ସୁରେଶ ସ୍ବାଇଁ
ସଦ୍ୟ ସମାପ୍ତ ପ୍ୟାରିସ୍ ପାରାଲିମ୍ପିକ୍ସରେ କ୍ରମାଗତ ଭାବେ ରୌପ୍ୟ ପଦକ ଜିତିଥିବା ସୁହାସ ଲାଲିନାକେରେ ୟାଥିରାଜଙ୍କ କାହାଣୀ ବାସ୍ତବରେ ବିରଳ ଏବଂ ଅତ୍ୟନ୍ତ ପ୍ରେରଣାଦାୟୀ। ବ୍ୟାଡ୍ମିଣ୍ଟନ୍ର ଏସ୍ଏଲ୍ ୪ ଏକକ ବର୍ଗରେ ସୁହାସ ଟୋକିଓ-୨୦୨୦ ଓ ପ୍ୟାରିସ୍-୨୦୨୪ରେ ରୌପ୍ୟ ପଦକ ଜିତିଛନ୍ତି। ଏଥର ପଦକର ରଙ୍ଗ ବଦଳାଇବା ଆଶାରେ ପ୍ୟାରିସ୍ ଯାଇଥିଲେ ମଧ୍ୟ ଲକ୍ଷ୍ୟରେ ପହଞ୍ଚି ପାରିନାହାନ୍ତି। ଟୋକିଓ ଭଳି ପ୍ୟାରିସ୍ରେ ବି ସେ ଫାଇନାଲ୍ରେ ଫ୍ରାନ୍ସର ଲୁକାସ୍ ମଜୁର୍ଙ୍କଠାରୁ ହାରିଯିବାରୁ ସ୍ବର୍ଣ୍ଣ ସ୍ବପ୍ନକୁ ସାକାର କରିପାରିନାହାନ୍ତି। ଏହା ତାଙ୍କୁ ମର୍ମାହତ କରିଛି। ସେ ରୌପ୍ୟ ବିଜୟର ଉତ୍ସବ ବି ପାଳି ନାହାନ୍ତି। କିନ୍ତୁ, ଏହା କମ୍ ବଡ଼ ଉପଲବ୍ଧି ନୁହେଁ, ସବୁ ଖେଳାଳିଙ୍କ ଭାଗ୍ୟରେ ଏପରି ଈର୍ଷଣୀୟ ସଫଳତା ଆସି ନଥାଏ।
ସୁହାସ ହେଉଛନ୍ତି ପାରାଲିମ୍ପିକ୍ସ ପଦକ ସହ ଅର୍ଜୁନ ପୁରସ୍କାର ପାଇଥିବା ଏକମାତ୍ର ଭାରତୀୟ ଆଇଏଏସ୍ ଅଧିକାରୀ। ୨୦୦୭ ବ୍ୟାଚ୍ର ଉତ୍ତରପ୍ରଦେଶ କ୍ୟାଡର୍ର ଏହି ଆଇଏଏସ୍ ଏବେ ଗୌତମବୁଦ୍ଧ ନଗର ଓ ପ୍ରୟାଗରାଜର ଜିଲ୍ଲାପାଳ ଅଛନ୍ତି। ୨୦୧୮ରେ ଜାତୀୟ ପାରା ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିବା ପରଠାରୁ ସେ ଖେଳ ଦୁନିଆରେ ଆଉ ପଛକୁ ଫେରି ଦେଖିନାହାନ୍ତି। ଏସୀୟ ପାରା ପ୍ରତିଯୋଗିତାରେ ସ୍ବର୍ଣ୍ଣ (୨୦୧୬, ବେଜିଂ) ଜିତିଥିବା ବେଳେ ଏସୀୟ ପାରାକ୍ରୀଡ଼ାରେ ସ୍ବର୍ଣ୍ଣ (୨୦୨୨, ହଙ୍ଗଝୌ) ଓ କାଂସ୍ୟ (୨୦୧୮, ଜାକର୍ତା) ପଦକ ହାସଲ କରିଥିଲେ। ୨୦୨୪ରେ ପଟ୍ଟାୟା ବିଶ୍ବ ପ୍ରତିଯୋଗିତା ସହ ବିଶ୍ବର ଏକ ନମ୍ବର (ଏସ୍ଏଲ୍-୪) ମାନ୍ୟତା ପାଇବା ତାଙ୍କୁ ଚର୍ଚ୍ଚାରେ ରଖିଥିଲା।
କର୍ଣ୍ଣାଟକର ହାସନ୍ରେ ୧୯୮୩ ମସିହା ଜୁଲାଇ ୨ ତାରିଖରେ ଜନ୍ମଗ୍ରହଣ କରିଥିବା ସୁହାସ ୨୦୦୭ ମସିହାରୁ ଖେଳ ଜୀବନ ଆରମ୍ଭ କରିଥିଲେ। ପୁଣି ସେହି ବର୍ଷ ଆଇଏଏସ୍ ପାଇ ବୃତ୍ତିଗତ ଜୀବନରେ ବି ସଫଳତା ଅର୍ଜନ କରିଛନ୍ତି ସେ। ବିଭିନ୍ନ ସରକାରୀ ଯୋଜନାର ରୂପାୟନ ପାଇଁ ସେ ଏକ ଆପ୍ ବିକଶିତ କରିଥିଲେ। ଏହା କୁପୋଷଣ ପୀଡ଼ିତ ଓ ଗର୍ଭବତୀ ମହିଳାଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବାରୁ କେନ୍ଦ୍ର ସରକାରଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ଓ ପୁରସ୍କୃତ ହୋଇଛନ୍ତି। ଅର୍ଜୁନ ପୁରସ୍କାର ବ୍ୟତୀତ ଉତ୍ତରପ୍ରଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ୟାଶ୍ ଭାରତୀ’ ମଧ୍ୟ ସୁହାସଙ୍କୁ ପ୍ରଦାନ କରାଯାଇଛି।
ନିଟ୍ ଗ୍ରାଜୁଏଟ୍ରୁ ଆଇଏଏସ୍ ହୋଇଥିବା ସୁହାସ ସରକାରୀ ଦାୟିତ୍ବର ବ୍ୟସ୍ତତା ଭିତରେ ବି ବ୍ୟାଡ୍ମିଣ୍ଟନ୍ ପାଇଁ ସମୟ କାଢ଼ି ନିଅନ୍ତି। ଫଳରେ ନିଜ ପେସା ଓ ନିଶା ମଧ୍ୟରେ ସମନ୍ବୟ ରକ୍ଷାରେ ସଫଳ ହୋଇଛନ୍ତି। ଜଣେ ସାଧାରଣ ବ୍ୟକ୍ତି ଦୁଇଟି କାର୍ଯ୍ୟ କରିବା ଅସମ୍ଭବ ହେଉଥିବା ବେଳେ ସୁହାସ କିନ୍ତୁ ଉଭୟ କ୍ଷେତ୍ରରେ ଶୀର୍ଷସ୍ତରୀୟ ସଫଳତା ପାଇଛନ୍ତି। ବିଳମ୍ବରେ ଖେଳକୁ ଆସିଥିଲେ ମଧ୍ୟ ୪୧ ବର୍ଷ ବୟସରେ ବି ବଡ଼ ମଞ୍ଚରେ ନିଜ ଚମକ ଛାଡ଼ିଛନ୍ତି। ପଙ୍ଗୁ ଗିରି ଲଙ୍ଘିବା ଭଳି ସୁହାସ ଜନ୍ମରୁ ଗୋଇଠିରେ ସମସ୍ୟା ଥିଲେ ବି କ୍ରୀଡ଼ାରେ ନିଜକୁ ପ୍ରମାଣିତ କରିଛନ୍ତି। କେବଳ ଭିନ୍ନକ୍ଷମଙ୍କ ପାଇଁ ନୁହେଁ, ସମସ୍ତଙ୍କ ପାଇଁ ସେ ପ୍ରେରଣାର ଉତ୍ସ ସାଜିଛନ୍ତି। ସୁହାସ କହନ୍ତି, ‘ମୁଁ ନିଜ କାମକୁ ଭଲ ପାଏ। ଭଲ ପାଇଲେ କୌଣସି କାମ ଯନ୍ତ୍ରଣାଦାୟକ ହୁଏ ନାହିଁ। ସେଥିପାଇଁ ମୁଁ ପ୍ରଶାସନରେ ଥାଇ ଲୋକଙ୍କ ସେବାରେ ନିଜକୁ ବିନିଯୋଗ କରି ଆତ୍ମସନ୍ତୋଷ ପାଉଛି। ଦୈନିକ ବ୍ୟାଡ୍ମିଣ୍ଟନ୍ କୋର୍ଟରେ ୧/୨ ଘଣ୍ଟା ବିତାଉଛି। ବ୍ୟାଡ୍ମିଣ୍ଟନ୍ କୋର୍ଟରେ ଝାଳ ବୁହାଇବା ଯନ୍ତ୍ରଣାଦାୟକ ନୁହେଁ, ଏକ ଆନନ୍ଦ। ସେଥିପାଇଁ ମୁଁ କହିବି ନିଜ ପସନ୍ଦର କାମ କରନ୍ତୁ, ଯାତ୍ରା କ୍ରମେ ସହଜ ହୋଇଯିବ। ଖେଳକୁ ମୁଁ ଆକସ୍ମିକ ଭାବେ ଆସିଛି। କେବେ ଭାବି ନଥିଲି ଏଭଳି ପେସାଦାର ଭାବେ ଖେଳିପାରିବି। ବେଜିଂରେ ଅଣମାନ୍ୟତାପ୍ରାପ୍ତ ଖେଳାଳି ଭାବେ ଏସୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିବା ପରେ ଯାତ୍ରା ଆଗକୁ ବଢ଼ିଚାଲିଛି।’’ ପାରିବାରିକ ଦିଗରେ ବି ବେଶ୍ ପରିପୂର୍ଣ୍ଣ ସୁହାସ। ଆଇଏଏସ୍ ଅଧିକାରୀ ତଥା ମିଷ୍ଟ୍ରେସ୍ ୟୁପି ମନୋନୀତ ହୋଇଥିବା ରିତୁ ସୁହାସଙ୍କ ସହଧର୍ମିଣୀ। ସେମାନଙ୍କର ପାଞ୍ଚ ବର୍ଷର କନ୍ୟା ଓ ଦୁଇ ବର୍ଷର ପୁଅ ମଧ୍ୟ ରହିଛି।