେ ଥିବା ଲୋକ ଅନ୍ତର୍ଦ୍ଧାନ ରହସ୍ୟ ସେବେଠାରୁ ବିଶେଷଜ୍ଞ ଓ ତଦନ୍ତକାରୀମାନଙ୍କୁ ହତଚକିତ କରିପକାଇଛି।
ଦୁର୍ବଳ ମାଧ୍ୟାକର୍ଷଣ ଗହ୍ବର
ଭାରତ ମହାସାଗରର ଆଉ ଏକ ରହସ୍ୟ ହେଲା ମାଧ୍ୟକର୍ଷଣ ଗହ୍ବର ବା ‘ଜିଓଡ୍ ଲୋ’। ଏହି ଗହ୍ବରରେ ପୃଥିବୀର ମଧ୍ୟାକର୍ଷଣ ଶକ୍ତି ଅପେକ୍ଷାକୃତ ଦୁର୍ବଳ ହୋଇଥିବାରୁ ସମୁଦ୍ର ପତ୍ତନର ପ୍ରାୟ ୩୨୮ ଫୁଟ୍ ଉପରେ ଲଘୁଚାପ ସୃଷ୍ଟିହୁଏ। ହାରାହାରି ୧.୨ ନିୟୁତ ବର୍ଗ ମାଇଲ୍ ପରିବ୍ୟାପ୍ତ ଏହି ଘୂର୍ଣ୍ଣାୟମାନ ଲଘୁଚାପ ଭାରତର ଦକ୍ଷିଣ ପ୍ରାନ୍ତରୁ ଆରମ୍ଭ ହୁଏ। ୧୯୪୮ ମସିହାରେ ମାଧ୍ୟକର୍ଷଣ ସର୍ଭେ କରାଯିବା ବେଳେ ପ୍ରଥମେ ଡଚ୍ ଭୂତତ୍ତ୍ବବିତ୍ ଫିଲିକ୍ସ୍ ଏଣ୍ଡ୍ରିଜ୍ ଭିନିଙ୍ଗ୍ ମାଇନେଜ୍ ୧୯୪୮ ମସିହାରେ ଏହାକୁ ଲକ୍ଷ୍ୟ କରିଥିଲେ। ସେବେଠାରୁ ଏହି ଘଟଣା ଗବେଷକମାନଙ୍କୁ ବିସ୍ମିତ କରିଆସିଛି। କିନ୍ତୁ, ସମ୍ପ୍ରତି ଗବେଷକମାନେ କହୁଛନ୍ତି କି, ସେମାନେ ଏଭଳି ଗହ୍ବର ସୃଷ୍ଟି ହେବାର ବିଶ୍ବାସଯୋଗ୍ୟ କାରଣ ଜାଣିପାରିଛନ୍ତି। ତାଙ୍କ ମତରେ, ପୃଥିବୀର ଅତି ଅଭ୍ୟନ୍ତରରେ ସୃଷ୍ଟି ହେଉଥିବା ମାଗ୍ମା ଧୂମ୍ର କୁଣ୍ଡଳି ଯୋଗୁ ସେ ଅଞ୍ଚଳରେ ମାଧ୍ୟାକର୍ଷଣ ଶକ୍ତି ହ୍ରାସ ପାଉଛି।