ନ୍ୟୁୟର୍କର ପ୍ରସିଦ୍ଧ ପ୍ଲାଜା ହୋଟେଲ୍‌ରେ ଏକ ଅଭିନବ ବିଶ୍ବ ରେକର୍ଡ ଭାଙ୍ଗିବାର ଉଦ୍ୟମରେ ୩୫୩ ବାଲେରିନା ନୃତ୍ୟାଙ୍ଗନାମାନେ ସଫଳ ହୋଇଛନ୍ତି। ଗତ ବୁଧବାର ‘ୟୁଥ୍‌ ଆମେରିକା ଗ୍ରାଣ୍ଡ୍‌ ପ୍ରି’ ନାମକ ଅଣଲାଭକାରୀ ନୃତ୍ୟ ପ୍ରତିଯୋଗିତା ଆୟୋଜକ ସଂସ୍ଥା ଏତେ ସଂଖ୍ୟକ ଯୁବ ନୃତ୍ୟଶିଳ୍ପୀମାନଙ୍କୁ ଏକାଠି କରିଥିଲା। ସମସ୍ତେ ଏକାସମୟରେ ଗୋଡ଼ର କେବଳ ବୁଢ଼ା ଆଙ୍ଗୁଠିରେ ଠିଆ ହୋଇ ଏକ ମିନିଟ୍‌ ଧରି ନୃତ୍ୟ କରିଥିଲେ। ଏହି ନୃତ୍ୟ ଭଙ୍ଗୀ ‘ଏନ୍‌ ପଏଣ୍ଟ’ ନାମରେ ଜଣାଶୁଣା। ଏଥିରେ ଭାଗନେଇଥିବା ଝିଅମାନଙ୍କ ବୟସର ମାତ୍ର ୯ରୁ ୧୯ ବର୍ଷ ବୟସ। ପୂର୍ବରୁ ୨୦୧୯ରେ ସର୍ବାଧିକ ୩୦୯ ଜଣ ନୃତ୍ୟଶିଳ୍ପୀ ଏକାସମୟରେ ବୃଦ୍ଧାଙ୍ଗୁଳିରେ ଏକ ମିନିଟ ଧରି ଠିଆ ହେବାର ରେକର୍ଡ ସ୍ଥାପନ କରିଥିଲେ।

Advertisment

ଉଲ୍ଲେଖଯୋଗ୍ୟ, ‘ବାଲେ’ ହେଉଛି ଏକ କଷ୍ଟକର ନୃତ୍ୟ ଶୈଳୀ, ଯାହା ପଞ୍ଚଦଶ ଶତାବ୍ଦୀର ଇଟାଲୀୟ ରେନେସାଁ କାଳରେ ଜନ୍ମ ନେଇଥିଲା। ପୁରୁଷ ବାଲେ ନୃତ୍ୟଶିଳ୍ପୀଙ୍କୁ ‘ବାଲେରିନୋ’ କୁହାଯାଉଥିବା ବେଳେ ମହିଳା ନୃତ୍ୟଶିଳ୍ପୀଙ୍କୁ ‘ବାଲେରିନା’ କୁହାଯାଏ। ବାଲେ ନୃତ୍ୟର ପ୍ରଶିକ୍ଷଣ ସାଧାରଣତଃ ମାତ୍ର ୩ରୁ ୪ ବର୍ଷ ବୟସରୁ ଆରମ୍ଭ କରାଯାଏ। ଠିକ୍ ଭାବେ ‘ଏନ୍‌ ପଏଣ୍ଟ’ ଭଙ୍ଗୀରେ ଠିଆ ହେବା ଲାଗି ବର୍ଷ ବର୍ଷର ଅଭ୍ୟାସ କରିବାକୁ ପଡ଼ିଥାଏ। ଏହି ନୃତ୍ୟ କରିବାକୁ ହେଲେ ପାଦ ଓ ଗୋଡ଼କୁ ସୁଦୃଢ଼ ରଖିବା ପାଇଁ ନିୟମିତ ତାଲିମ ନେବାକୁ ହୁଏ।