ଆଜି ବିଶ୍ବ ଜନସଂଖ୍ୟା ଦିବସ। ବିଶେଷ କରି ଜନସଂଖ୍ୟାର ବିଶ୍ବସ୍ତରୀୟ ସମସ୍ୟା ଏବଂ ଏହା ପରିବେଶକୁ କିଭଳି ପ୍ରଭାବିତ କରୁଛି ସେ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏହି ଦିବସ ପାଳନ କରାଯାଉଛି। ଉଲ୍ଲେଖଯୋଗ୍ୟ, ବିଶ୍ବ ଜନସଂଖ୍ୟା ଶହେ କୋଟି ହେବାକୁ ଲକ୍ଷ ଲକ୍ଷ ବର୍ଷ ଲାଗିଯାଇଥିଲା। ମାତ୍ର ଗତ ଦୁଇ ଶହ ବର୍ଷ ଭିତରେ ଜନସଂଖ୍ୟା ତାହାର ସାତ ଗୁଣ ବଢ଼ିଯାଇଛି। ୨୦୧୧ ମସିହାରେ ତାହା ୭୦୦ କୋଟି ଛୁଇଁଥିବା ବେଳେ ୨୦୨୧ରେ ୭୯୦ କୋଟି ହୋଇଥିଲା। ଏହି ହାରରେ ଜନସଂଖ୍ୟା ବଢ଼ିଚାଲିଲେ ୨୦୩୦ ବେଳକୁ ତାହା ୮୫୦ କୋଟି ଡେଇଁବା ସହ ୨୦୫୦ରେ ୯୭୦ କୋଟି ଓ ୨୧୦୦ ବେଳକୁ ୧୦୯୦ କୋଟି ଟପିଯିବ ବୋଲି ଆକଳନ କରାଯାଉଛି।

Advertisment

ତେବେ ଜନସଂଖ୍ୟାରେ ଏ ପ୍ରକାର ନାଟକୀୟ ଅଭିବୃଦ୍ଧି ମୁଖ୍ୟତଃ ପ୍ରଜନନ ବୟସ ପର୍ଯ୍ୟନ୍ତ ବଞ୍ଚି ରହୁଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ସାଙ୍ଗକୁ ପ୍ରଜନନ ହାରରେ ପ୍ରମୁଖ ପରିବର୍ତ୍ତନ, ସହରୀକରଣର ସମ୍ପ୍ରସାରଣ ଓ ଜୀବନ ଧାରଣର ମାନବୃଦ୍ଧି ଯୋଗୁଁ ସମ୍ଭବ ହୋଇଛି। ଏହି ଧାରା ଆଗାମୀ ପିଢ଼ି ପାଇଁ ସୁଦୂରପ୍ରସାରୀ ନକାରାତ୍ମକ ପ୍ରଭାବ ପକାଇବାର ଆଶଙ୍କା ରହିଛି। କାରଣ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଦାରିଦ୍ର୍ୟ ଠାରୁ ଆରମ୍ଭ କରି ଅର୍ଥନୀତି ଓ ମାତୃସ୍ବାସ୍ଥ୍ୟ କ୍ଷେତ୍ରରେ ନାନାଦି ସମସ୍ୟା ବଢ଼ିଚାଲିଛି। ତେଣୁ ତାହାର ସମାଧାନ ଦିଗରେ ଅନୁରୂପ କାର୍ଯ୍ୟ, ପ୍ରୟାସ ଓ ପରିବର୍ତ୍ତନର ଆଶା ରଖି ମିଳିତ ଜାତିସଂଘ ପକ୍ଷରୁ ୧୯୮୯ ମସିହାରୁ ଜନସଂଖ୍ୟା ଦିବସ ପାଳନର ପରିକଳ୍ପନା କରାଯାଇଛି। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି ‘ଲିଙ୍ଗଗତ ସମାନତାର ଶକ୍ତିକୁ ଉନ୍ମୋଚନ କରିବା: ମହିଳା ଓ ବାଳିକା ସ୍ବର ଉତ୍ତୋଳନ କରିବା ଲାଗି ଦୁନିଆର ଅସୀମ ସମ୍ଭାବନା ସୃଷ୍ଟି କରିବା’।