ଆଜି ‘ବିଶ୍ବ ଶରଣାର୍ଥୀ ଦିବସ’ ପାଳନ କରାଯାଉଛି। ବିଶ୍ବବ୍ୟାପୀ ଶରଣାର୍ଥୀମାନଙ୍କୁ ସମ୍ମାନ ଜଣାଇବା ଏବଂ ମନେ ପକାଇବା ପାଇଁ ମିଳିତ ଜାତିସଂଘ ପକ୍ଷରୁ ୨୦୦୧ ମସିହାରୁ ଏ ଦିବସ ପାଳନର ପରିକଳ୍ପନା କରାଯାଇଛି। ଏହା ଶରଣାର୍ଥୀମାନଙ୍କର ଦୁଃଖ ପ୍ରତି ସହାନୁଭୂତି ଓ ବୁଝାମଣାକୁ ପ୍ରୋତ୍ସାହିତ କରିବା ସହିତ ନିଜ ଜୀବନକୁ ପୁନରୁଦ୍ଧାର କରିବାରେ ସେମାନଙ୍କ ସାହସକୁ ଉତ୍‌ଥାପନ କରିବା ପାଇଁ ଏକ ଅବସର। ଉଲ୍ଲେଖଯୋଗ୍ୟ, ବିଶ୍ବର କେଉଁଠି ନା କେଉଁଠି ପ୍ରତି ମିନିଟ୍‌ରେ ହାରାହାରି ୨୦ ଜଣ ଲୋକ ଯୁଦ୍ଧ ବା ଆତଙ୍କବାଦ କାରଣରୁ ନିଜର ଦେଶ ଛାଡୁଛନ୍ତି। ପ୍ରତ୍ୟହ ପ୍ରାୟ ୪୨,୫୦୦ ଜଣ ଲୋକ ନିଜର ଭିଟାମାଟି ଛାଡ଼ି ନିଜ ଦେଶ ଭିତରେ ଅନ୍ୟତ୍ର ବା ଅନ୍ୟ ଦେଶର ସୀମାରେ ନିରାପଦ ଆଶ୍ରୟ ଲୋଡୁଛନ୍ତି। ସମ୍ପ୍ରତି ସାରା ବିଶ୍ବରେ ପ୍ରାୟ ୮ କୋଟି ଲୋକ ବଳପୂର୍ବକ ଦେଶାନ୍ତର ହୋଇଛନ୍ତି ଯେଉଁମାନଙ୍କ ମଧ୍ୟରେ ୫୦ ପ୍ରତିଶତ ହେଉଛନ୍ତି ଶିଶୁ। ତେଣୁ ଶରଣାର୍ଥୀ ଦିବସ ପାଳନ ପୂର୍ବକ ବିଶ୍ବରେ ଲକ୍ଷ ଲକ୍ଷ ଶରଣାର୍ଥୀଙ୍କ ସ୍ଥିରତା ଏବଂ ନିଷ୍ଠା ପ୍ରତି ଆମକୁ ସମ୍ମାନ ପ୍ରଦର୍ଶନ କରିବାକୁ ପଡ଼ିବ। ସେହିପରି ଶରଣାର୍ଥୀମାନଙ୍କ ପୁନର୍ବାର ଜୀବନଯାପନରେ ସାହାଯ୍ୟ କରିବାର ସର୍ବୋତ୍ତମ ଉପାୟ ହେଉଛି ହିଂସା ଓ ନିର୍ଯାତନାରୁ ରକ୍ଷା ପାଇବା ପରେ ସେମାନେ ଯେଉଁ ସ୍ଥାନକୁ ଅଭୟାରଣ୍ୟ ମନେ କରୁଛନ୍ତି, ସେହି ସ୍ଥାନର ସମ୍ପ୍ରଦାୟରେ ସେମାନଙ୍କୁ ସାମିିଲ କରିବା। ଚଳିତବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି ‘ଘରଠାରୁ ଦୂରରେ ଆଶା। ଏକ ପୃଥିବୀ ଯେଉଁଠି ଶରଣାର୍ଥୀମାନଙ୍କୁ ସର୍ବଦା ସାମିଲ କରାଯାଏ’।

Advertisment